‘ଉଡାନ୍’ ଯୋଜନାରେ ରାୟଗଡ଼ାକୁ ଅଣଦେଖା, ସର୍ଭେରେ ଅଟକିଛି ବିମାନ ବନ୍ଦର

ଥେରୁବାଲିରେ ରହିଛି ୧୧୦୦ ମିଟର ଲମ୍ବା ରନୱେ, ସରକାର-ଇମ୍ଫା ମିଳିତ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା

ରାୟଗଡ଼ା: ଉଡାନ୍-୩ ଯୋଜନାରେ ସର୍ଭେ ହେଲା। ଆବଶ୍ୟକ ଭିତ୍ତିଭୂମି ସହ ପୁରୁଣା ବିମାନ ବନ୍ଦର ଥିବା ଯୋଗୁଁ ଆଶା ଥିଲା ଝାରୁସୁଗୁଡ଼ା, ଜୟପୁର ଭଳି ରାୟଗଡ଼ାରୁ ଉଡ଼ିବ ବିମାନ। କିନ୍ତୁ ସର୍ଭେକୁ ଇତି ମଧ୍ୟରେ ୩ ବର୍ଷ ପୂରିଲାଣି। ଝାରସୁଗୁଡ଼ା ବିମାନ ବନ୍ଦରରୁ ଇତି ମଧ୍ୟରେ ବିମାନ ଉଡ଼ିବା ଆରମ୍ଭ କରି ସାରିଲାଣି। ସେହିପରି ଜୟପୁର ବିମାନ ବନ୍ଦର କାମ ଆଗେଇ ଚାଲିଛି। ଅଥଚ ରାଜନୈତିକ ଇଚ୍ଛାଶକ୍ତିର ଅଭାବ, କେନ୍ଦ୍ର-ରାଜ୍ୟ ସରକାରଙ୍କ ଅଣଦେଖା ଯୋଗୁଁ ରାୟଗଡ଼ା ବିମାନ ବନ୍ଦର କାର୍ଯ୍ୟ ସର୍ଭେରେ ଅଟକି ଯାଇଛି।

୧୯୬୭ ମସିହାରେ ଥେରୁବାଲିରେ ଇମ୍ଫା କାରଖାନା ପ୍ରତିଷ୍ଠା ପରେ ୧୯୭୦ ମସିହାରେ ୭୦ ଏକର ଜମିରେ ପ୍ରତିଷ୍ଠା ହୋଇଥିଲା ବିମାନ ବନ୍ଦର। ରାଜ୍ୟ ସରକାର-ଇମ୍ଫା କର୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ହୋଇଥିବା ବିମାନ ବନ୍ଦରରେ ରହିଛି ୧୧୦୦ ମିଟର ଲମ୍ବା ଓ ୩୦୦ ମିଟର ଓସାର ରନୱେ। ଇତି ମଧ୍ୟରେ ବିମାନ ବନ୍ଦରକୁ ୫୦ବର୍ଷ ପୂରିଥିବା ବେଳେ ଏହି ବିମାନ ବନ୍ଦରରେ ମୋରାରଜୀ ଦେଶାଇଙ୍କ ସମେତ, ମୁଲାୟମ ସିଂହ ଯାଦବ, ରାହୁଳ ଗାନ୍ଧୀ, ଭାରତର ରାଷ୍ଟ୍ରପତି, ଓଡ଼ିଶା ମୁଖ୍ୟମନ୍ତ୍ରୀ ଓ ବହୁ ଶିଳ୍ପପତିଙ୍କ ବିମାନ ସଫଳତାର ସହ ଓହ୍ଲାଇଛି। କେନ୍ଦ୍ର ସରକାର ଉଡାନ୍ ଯୋଜନା କାର୍ଯ୍ୟକାରୀ କରିବା ପରେ ୨୦୧୭ ଏବଂ ୨୦୧୯ ମସିହାରେ ଦୁଇ ଥର ଥେରୁବାଲି ବିମାନ ବନ୍ଦରର ସର୍ଭେ ହୋଇଛି। ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ କର୍ତୃପକ୍ଷ ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ଆସି ଏହାର ସର୍ଭେ କରିବା ସହ ଭିତ୍ତିଭୂମିକୁ ଦେଖି ଖୁସି ପ୍ରକାଶ କରିଥିଲେ। ୯ ଏବଂ ୧୭ ସିଟ୍ ବିଶିଷ୍ଟ ବିମାନ ଓହ୍ଲାଇବା ଯୋଜନାରେ କର୍ତୃପକ୍ଷ ଭିତ୍ତିଭୂମିର ବିକାଶ କରିବାକୁ ସର୍ଭେ କରିଥିଲେ। ସର୍ଭେ ସମୟରେ ଟର୍ମିନାଲ୍, ଏୟାର୍ କଣ୍ଟ୍ରୋଲ୍ ରୁମ୍, ପାର୍କିଂ ଜୋନ୍, କ୍ୟାଣ୍ଟିନ୍, ବିଶ୍ରାମ କକ୍ଷ, ଅତିଥି ଭବନ, ୮ ଫୁଟ୍ ଉଚ୍ଚତା ପାଚେରି ନିର୍ମାଣ ପାଇଁ ବର୍ତମାନ ଥିବା ୭୦ ଏକର ବାଦ୍ ଆଉ ଶହେ ଏକର ଜମି ଆବଶ୍ୟକତା ଥିବାରୁ କୋଲନରା ତହସିଲଦାରଙ୍କୁ ରାଜ୍ୟ ସରକାର ଜାଗା ଚିହ୍ନଟ ପାଇଁ ନିର୍ଦେଶ ଦେଇଥିଲେ ରାଜ୍ୟ ସରକାର। ପୁରୁଣା ବିମାନ ବନ୍ଦର ନିକଟରେ ଆବଶ୍ୟକ ସରକାରୀ ଜମି, ଗାଡି ଚଳାଚଳ ପାଇଁ ଆବଶ୍ୟକ ରାସ୍ତା, ରେଳ ସଂଯୋଗ ଭଳି ସୁବିଧା ଥିବାରୁ ଉଡ଼ାନ୍ ଯୋଜନାରେ ସାମିଲ୍ ପାଇଁ ସର୍ଭେ ଟିମ୍ ରିପୋର୍ଟ ଦେଇଥିଲା। ଯାହା ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ନିକଟରେ ପଡ଼ି ରହିଛି। ରାଜ୍ୟ ସରକାର ମଧ୍ୟ ଏ ଦିଗରେ ଆଗ୍ରହ ପ୍ରକାଶ କରୁନଥିବାରୁ ବିମାନ ବନ୍ଦର କାର୍ଯ୍ୟକ୍ଷମ ନେଇ ସନ୍ଦେହ ଉପୁଜିଛି।
ଶିଳ୍ପ ସମୃଦ୍ଧ ରାୟଗଡ଼ା ଜିଲ୍ଲା ପାଇଁ ବିମାନ ବନ୍ଦରର ଆବଶ୍ୟକତା ଥିବାରୁ ଖୁବ୍ ଶୀଘ୍ର ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଗତ କିଛି ଦିନ ତଳେ ଦସ୍ତଖତ ଅଭିଯାନ ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାବି ଜଣାଇଥିଲେ ରାୟଗଡ଼ାବାସୀ।

ଅନ୍ୟପକ୍ଷରେ ଥେରୁବାଲି ବଦଳରେ ପିତାମହଲ ନିକଟରେ ବିମାନ ବନ୍ଦର କରିବାକୁ ପ୍ରଶାସନ ଆଉ ଏକ ସୁପାରିସ କରିବା ପରେ ବିମାନ ବନ୍ଦର କର୍ତୃପକ୍ଷ ସର୍ଭେ କରିଥିଲେ। କିନ୍ତୁ ସହରର ଚତୁଃପାର୍ଶ୍ବ‌କୁ ପାହାଡ଼ ଘେରି ରହିଥିବାରୁ ସର୍ଭେ ଟିମ୍ ଏହାକୁ ସବୁଜ ସଂକେତ ଦେଇନଥିଲେ। ବହୁ ସମୟରେ ରାୟଗଡ଼ାକୁ ଆସୁଥିବା କେନ୍ଦ୍ର-ରାଜ୍ୟ ନେତୃବୃନ୍ଦଙ୍କ ବିମାନ ଓହ୍ଲାଇବା ପାଇଁ କୌଣସି ସୁବିଧା ନଥିବାରୁ ଥେରୁବାଲି ଏୟାରଷ୍ଟ୍ରିପକୁ ପୁନଃ କାର୍ଯ୍ୟକ୍ଷମ କରିବା ଲାଗି ବହୁ ଦାବି ହୋଇଛି। ମରାମତି ଅଭାବରୁ ୧୧୦୦ ମିଟର ଲମ୍ବା ରନୱେ ଏବେ ବିପଦ ସଙ୍କୁଳ ହୋଇ ପଡ଼ିଛି। କେବଳ ହେଲିକେପ୍ଟର ଓହ୍ଲାଇବା ପାଇଁ ଇମ୍ଫା କର୍ତୃପକ୍ଷ ଭିତ୍ତିଭୂମିକୁ ସଜାଡ଼ିଛନ୍ତି। ଯେଉଁଥି ପାଇଁ ୧୦ କୋଟିରୁ ଊର୍ଧ୍ବ ଟଙ୍କା ଖର୍ଚ ହୋଇଛି। ପୂରା ରନୱେ ମରାମତି ପାଇଁ ଶହେ କୋଟି ଟଙ୍କା ଆବଶ୍ୟକ ଥିବାରୁ କଂପାନି ଏ ଦିଗରେ ବିଶେଷ ଧ୍ୟାନ ଦେଉନି। ଉଡ଼ାନ୍ ଯୋଜନାରେ ବିମାନ ବନ୍ଦର କାର୍ଯ୍ୟକାରୀ କରିବାକୁ ସରକାର ନିଷ୍ପତ୍ତି ନେଲେ ସବୁ ଜାଗା ଛାଡ଼ିବାକୁ ଇମ୍ଫା କର୍ତୃପକ୍ଷ ଲିଖିତ ଭାବେ ଜଣାଇଛନ୍ତି। ଏହା ସତ୍ତ୍ବେ ରାଜନୈତିକ ଇଚ୍ଛାଶକ୍ତି ହେଉ ଅବା ସରକାରୀ ଅବହେଳା ପାଇଁ ରାୟଗଡ଼ା ବିମାନ ବନ୍ଦରର ଭାଗ୍ୟ ଫିଟି ପାରୁନି।

ବିଶାଖାପାଟଣାରେ ବନ୍ଦର ସହିତ ପଡ଼ୋଶୀ କଳାହାଣ୍ଡିରେ ବେଦାନ୍ତ କଂପାନି, କୋରାପୁଟରେ ହାଲ୍, ଦାମନଯୋଡ଼ିରେ ନାଲକୋ, ରାୟଗଡ଼ାରେ ଉତ୍କଳ ଆଲୁମିନା, ଇମ୍ଫା, ଜେକେ କାଗଜକଳ ଭଳି ବହୁ ରାଷ୍ଟ୍ରୀୟ କଂପାନି ଥିବା ବେଳେ ଆଗକୁ ବହୁ କଂପାନି ଏହି ଜିଲ୍ଲାରେ ପ୍ରତିଷ୍ଠାର ସୁଯୋଗ ରହିଛି। ଅନ୍ୟପକ୍ଷରେ ଥେରୁବାଲି-ଗୋପାଳପୁର ରେଳ କରିଡର୍ କାର୍ଯ୍ୟକ୍ଷମ ହେଲେ ଏହି ବିମାନ ବନ୍ଦରର ଗୁରୁତ୍ବ ବଢ଼ିବ। ଏହି ଦୃଷ୍ଟିରୁ କେନ୍ଦ୍ର-ରାଜ୍ୟ ସରକାର ଏଥିପ୍ରତି ବିଶେଷ ଦୃଷ୍ଟି ଦେଇ ବିମାନ ବନ୍ଦରକୁ ଉଡାନ୍ ଯୋଜନାରେ ସାମିଲ୍ କରି କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର