କରୋନା ସଂକ୍ରମିତ ଗର୍ଭବତୀ ମହିଳାଙ୍କର ସଫଳ ଚିକିତ୍ସା, ଟ୍ୱିଟ୍ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି : କୋଭିଡ୍ ସଂକ୍ରମଣ ନେଇ ସାରା ରାଜ୍ୟରେ ଏବେ ଭୟର ବାତାବରଣ। ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମିତଙ୍କୁ ସଫଳ ଚିକିତ୍ସା କରିବାରେ କରୋନା ଯୋଦ୍ଧାଙ୍କ ନିଷ୍ଠାର କରାଯାଉଛି ପ୍ରଶଂସା। ମାଲକାନଗିରି ଜିଲ୍ଲାର ଏକ ଖବର ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ମାଲକାନଗିରି ଜିଲ୍ଲା କୋଭିଡ୍ ହସପିଟାଲରେ ଜଣେ କରୋନା ସଂକ୍ରମିତ ଗର୍ଭବତୀ ଭର୍ତ୍ତି ହେବା ପରେ ମେଡିକାଲ କର୍ତ୍ତୃପକ୍ଷ ସମ୍ପୃକ୍ତ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଚିକିତ୍ସା ବ୍ୟବସ୍ଥା କରିବା ସହ ତାଙ୍କର ପ୍ରସବ କରାଯାଇଥିଲା। ମହିଳା ଜଣକ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ନବଜାତ ଶିଶୁକନ୍ୟାର ମଧ୍ୟ ସ୍ବାବ୍ ସଂଗ୍ରହ କରି ପରୀକ୍ଷା କରାଯାଇଥିଲା। ହେଲେ ଶିଶୁ କନ୍ୟାର ରିପୋର୍ଟ ନେଗେଟିଭ୍ ଆସିଥିବା ଜଣାପଡ଼ିଛି। ନବଜାତ ଶିଶୁକନ୍ୟା କିନ୍ତୁ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଛି। ତେଣୁ ଏବେ ଜଣ୍ଡିସ ପାଇଁ ଚିକିତ୍ସା କରାଯାଉଥିବା ନେଇ ଏକ ଭିଡିଓ ଭାଇରାଲ ହୋଇଛି।

ବର୍ତ୍ତମାନ ମା’ ଓ ନବଜାତ ଶିଶୁକନ୍ୟାକୁ କୋଭିଡ୍ ହସପିଟାଲର ସ୍ବତନ୍ତ୍ର କଠୋରିରେ ଚିକିତ୍ସା କରାଯାଉଥିବା ନେଇ ଜିଲ୍ଲା ପ୍ରଶାସନ ଟ୍ବିଟ୍ ଯୋଗେ ଖବର ସାର୍ବଜନୀନ କରିବା ପରେ ମୁଖ୍ୟମନ୍ତ୍ରୀ ନିଜେ ଟ୍ବିଟ୍‌ କରି ଏହାର ପ୍ରଶଂସା କରିଛନ୍ତି। ସେ ଲେଖିଛନ୍ତି ଯେ ମାଲକାନଗିରି କୋଭିଡ୍ ହସପିଟାଲରେ ଜଣେ ଗର୍ଭବତୀ ମହିଳା ଓ ତାଙ୍କ ଶିଶୁର ସ୍ବତନ୍ତ୍ର ଚିକିତ୍ସା କରାଯାଉଛି। ଡାକ୍ତର ମା’ ଓ ନବଜାତକକୁ ବଞ୍ଚାଇବାରେ ସଫଳ ହୋଇଛନ୍ତି।

ସମ୍ବନ୍ଧିତ ଖବର