ଜୟପୁର: ଭୂଲେଖରେ ଦିଶୁନି ଜୟପୁର ବ୍ଲକର ଉମୁରୀ ପଞ୍ଚାୟତର ହାତୀବାରି ଗାଁ। କାରଣ ଗ୍ରାମବାସୀ ଶହେ ବର୍ଷରୁ ଊର୍ଦ୍ଧ୍ବ ସମୟ ହେବ ପେନାଙ୍ଗୀ ‘ଖ’ ସଂରକ୍ଷିତ ଜଙ୍ଗଲ ଓ ରାଜସ୍ବ ଜମିରେ ଘର ନିର୍ମାଣ କରି ରହି ଆସୁଛନ୍ତି। ଫଳ ସ୍ବରୁପ ଗ୍ରାମବାସୀ ବିଭିନ୍ନ ସରକାରୀ ଯୋଜନାର ଲାଭ ଉଠାଇ ପାରୁନାହାନ୍ତି। ଗାଁଟି  ଜୟପୁର ସହର ଓ ତହସିଲ ଠାରୁ ମାତ୍ର ୩କିଲୋ ମିଟର ପରିଧି ମଧ୍ୟରେ ରହିଛି । ଗ୍ରାମବାସୀ ମାନେ ଗାଁର କିସମକୁ ପରିବର୍ତ୍ତନ କରିବା ପାଇଁ ବାରମ୍ବାର ଦାବି କରିବା ସତ୍ବେ ପ୍ରଶାସନ ଏହାକୁ କର୍ଣ୍ଣପାତ କରୁନି। ଅପରପକ୍ଷରେ କେତେବେଳେ ଯେ ବନବିଭାଗ କିମ୍ବା ରାଜସ୍ବ ବିଭାଗ ଏମାନଙ୍କୁ ଏଠାରେ ଉଠାଇ ଦେବେ କି ଏହି ଭୟରେ ଏମାନଙ୍କ ଦିନ କଟୁଛି।

Advertisment

ସୂଚନାଅନୁଯାୟୀ, ସହର ଠାରୁ ମାତ୍ର ୩ କିଲୋମିଟର ମଧ୍ୟରେ ରହିଥିବା ଜୟପୁର ବ୍ଲକର ଉମୁରୀପଂଚାୟତର ହାତୀବାରି ଗାଁକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡିକ ନାହିଁ।   ଏହି ଗାଁରେ ୩୦ରୁ ଉର୍ଦ୍ଧ୍ବ ଘର ରହିଥିବା ବେଳେ ଦୁଇ ଶହରୁ ଉର୍ଦ୍ଧ୍ବ ଲୋକେ ବସବାସ କରୁଛନ୍ତି। ଗ୍ରାମବାସୀଙ୍କର ନିଜର ବୋଲି ଜମି ଖଣ୍ଡିକ ନଥିବା ବେଳେ ଏମାନେ ଦିନ ମଜୁରିଆ, ଇଟା ତିଆରି ଆଦି କାମ କରି ପରିବାର ପ୍ରତିପୋଷଣ କରି ଆସୁଛନ୍ତି। ପିଡିଏସ୍ ଚାଉଳ ପାଇଁ ଉମୁରୀ ପଂଚାୟତ କାର୍ଯ୍ୟାଳୟ ଓ କେହି ଗର୍ଭଧାରଣ କଲେ କିମ୍ବା ଅନ୍ୟ କିଛି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଉମୁରୀ ଅଙ୍ଗନବାଡ଼ି କେନ୍ଦ୍ରକୁ ୫କିଲୋମିଟର ବୁଲି ବୁଲି ଯିବାକୁ ପଢ଼ୁଛି। ଗାଁରେ ଅଙ୍ଗନୱାଡୀ କେନ୍ଦ୍ର କିମ୍ବା ପ୍ରାଥମିକ ବିଦ୍ୟାଳୟବି ନାହିଁ।

ଗାଁର କିଛି ପିଲା ଫୁଲବାଡ଼, କିଛି ପିଲା ଯମୁନାଗୁଡ଼ା ଓ ଆଉ କିଛି ପିଲା ଉପରକୋଲାବ ଜଳସେଚନ ପ୍ରକଳ୍ପ ବିଦ୍ୟାଳୟକୁ ଯାଇ ପାଠ ପଢ଼ୁଛନ୍ତି। ବର୍ଷା ଦିନରେ ଏହି ପିଲା ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡ୍ରେନ ନଥିବାରୁ ବର୍ଷା ହେବା ମାତ୍ରକେ ଘର ଗୁଡିକରେ ପାଣି ପଶୁଛି। ଏମାନେ ଘର କରି ରହୁଥିବା ଜମିର ମାଲିକାନା ତଥା ସତ୍ତ୍ବ ଏମାନଙ୍କ ନାଁରେ ନଥିବାରୁ କେତେବେଳେ ବି ଏହାର ମାଲିକ ଥିବା ଜଙ୍ଗଲ ଓ ରାଜସ୍ବ ବିଭାଗ ସେମାନଙ୍କୁ କୌଣସି ମୁହୁର୍ତ୍ତରେ ଉଠାଇବା ସମ୍ଭାବନାକୁ ନେଇ ଭୟରେ ରହିଥିବା କହିଛନ୍ତି ଦେବେନ୍ଦ୍ର ଚେଟ୍ଟି, ସୋନିଆ ମୁଦୁଲୀ ସୁକାନ୍ତ ଜାନୀ ଏବଂ ଶୁଭନ ଜାନୀ । ଗାଁର ତୁରନ୍ତ କିସମ ପରିବର୍ତ୍ତନ ଦିଗରେ ଜିଲ୍ଲାପ୍ରଶାସନ ଓ ରାଜ୍ୟସରକାର ଦୃଷ୍ଟି ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।