ୟୁ-ଟର୍ଣ୍ଣ କଲେ; ଦ୍ବନ୍ଦ୍ବ ବଢ଼ାଇଲେ, ଡିଏସ୍‌ଏସ୍‌ଓଙ୍କୁ ଆମେ ଭୁଲ୍‌ ରିପୋର୍ଟ ଦେଇଥିଲୁ: ସିଡିଏମ୍‌ଓ

ନୟାଗଡ଼ : ନୟାଗଡ଼ରେ କରୋନା ମୃତକଙ୍କ ସଂଖ୍ୟା ଚାପିଦେବା ପାଇଁ ଆଉ ଏକ ଆଳ ନେଇଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ। ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ (ସିଡିଏମ୍‌ଓ) କହିଛନ୍ତି ଯେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ(ଡିଏସ୍‌ଏସ୍‌ଓ)ଙ୍କୁ ଯେଉଁ ରିପୋର୍ଟ ଦିଆଯାଇଥିଲା, ତାହା ଠିକ୍‌ ନୁ‌ହେଁ। ଅର୍ଥାତ୍‌ ଯେଉଁ ରିପୋର୍ଟ ଦିଆଯାଇଥିଲା, ତାହା ଭୁଲ୍‌ ଥିଲା। କରୋନାରେ ମୃତ୍ୟୁ ଭଳି ଏକ ସମ୍ବେଦନଶୀଳ ଘଟଣାରେ ସରକାରୀ ଅଧିକାରୀମାନେ କିଭଳି ଭୁଲ୍‌ ରିପୋର୍ଟ ପ୍ରଦାନ କରିବେ, ତାହା ଏକ ବଡ଼ପ୍ରଶ୍ନ। ତା’ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ହେଉଛି, ମୃତକଙ୍କ ସମ୍ପର୍କରେ ପ୍ରକୃତ ଚିତ୍ରକୁ ଲୁଚେଇବା ପାଇଁ ଏହିଭଳି କୁହାଯାଉନି ତ? ସତକୁ ଲୁଚାଇବା ପାଇଁ ଆଳ ଖୋଜୁ ନାହାନ୍ତି ତ? ଜିଲ୍ଲା ପ୍ରଶାସନ ଏମିତିକରି ସତକୁ ଚାପିଦେବା ପାଇଁ ଉଦ୍ୟମ କରୁଥିବା ନେଇ ଚର୍ଚ୍ଚା ହେଉଛି।

ନୟାଗଡ଼ ଜିଲ୍ଲା‌ ଚାନ୍ଦପୁର କୋଭିଡ୍‌ ହସ୍ପିଟାଲ ମୃତକଙ୍କ ସଂଖ୍ୟା ପଦାରେ ପଡ଼ିବାପରେ ଏହାକୁ ନେଇ ଚର୍ଚ୍ଚା ହୋଇଥିଲା। ଗତ ୧୦ ତାରିଖରୁ ‘ସମ୍ବାଦ’ରେ ଲଗାତାର ଏ ନେଇ ଖବର ପ୍ରକାଶ କରିଆସୁଛି। ଯାହାକୁ ନେଇ ରାଜ୍ୟରେ ମଧ୍ୟ ହଇଚଇ ସୃଷ୍ଟି ହେବା ସହିତ ପ୍ରଦେଶ କଂଗ୍ରେସ କମିଟି ମଧ୍ୟ ସରକାରଙ୍କୁ ଘେରିଥିଲା। ଖବର ପ୍ରକାଶ ପରେ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡ଼ୁ, ସିଡିଏମ୍‌ଓ ଡା. ଶକ୍ତିପ୍ରସାଦ ମିଶ୍ରଙ୍କ ଉପରେ ପ୍ରବଳ ଚାପ ସୃଷ୍ଟି ହୋଇଥିଲା। ଜିଲ୍ଲାପାଳ ଡ. ଟୁଡ଼ୁ, କରୋନା ମୃତକଙ୍କ ଅଡିଟ୍‌ ହୋଇନାହିଁ, ଡିଏସ୍‌ଏସ୍‌ଓଙ୍କୁ ଦିଆଯାଇଥିବା ରିପୋର୍ଟ ଚୂଡ଼ାନ୍ତ ନୁହେଁ ବୋଲି କହିଥିଲେ। କିନ୍ତୁ ସିଡିଏମ୍‌ଓଙ୍କ ରିପୋର୍ଟରେ ଏହି ୯୬ ଜଣଙ୍କ ମୃତ୍ୟୁ ଚାନ୍ଦପୁର କୋଭିଡ୍‌ ହସ୍ପିଟାଲରେ ଘଟିଥିଲା, ଏଥିରେ ସ୍ପଷ୍ଟ ଭାବେ କୋଭିଡ୍‌ ମୃତକଙ୍କ ସମ୍ପର୍କରେ ମୃତ୍ୟୁ ତାରିଖଠାରୁ ଆରମ୍ଭ କରି ସମୟ ସବୁକିଛି ଲେଖାଯାଇଛି। ବିନା ଅଡିଟ୍‌ରେ କ’ଣ ସିଡିଏମ୍‌ଓ ଏତେ ସ୍ପଷ୍ଟ ରିପୋର୍ଟ ଦେଇଥିଲେ? ଗତ ୭ ତାରିଖରେ ଖୋଦ୍‌ ସିଡିଏମ୍‌ଓ ଚାନ୍ଦପୁର‌ରେ ୧୧୭ ‌କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବା ସ୍ବୀକାର କରିଥିଲେ। ଉକ୍ତ ୧୧୭ ଜଣଙ୍କ ମଧ୍ୟରୁ ୯୬ ମୃତ୍ୟୁ ନୟାଗଡ଼ ଜିଲ୍ଲାର ବୋଲି ସିଡିଏମ୍‌ଓ ରିପୋର୍ଟ ପଠା‌ଇଥିବା ଡିଏସ୍‌ଏସ୍‌ଓ ପ୍ରଭାତ ସାହୁ କହିଥିଲେ। ଉକ୍ତ ତାରିଖ ସୁଦ୍ଧା କିନ୍ତୁ ନୟାଗଡ଼ରେ କରୋନାର ଦ୍ବିତୀୟ ଲହରରେ ମାତ୍ର ୯ଟି ମୃତ୍ୟୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ୯ ନା ୯୬, ନୟାଗଡ଼ରେ ବାସ୍ତବ ମୃତ୍ୟୁ ସଂଖ୍ୟା କେତେ ବୋଲି ସଂଶୟ ସୃଷ୍ଟି ହୋଇଥିଲା।

ଖୋଦ୍‌ ସିଡିଏମ୍‌ଓ ଡା. ଶକ୍ତିପ୍ରସାଦ ମିଶ୍ରଙ୍କ ଦସ୍ତଖତରେ ଏହା ପ୍ରଦାନ କରାଯାଇଥିବାବେଳେ ବର୍ତ୍ତମାନ ଶ୍ରୀ ମିଶ୍ର ଜନସ୍ବାସ୍ଥ୍ୟ ଅଧିକାରୀ(ପିଏଚ୍‌ଓ)ଙ୍କୁ ଦୋଷ ଠେଲି ଦେଇଛନ୍ତି। ସେ କହିଛନ୍ତି, ‘ ଭୁଲ୍‌ରେ ଏହି ରିପୋର୍ଟ ପିଏଚ୍‌ଓ ମତେ ଦେଇଥିଲେ, ମୁଁଏହାକୁ ଡିଏସ୍‌ଏସ୍‌ଓଙ୍କୁ ଦେଇଥିଲି।’ ‘ ଉକ୍ତ ୯୬ ଜଣ କରୋନା ମୃତକଙ୍କ ମଧ୍ୟ‌ରେ ଅନ୍ୟ ଜିଲ୍ଲାର ଲୋକ ମଧ୍ୟ ରହିଥିଲେ। ହିସାବ ଭୁଲ୍‌ଭାଲ୍‌ କାରଣରୁ ଏଭଳି ରିପୋର୍ଟ ଦିଆଯାଇଥିଲା। ଆମେ ଏବେ ରାଜ୍ୟ ସରକାରଙ୍କୁ ଅଡିଟ୍‌ କରି ଠିକ୍‌ କରୋନା ମୃତକଙ୍କ ସଂଖ୍ୟା ପଠାଇ ଦେଇଛୁ,’ ବୋଲି ସିଡିଏମ୍‌ଓ ଶ୍ରୀ ମିଶ୍ର କହିଛନ୍ତି। ସତ ଜଣାପଡ଼ିବା ପରେ ଏହାକୁ ଖୋଡ଼ାଇବା ପାଇଁ ସିଡିଏମ୍‌ଓ ଆଉ ଏକ ଆଳ ନେଇଛନ୍ତି ବୋଲି ଏବେ ସାଧାରଣରେ ଚର୍ଚ୍ଚା ହୋଇଛି।

ସମ୍ବନ୍ଧିତ ଖବର