ଉଦଳା-୧: ଦିନବେଳା ବୁଲି ବୁଲି ଘରଗୁଡିକ ଉପରେ ନଜର ରଖୁଥିଲେ। ଆଉ ବିଳମ୍ବିତ ରାତିରେ କାନ୍ଥରେ ସିନ୍ଧି ଖୋଳି ଲୁଟ୍ କରୁଥିଲେ। କେବଳ ସେତିକି ନୁହେଁ, ସିସିଟିଭିରେ ଧରାନପଡ଼ିବା ପାଇଁ ମୁଖା ପିନ୍ଧୁଥିଲେ ଦୁର୍ବୃତ୍ତ। ଯୋଜନାବଦ୍ଧ ଭାବେ ଲୁଟପାଟ୍ କରୁଥିବା ଅନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗ୍‌ର ୪ ଜଣ ସଦସ୍ୟଙ୍କୁ ଗିରଫ କରିଛି ଉଦଳା ପୁଲିସ୍।

Advertisment

ସୂଚନା ଅନୁଯାୟୀ, ଗତକାଲି ବିଳମ୍ୱିତ ରାତିରେ ଉଦଳା-ରାଢୋ ରାସ୍ତାର ବରବାଡି କେନାଲ୍ ନିକଟରେ ୫ ଜଣ ଯୁବକ ଡକାୟତି ଯୋଜନା କରୁଥିଲେ। ଖବର ପାଇ ଉଦଳା ଥାନା ଏସ୍‌ଆଇ ସରୋଜ କୁମାର ଜେନାଙ୍କ ନେତୃତ୍ୱରେ ପୁଲିସ୍‌ର ଏକ ଟିମ୍ ସେଠାରେ ଚଢାଉ କରିଥିଲା। ଘଟଣାସ୍ଥଳରୁ ୪ ଜଣ ଯୁବକଙ୍କୁ ପୁଲିସ୍ ଗିରଫ କରିଥିବା ବେଳେ ଜଣେ ଲୁଟେରା ଖସି ପଳାଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଭଦ୍ରକ ଟାଉନ୍‌ ଥାନା ରାଣ୍ଡେ ଗ୍ରାମର ଚଣା ମୁଣ୍ଡା ଓରଫ୍‌ ବୁଟୁ (୨୦), ଗବସାହି ଗ୍ରାମର ବାପୁନ ସିଂ (୨୧), ଭଦ୍ରକ ଗ୍ରାମାଞ୍ଚଳ ଥାନା ସରପୁର ଗ୍ରାମର ରାଜା ମୁଣ୍ଡା (୧୯) ଓ ଭଣ୍ଡାରୀପୋଖରୀ ଥାନା ଖତୁପୁର ଗ୍ରାମର ଚଗୁଲୁ ମୁଣ୍ଡା (୧୯)। ପୁଲିସ୍ ସେମାନଙ୍କ ପାଖରୁ ୩ଟି ବାଇକ୍, ୫ଟି ମୋବାଇଲ୍, ଚୋରିରେ ବ୍ୟବହୃତ ଶାବଳ, କଟିଂ ମେସିନ୍ ଆଦି ଜବତ କରିଛି।

ଉପଖଣ୍ଡ ପୁଲିସ୍ ଅଧିକାରୀ ସାର୍ଥକ ରାୟଙ୍କ କହିବା ମୁତାବକ, ଅଭିଯୁକ୍ତମାନେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝର ଜିଲ୍ଲାରେ ଏକାଧିକ ଡକାୟତି, ଲୁଟ୍ ମାମଲାରେ ସମ୍ପୃକ୍ତ। ଏଥିସହିତ ନିକଟରେ ଉଦଳାର ଏକ ମଦ ଦୋକାନରୁ ଲକ୍ଷାଧିକ ଟଙ୍କା ଲୁଟ୍ ଓ ଡିହିରାକୁଳ ଅଞ୍ଚଳର ଏକ ଚୋରି ମାମଲାରେ ଏମାନେ ସାମିଲ୍ ଥିଲେ। ଏ ନେଇ ଅଧିକ ତଦନ୍ତ ଜାରି ରହିଥିବା ବେଳେ କେସ୍ ନଂ ୭୨/୨୩ରେ ଏକ ମାମଲା ରୁଜୁ କରି ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ୍।