ଭୁବନେଶ୍ବର/ବାଲେଶ୍ବର/ ଯାଜପୁର: ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖା, ବୈତରଣୀ ଓ ଜଳକା ନଦୀର ଜଳସ୍ତର ବଢ଼ୁଛି। ସୁବର୍ଣ୍ଣରେଖା ଓ ବୈତରଣୀରେ ବନ୍ୟା ଏବେ ଉତ୍ତର ଓଡ଼ିଶାବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। ଜଳସମ୍ପଦ ବିଭାଗ ପକ୍ଷରୁ ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ପାଇଁ ହାଇଆଲର୍ଟ ଜାରି କରାଯାଇଥିବାବେଳେ ଏହି ତିନି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି। ବନ୍ୟାସ୍ଥିତିକୁ ଦେଖି ତଳିଆ ଅଞ୍ଚଳର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର,ରିଲିଫ କାର୍ଯ୍ୟ ପରିଚାଳନା କରିବାକୁ କୁହାଯାଇଛି। ଲଗାଣ ବର୍ଷା ଯୋଗୁ ବାଲେଶ୍ବର ଦେଇ ପ୍ରବାହିତ ସୁବର୍ଣ୍ଣରେଖାରେ ବଡ଼ବନ୍ୟା ଆସୁଛି। ସାଳନ୍ଦୀ ନଦୀ ଫୁଲୁଥିବା ବେଳେ ବୈତରଣୀ ନଦୀ କୂଳ ଲଂଘିବାରେ ଲାଗିଛି। ସେହିପରି, ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମଥର ପାଇଁ ଗଙ୍ଗାହାର ନଦୀରେ ବନ୍ୟା ଆସିଛି।
ସେପଟେ ପ୍ରବଳ ବର୍ଷା ଯୋଗୁ ଆଜି ସକାଳ ୧୦ଟାରେ ଗାଲୁଡିହି ବ୍ୟାରେଜ୍ର ଜଳସ୍ତର ପାଖାପାଖି ୯୧.୦୦ ମିଟରରେ ପହଞ୍ଚିଥିଲା। ଫଳରେ, ବ୍ୟାରେଜ୍ କର୍ତ୍ତୃପକ୍ଷ ୧୩ଟି ଗେଟ୍ ଖୋଲି ଦେଇଥିଲେ। ରାତି ୮ଟା ସୁଦ୍ଧା ଗାଲୁଡିହି ମୋଟ ୧୫ଟି ଗେଟ୍ ଖୋଲିଛି। ଫଳରେ ଆଜି ଅପରାହ୍ଣ ୩ଟା ସୁଦ୍ଧା ରାଜଘାଟଠାରେ ନଦୀର ଜଳସ୍ତର ୭.୫୬ ମିଟରରେ ପ୍ରବାହିତ ହେଉଥିଲା। ଆସନ୍ତାକାଲି ସକାଳ ଜଳସ୍ତର ପାଖାପାଖି ୧୧.୭ ମିଟରରେ ପହଞ୍ଚିବ ବୋଲି ଆକଳନ କରାଯାଇଥିବା କେନ୍ଦ୍ର ଜଳ ଆୟୋଗର ରାଜଘାଟସ୍ଥିତ ବନ୍ୟା ପୂର୍ବାନୁମାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସୁବର୍ଣ୍ଣରେଖାରେ ଏକ ବଡ଼ ବନ୍ୟା ଆସୁଥିବାରୁ ନଦୀର ନିମ୍ନ ଅବବାହିକା ଅଞ୍ଚଳ ଯଥା ଜଳେଶ୍ୱର, ଭୋଗରାଇ, ବାଲିଆପାଳ ଓ ବସ୍ତାର ନଦୀତଟର ଲୋକଙ୍କୁ ସତର୍କ କରି ଦିଆଯାଇଛି। ସେହିପରି, ଜଳକା ନଦୀର ଜଳସ୍ତର ବସ୍ତା ବ୍ଲକ୍ର ମଥାନୀଠାରେ ଅପରାହ୍ଣ ୩ଟାରେ ଜଳସ୍ତର ତଳକୁ ସାମାନ୍ୟ ଖସି ୭.୧୯ ମିଟରରେ ପ୍ରବାହିତ ହେଉଛି।ବସ୍ତା ଥାନା ଓ ଓପିଟିସିଏଲ୍ର ୧୩୨ କେଭି ଗ୍ରିଡ୍ ଷ୍ଟେସନ୍ ଭିତରେ ପାଣିର ସୁଅ ଚାଲିଛି। ଜଳକା ନଦୀରେ ବନ୍ୟା ଯୋଗୁଁ ବସ୍ତା ବ୍ଲକ୍ର ୪୦ରୁ ଊର୍ଦ୍ଧ୍ବ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି।
ଜଳକା ବନ୍ୟାରେ ଉବୁଟୁବୁ ୬୦ଗାଁ
ମଥାନୀ ଚଟାଣରେ ୩ ଫୁଟ ଉଚ୍ଚ ପାଣି
ବିପଦ ସଂକେତ ଉପରେ ବୈତରଣୀ
ଯାଜପୁର, ଭଦ୍ରକ ଓ ବାଲେଶ୍ବର
ଜିଲ୍ଲା ଉପରେ ସରକାରଙ୍କ ନଜର
ସାଳନ୍ଦୀରେ ବନ୍ୟା ଯୋଗୁ ଭଦ୍ରକ ଜିଲ୍ଲାର ଅନେକ ତଳିଆ ବସ୍ତି ଓ ଗାଁରେ ବନ୍ୟାଜଳ ପ୍ରବେଶ କରିଛି। ବୈତରଣୀରେ ବନ୍ୟା ଯୋଗୁ ଭଦ୍ରକ ଜିଲ୍ଲାର ୪ଟି ପଞ୍ଚାୟତର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବୈତରଣୀର ଆଖୁଆପଦା ନିକଟରେ ସତର୍କ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ବିପଦ ସଂକେତ ୧୮.୩୩ ମିଟର ରହିଛି। ଆଜି ସଂଧ୍ୟା ୬ଟା ସୁଦ୍ଧା ଏଠାରେ ଜଳସ୍ତର ବିପଦ ସଂକେତ ଉପରେ ଅର୍ଥାତ୍ ୧୮.୭୫ ମିଟର ଉଚ୍ଚରେ ପ୍ରବାହିତ ହେଉଥିଲା। ଆଜି ରାତି ଓ ଆସନ୍ତାକାଲି ସକାଳ ସୁଦ୍ଧା ବୈତରଣୀ ନଦୀର ଜଳସ୍ତର ୧୯.୦୦ ମିଟର ଛୁଇଁବ ବୋଲି ଆଶଙ୍କା କରାଯାଉଛି। ଆଜି ଆନନ୍ଦପୁରଠାରେ ବୈତରଣୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଆନନ୍ଦପୁରଠାରେ ବୈତରଣୀ ଜଳସ୍ତର ସତର୍କ ସଂକେତ ୩୭.୪୪୫ ମିଟର ଥିବାବେଳେ ବିପଦ ସଂକେତ ୩୮.୩୬୦ ମିମି ରହିଛି। ସନ୍ଧ୍ୟା ୬ଟା ସୁଦ୍ଧା ଏଠାରେ ଜଳସ୍ତର ୩୯.୧୬୦ ମିଟର ରହିଥିଲା। ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ରାସ୍ତା, ପୋଲ ଉପରେ ପାଣି ଚାଲୁଥିବାରୁ କେନ୍ଦୁଝର ଜିଲ୍ଲାର ବାଂଶପାଳ ଓ ସାହାରପଡ଼ା ବ୍ଲକ୍ର ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।
ଅନ୍ୟପକ୍ଷରେ, ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ଗୋପବନ୍ଧୁନଗର ବ୍ଲକ୍ ଦେଇ ପ୍ରବାହିତ ଗଙ୍ଗାହାର ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି। ବଡ଼ସାହିରୁ କୁଆମରାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ସେହିପରି ଗଙ୍ଗାହାରର ଶାଖାନଦୀ ନାଲୁହା ମଧ୍ୟ କୂଳ ଲଂଘିଛି। ଦେଓ ନଦୀରେ ବନ୍ୟା ଯୋଗୁ କଇଁସାରୀ ନିକଟସ୍ଥ ଜାମୁଘାଟ ଅସ୍ଥାୟୀ ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ରାସଗୋବିନ୍ଦପୁର ବ୍ଲକ୍ ଦେଇ ପ୍ରବାହିତ ଜମ୍ଭୀରା ନଦୀର ବଡ଼ାମପୁର ନିକଟରେ ପ୍ରାୟ ୭୫ ଫୁଟ ଆଡ଼ିବନ୍ଧ ଧୋଇଯାଇଛି।