ଭୁବନେଶ୍ୱର: ‘‘ଆଜିର ସମୟରେ ମହିଳାମାନେ ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛନ୍ତି। ତେଣୁ ଅର୍ଥନୈତିକ ଦୃଷ୍ଟିରୁ ମହିଳାମାନେ ସ୍ୱାବଲମ୍ବୀ ହେବା ଦରକାର। ଫଳରେ ଦେଶ ତଥା ରାଜ୍ୟର ସାମଗ୍ରିକ ବିକାଶ ସମ୍ଭବପର ହୋଇପାରିବ। ଏ ଦିଗରେ ସମସ୍ତେ ମିଳିମିଶି ମହିଳାମାନଙ୍କୁ ସହଯୋଗ କରିବାର ଆବଶ୍ୟକତା ରହିଛି।’’ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ (ୟୁସିସିଆଇଏଲ୍) ‘ଲେଡିଜ୍ ଫୋରମ’ର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।
ଶନିବାର ଦିନ ଭୁବନେଶ୍ଵରସ୍ଥିତ ୟୁସିସିଆଇ ପରିସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା କ୍ଷେତ୍ରରେ ଲେଡିଜ ଫୋରମ ପକ୍ଷରୁ ନିଆଯାଉଥିବା ପଦକ୍ଷେପକୁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ପ୍ରଶଂସା କରିଥିଲେ। ସେ ଆହୁରି କହିଥିଲେ ଯେ, "ପୁରୁଷମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ନାରୀବାଦର ଅର୍ଥ ନୁହେଁ। ସେମାନଙ୍କ ସହ ଯୋଡ଼ିହୋଇ ଆପୋଷ ସହଯୋଗିତାରେ ବିଭିନ୍ନ କାର୍ଯ୍ୟ କଲେ ହିଁ ଏକ ସମୃଦ୍ଧ ତଥା ସୁନ୍ଦର ସମାଜ ଗଠନ କରିବା ସମ୍ଭବ ହୋଇପାରିବ।’’
ୟୁସିସିଆଇଏଲ୍ ଲେଡିଜ ଫୋରମର ସଭାପତି ପ୍ରଣତି ପରିଡ଼ା ଅତିଥି ଏବଂ ସଦସ୍ୟମାନଙ୍କୁ ସ୍ୱାଗତ କରିଥିଲେ। ଏଥିରେ ଭୁବନେଶ୍ୱର-ଉତ୍ତରର ପୂର୍ବତନ ବିଧାୟକ ପ୍ରିୟଦର୍ଶି ମିଶ୍ର, ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ତନ୍ଦ୍ରା ରାୟ, ଭୁବନେଶ୍ୱର ସିଟି ନଲେଜ ଇନୋଭେସନ କ୍ଲଷ୍ଟରର (ବିସିକେଆଇସି) ସିଇଓ ଡକ୍ଟର ନମ୍ରତା ମିଶ୍ର ଏବଂ ୟୁସିସିଆଇଏଲର ଭାରପ୍ରାପ୍ତ ସଭାପତି ତାରିଣୀ ପ୍ରସାଦ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
‘‘ଓଡ଼ିଶା ଏକ ସମୃଦ୍ଧ ବାଣିଜ୍ୟ ପରମ୍ପରା ପାଇଁ ପରିଚିତ। ଆଜି ଆମ ଯୁବପିଢ଼ିଙ୍କ ପାଖରେ ଅଭିନବ ଓ ଉଦ୍ଭାବନଶୀଳ ମନୋଭାବ ସହିତ ବିଶ୍ୱସ୍ତରୀୟ ଦକ୍ଷତା ମଧ୍ୟ ରହିଛି। ତେଣୁ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗକରି ଆଗାମୀକାଲିର ଉଦ୍ୟୋଗ ବିକାଶ ଲାଗି ଓଡ଼ିଶା ଏକ ପ୍ରମୁଖ କ୍ଷେତ୍ର ହୋଇପାରିବ। ବିଶେଷକରି, ସବୁ କ୍ଷେତ୍ର ଭଳି ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ମହିଳାମାନଙ୍କୁ ଆବଶ୍ୟକ ସହଯୋଗ ଓ ପ୍ରୋତ୍ସାହନ ଯୋଗାଇ ଦିଆଗଲେ ସେମାନେ ନୂଆ ଉଚ୍ଚତାକୁ ଛୁଇଁ ପାରିବେ,’’ କହିଛନ୍ତି ୟୁସିସିଆଇଏଲ୍ ଲେଡିଜ ଫୋରମର ସଭାପତି ପ୍ରଣତି ପରିଡ଼ା।
ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୪ ଜଣ ନାରୀ ପ୍ରତିଭାଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନେ ହେଲେ ଲେଖିକା ତଥା ସମାଜସେବୀ ଶୈଳଜା କୁମାରୀ ଅପରାଜିତା ମହାନ୍ତି, ଟେଲିଭିଜନ ସାମ୍ବାଦିକ ମୌସୁମୀ ମହାନ୍ତି, ରାଜ୍ୟସ୍ତରୀୟ ଭଲିବଲ କୋଚ୍ ସୁଷମା ନନ୍ଦ ଏବଂ ଦୃଷ୍ଟିବାଧିତ ଗାୟିକା ଆଶା ବାହାଦୁର ଗୁରୁମ। ଏହି ଅବସରରେ ୟୁସିସିଆଇଏଲର କର୍ମକର୍ତ୍ତାମାନଙ୍କୁ ଫୋରମ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ଫୋରମର ବାର୍ଷିକ ସ୍ମରଣିକା ‘ସିଦ୍ଧି’ ଉନ୍ମୋଚିତ ହୋଇଥିଲା। ସନସାଇନ୍ ଆନନ୍ଦ ସ୍ୱାଇଁ ତଥା ୟୁସିସିଆଇଏଲ୍ ଲେଡିଜ ଫୋରମର ଉପସଭାପତି ଶ୍ୱେତା ଦାଶ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ସେହିପରି ସମ୍ପାଦକ ଅର୍ଚ୍ଚନା ମଲ୍ଲ ବାର୍ଷିକ ବିବରଣୀ ଉପସ୍ଥାପନ ଏବଂ କୋଷାଧ୍ୟକ୍ଷ ଶ୍ୱେତପଦ୍ମା ରଥ ଧନ୍ୟବାଦ ଅର୍ପଣ କରିଥିଲେ।
ୟୁସିସିଆଇଏଲ୍ ଲେଡିଜ ଫୋରମ ପକ୍ଷରୁ ନିୟମିତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ କମ୍ପ୍ୟୁଟର, ଶୀତ ଦିନେ ବରିଷ୍ଠ ନାଗରିକମାନଙ୍କ ପାଇଁ କମ୍ବଳ ଓ ବର୍ଷାଦିନେ ସ୍ୱଚ୍ଛକର୍ମୀଙ୍କୁ ରେନକୋଟ୍ ଆଦି ବଣ୍ଟନ କରାଯାଉଛି। ସେହିପରି ଗରିବ ଓ ଅସହାୟ ଲୋକଙ୍କ ପାଇଁ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା ତଥା ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ ଆଦି କାର୍ଯ୍ୟକ୍ରମ ପାଇଁ ଫୋରମ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ଏହି କାର୍ଯ୍ୟକ୍ରମରେ ଲେଡିଜ ଫୋରମ ସହ ଉତ୍କଳ ଚାମ୍ବରର ବରିଷ୍ଠ ସଦସ୍ୟ, ରାଜ୍ୟର ପ୍ରମୁଖ ଶିଳ୍ପଦ୍ୟୋଗୀ ତଥା ଗଣମାଧ୍ୟମ ଓ ସାମାଜିକ କର୍ମୀ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/a44afaf3-c5df-497c-9cf7-a60de8b88b78.jpeg)