ତେନ୍ତୁଳିଖୁଣ୍ଟି : ଗାଁ ପାଖରେ ପର୍ଯ୍ୟାପ୍ତ କାମ ମିଳୁନି। ଯଦି ମିଳୁଛି, ମଜୁରି ମିଳିବାରେ ଅହେତୁକ ବିଳମ୍ବ ହେଉଛି। ତେଣୁ ରୋଜଗାର ପାଇଁ ପର୍ଯ୍ୟାୟକ୍ରମେ ଗାଁ ଛାଡ଼ିଲେ ପୁରୁଷ। ଏହି ସଂଖ୍ୟା କ୍ରମାଗତ ବଢ଼ି ଚାଲିବାରୁ ବର୍ତ୍ତମାନ ପୂରା ଗାଁ ହୋଇଯାଇଛି ପୁରୁଷ ଶୂନ୍ୟ। ଏବେ କେବଳ ବୃଦ୍ଧବୃଦ୍ଧା, ମହିଳା ଏବଂ ଶିଶୁ ଗାଁରେ ରହୁଛନ୍ତି। ଏମିତି ବି କିଛି ଘର ଗାଁରେ ରହିଛି ଯେଉଁଥିରେ ମାସ ମାସ ଧରି ତାଲା ଝୁଲୁଛି। ଜଣେ ବି ସଦସ୍ୟ ନଥିବା ବେଳେ ସମସ୍ତେ ଦାଦନ ଖଟିବାକୁ ଭିଟାମାଟି ଛାଡ଼ି ବାହାରେ ରହୁଛନ୍ତି। ପ୍ରାୟ ୧୫ବର୍ଷ ହେଲା ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଉଦୟପୁର ଗାଁରେ ଏମିତି ଦୃଶ୍ୟ ଦେଖିବାକୁ ମିଳୁଛି।

Advertisment

publive-image

ପ୍ରାୟ ୨ଶହ ପରିବାର ରହୁଥିବା ଉଦୟପୁର ଗାଁର ଜନସଂଖ୍ୟା ହାଜାରେ ପାଖାପାଖି। ବହୁ ବର୍ଷ ତଳେ କିଛି ଯୁବକ ରୋଜଗାର ସନ୍ଧାନରେ ଗାଁ ଛାଡ଼ିଥିଲେ। ରାଜ୍ୟ ବାହାରେ କାମ କରି ଭଲ ରୋଜଗାର କରିବା ପରେ ଗାଁକୁ ଫେରିଥିଲେ। ବାହାର ଚାକଚକ୍ୟ ସହ ଭଲ ଦୈନିକ ମଜୁରି ସଂପର୍କରେ ଅନ୍ୟମାନଙ୍କୁ କହିଲେ। ଏହାପରେ ପ୍ରତି ପରିବାରରୁ ଜଣେ ଜଣେ ଜିଲ୍ଲା ତଥା ରାଜ୍ୟ ଛାଡ଼ିବା ଆରମ୍ଭ କରିଥିଲେ। ବର୍ତ୍ତମାନ ଗାଁର ଅଢ଼େଇ ଶହରୁ ଅଧିକ ଜଣ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନ ସହ ହାଇଦ୍ରାବାଦ, ବଚେଲି, ବାଙ୍ଗାଲୁରୁ, ଦମନଯୋଡି, ସୁନାବେଡା, ଛତିଶଗଡ଼ର ନଗରନାର ଠାରେ ନିର୍ମାଣ କାମ କିମ୍ବା ଇଟାଭାଟି ଏବଂ ଫ୍ୟାକ୍ଟ୍ରିରେ କାମ କରୁଛନ୍ତି। ମୁଣ୍ଡ ଗୁଞ୍ଜିବାକୁ ଚାଳ, ଦୁଇ ବେଳା ଖାଇବା ସହ ଦୈନିକ ମଜୁରି ୫ଶହ ଟଙ୍କା ଆକର୍ଷିତ କରିବାରୁ ପୁରୁଷଙ୍କ ସହ ଗାଁର ଯୁବତୀ ମଧ୍ୟ ବାହାରକୁ ଚାଲି ଯାଇଛନ୍ତି। ଗ୍ରାମବାସୀଙ୍କ କହିବା ହେଲା ଗାଁର ପ୍ରାୟ ୩୦ପ୍ରତିଶତ ପୁରୁଷ ବିଭିନ୍ନ ସ୍ଥାନରେ ରହୁଛନ୍ତି। ଗାଁ ଛାଡ଼ିଥିବା ସମସ୍ତ ଯୁବକ, ଯୁବତୀ ଓ ପୁରୁଷଙ୍କ ବୟସ ୧୮ରୁ ୪୫ବର୍ଷ ମଧ୍ୟରେ ହେବ। ଯାହାଫଳରେ ଏବେ ବୃଦ୍ଧବୃଦ୍ଧା ଏବଂ ମହିଳାମାନେ ଗାଁକୁ ଜଗି ରହିଛନ୍ତି। ପୂରା ଗାଁରେ ବୁଲିଲେ ୭ରୁ ଅଧିକ ଘରେ ତାଲା ଝୁଲୁଥିବା ମଧ୍ୟ ଦେଖିବାକୁ ମିଳିବ।

ଗାଁର ବାସିନ୍ଦା ଧରଣୀଧର ସିଂଙ୍କ କହିବା ହେଲା, ଆଖପାଖ ଅଞ୍ଚଳରେ କାମ ମିଳୁଥିଲେ ବି ପ୍ରଚୁର ରୋଜଗାର ପାଇଁ ଅଧିକାଂଶ ପୁରୁଷ ଏବେ ଗାଁ ବାହାରେ ରହୁଛନ୍ତି। ନିର୍ବାଚନ କିମ୍ବା ଯାନୀଯାତ୍ରା ଖବର ପାଇଲେ ସମସ୍ତେ ‌ଗାଁକୁ ଫେରୁଛନ୍ତି। ପ୍ରତିବର୍ଷ ଚାଷ ସମୟରେ ବି ମାଲିକକୁ କହି କିଛି ମାସ ପାଇଁ ଗାଁକୁ ଫେରୁଛନ୍ତି। ଧାନ କଟା ସରିବା ପରେ ପୁଣି ନିଜ ନିଜ କାର୍ଯ୍ୟସ୍ଥଳକୁ ଫେରି ଯାଉଛନ୍ତି। ମାଲିକଙ୍କ ସହ ଏତେମାତ୍ରାରେ ବିଶ୍ବସ୍ତ ହୋଇଯାଇଛନ୍ତି ଯେ, ବର୍ଷରେ ପ୍ରାୟ ୪ରୁ ୬ମାସ ପର୍ଯ୍ୟନ୍ତ ଗାଁରେ ରହିଲେ ସୁଦ୍ଧା ଫେରିବା ପରେ ପରେ ପୁଣି କାମରେ ନିୟୋଜିତ କରୁଛନ୍ତି।