ଉଦଳା‌ ହାଜତ ମୃତ୍ୟୁ: ୩୦ ଲକ୍ଷ କ୍ଷତିପୂରଣ, ବିଚାର ବିଭାଗୀୟ ତଦନ୍ତ ଦାବି

ଉଦଳା-୧: ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ମନ୍ଦାରପୁର ଅଞ୍ଚଳର ପ୍ରଦୀପ କୁମାର ଦାସ (୩୮) ଗତ ୭ ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲା ଉଦଳା ପୁଲିସ ହେପାଜତ‌ରେ ଥିବା ବେଳେ ସନ୍ଦେହଜନକ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ଗତକାଲିଠାରୁ ରେମୁଣା ଓ ଉଦଳାରେ ଉତ୍ତେଜନା ଲାଗିରହିଛି। ପୁଲିସ ମାଡ଼ରେ ପ୍ରଦୀପଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକ ସିଧାସଳଖ ଅଭିଯୋଗ ଆଣିଛନ୍ତି। ଏ ନେଇ କେନ୍ଦୁଝର ଜିଲ୍ଲା ଶାଳଣିଆ ସୋଲପଟା ଅଞ୍ଚଳର ମାନବାଧିକାର କର୍ମୀ ହିମାଂଶୁ ଶେଖର ନାୟକ ଆଜି ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ମାମଲା ଦାଏର କରିଛନ୍ତି। ପୁଲିସର ନିର୍ଯାତନାରେ ପ୍ରଦୀପଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଥିବାରୁ ଏହା ମାନବାଧିକାରର ଉଲ୍ଲଂଘନ କରୁଛି।

ତେଣୁ କମିଶନ ତୁରନ୍ତ ଏଥିରେ ହସ୍ତ‌କ୍ଷେପ କରିବାକୁ ସେ ଅପିଲ୍‌ କରିଛନ୍ତି। ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ, ଘଟଣାର କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ, ମାମଲାରେ ସମ୍ପୃ୍କ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା, ‌ଶବ ବ୍ୟବଚ୍ଛେଦ ସମୟର ଭିଡିଓଗ୍ରାଫି କରିବା, ୭ ତାରିଖର ଗିରଫଦାରୀଠାରୁ ନେଇ ୮ ତାରିଖର ମୃତ୍ୟୁ ଯାଏ ସମସ୍ତ ଘଟଣା ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ଏବଂ ଉଦଳା ପୁଲିସ ଷ୍ଟେସନ୍‌ ଡାଏରୀ ଦାଖଲ ପାଇଁ କମିଶନ ନିର୍ଦ୍ଦେଶ ଦେବାକୁ ସେ ନିବେଦନ କରିଛନ୍ତି। ଏପଟେ ଏହି ମାମଲାକୁ ନେଇ ପୁଲିସ ହରଡ଼ଘଣାରେ ପଡ଼ିବା ପରେ ଏସ୍‌ପିଙ୍କ ନିର୍ଦ୍ଦେଶରେ ବେତନଟୀ ଏସ୍‌ଡିପିଓ ସୁଦର୍ଶନ ଦାସ ଗତକାଲି ଠାରୁ ଉଦଳାକୁ ଯାଇ ତଦନ୍ତ ଚଳାଇଛନ୍ତି। ଆଜି ଶ୍ରୀ ଦାସ ଉଦଳା ଥାନାର ସମସ୍ତ କର୍ମଚାରୀଙ୍କୁ ଜଣଜଣ କରି ଘଟଣା ବାବଦରେ ପଚରାଉଚରା କରିବା ସହ ସେମାନଙ୍କ ବୟାନ ରେକର୍ଡ କରିଛନ୍ତି। ସନ୍ଧ୍ୟାରେ ଏସ୍‌ପି ଋଷିକେଷ ଦ୍ୟାନ‌ଦେଓ ଖିଲାରୀ ନିଜେ ଉଦଳା‌ ଥାନାରେ ପହଞ୍ଚି ଘଟଣା ଛାନ୍‌ଭିନ୍‌ କରୁଛନ୍ତି। ହାଜତ ମୃତ୍ୟୁ ନୁହେଁ ବରଂ ଶାରୀରିକ ଅସୁସ୍ଥତା ପାଇଁ ପ୍ରଦୀପଙ୍କ ମୃତ୍ୟୁ ଘଟିଥିବା କଥା ବାରମ୍ବାର ଦୋହରାଇଛନ୍ତି ଉଦଳା ଥାନା ଅଧିକାରୀ ନିରୋଜ କୁମାର ସାମଲ।

ଉଦଳା ପୁଲିସର କହିବା ଅନୁଯାୟୀ; ଗତ ୭ ତାରିଖରେ ବଡ଼ସାହି ପୁଲିସ ରେମୁଣା ଥାନା ଅଞ୍ଚଳର ଜଗା ସିଂ (୨୫) ଓ ଶ୍ରୀକାନ୍ତ ଜେନା (୩୩) ନାମକ ୨ ଜଣ ବାଇକ୍ ଚୋରଙ୍କୁ ଧରିଥିଲା। ତେବେ ଉଦଳା ଥାନା ଅଞ୍ଚଳରେ ଗତ ୬ ମାସରେ ୧୦ରୁ ଅଧିକ ବାଇକ୍‌ ଲୁଟ୍‌ ହୋଇଥିବାରୁ ଏଥିରେ ଉକ୍ତ ଅଭିଯୁକ୍ତ ଦ୍ବୟଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରି ବଡ଼ସାହି ପୁଲିସ ସହ ଯୋଗାଯୋଗ କରିଥିଲା ଉଦଳା ପୁଲିସ। ସେହିଦିନ ଅପରାହ୍ନରେ ଉଦଳା ଥାନା ଅଧିକାରୀ ଶ୍ରୀ ସାମଲଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ବଡ଼ସାହି ଥାନାରେ ପହଞ୍ଚି ଜଗା ଓ ଶ୍ରୀକାନ୍ତଙ୍କୁ ଜେରା କରିଥିଲା।

ଏହି ଜେରା ବେଳେ ଉଦଳା ଏନ୍‌ଏସି ଅଞ୍ଚଳର ଏକ ଗହଣା ଚୋରି ଘଟଣାର ସିସିଟିଭି ଫୁଟେଜ୍‌ ଦେଖାଇ ଏଥିରେ ଥିବା ଅଭିଯୁକ୍ତଙ୍କୁ ଚିହ୍ନିଛ କି ବୋଲି ପଚାରିଥିଲା ପୁଲିସ। ସିସିଟିଭିରେ ଥିବା ବ୍ୟକ୍ତି ରେମୁଣା ମନ୍ଦାରପୁର ଅଞ୍ଚଳର ପ୍ରଦୀପ ଦାସ ଏବଂ ସେ ବାଲେଶ୍ବର ଗ୍ରାମ୍ୟ ଜଳସେଚନ ବିଭାଗରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ପୁଲିସକୁ କହିଥିଲେ ଜଗା ଓ ଶ୍ରୀକାନ୍ତ। ସେହିଦିନ ସନ୍ଧ୍ୟା ପ୍ରାୟ ୭ଟା ସମୟରେ କ୍ଷୀରଚୋରା ଗୋପୀନାଥ ମନ୍ଦିର ନିକଟରୁ ପ୍ରଦୀପଙ୍କୁ ଗିରଫ କରିଥିଲା ଉଦଳା ପୁଲିସ।

ଜାତୀୟ ମାନବାଧିକାର କମିଶନ୍‌ରେ ମାମଲା

ଥାନାରେ ଏସ୍‌ପିଙ୍କ ପଚରାଉଚରା 

ଅସୁସ୍ଥତା ପାଇଁ ମୃତ୍ୟୁ କଥା ଦୋହରାଇଲେ ଥାନା ଅଧିକାରୀ

କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ ପାଇଁ ନିବେଦନ

ପରେ ରେମୁଣା ଥାନାକୁ ସୂଚନା ଦେଇ ପ୍ରଦୀପଙ୍କୁ ନେଇ ରାତି ପ୍ରାୟ ୯ଟା ୩୦ ସମୟରେ ଉଦଳା ଫେରିଥିଲା। ଗିରଫ ବେଳେ ପ୍ରଦୀପଙ୍କ ସ୍ୱାସ୍ଥ୍ୟ ଠିକ୍ ଥିଲା ଓ ସେ ରାତ୍ରିଭୋଜନ କରିଥିଲେ ବୋଲି ପୁଲିସ କହୁଛି। ପରଦିନ ୧୦ଟା ସମୟରେ ଗହଣା ଚୋରି ଅଭିଯୋଗ କରିଥିବା ଉଦଳା ଏନ୍‌ଏସି ୱାର୍ଡ ନଂ ୫ର ନିରଞ୍ଜନ ସାହୁଙ୍କ ପତ୍ନୀ ଥାନାରେ ପହଞ୍ଚି ପ୍ରଦୀପଙ୍କୁ ଚିହ୍ନଟ କରିଥିଲେ। ପ୍ରଦୀପ ନିଜ ଦୋଷ ସ୍ୱୀକାର କରିବା ସହିତ ନିଜ ସହଯୋଗୀ ଏବଂ ଚୋରି ଗହଣା କିଣିଥିବା ଜୁଏଲାର୍ସର ଠିକଣା ଦେଇଥିଲେ। ସେହି ଅଭିଯୁକ୍ତମାନଙ୍କୁ ଧରିବାକୁ ପୁଲିସ ଯୋଜନା ବି କରୁଥିଲା। ତେବେ ଏହି ସମୟରେ ଦିନ ପ୍ରାୟ ୧.୪୫ ସମୟରେ ହଠାତ୍‌ ତାଙ୍କ ଛାତିରେ ଯନ୍ତ୍ରଣା ହେଉଥିବା ପ୍ରଦୀପ କହିଥିଲେ। ‌ତାଙ୍କୁ ତୁରନ୍ତ ଉଦଳା ଡାକ୍ତରଖାନା ନିଆଯାଇଥିଲା ଓ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା କହୁଛି ପୁଲିସ।

ସୂଚନାଯୋଗ୍ୟ; ଗତକାଲି ପ୍ରଦୀପଙ୍କ ମୃତ୍ୟୁ ଖବର ପାଇ ମନ୍ଦାରପୁର ଗ୍ରାମର ଶତାଧିକ ଲୋକ ଉଦଳା ଥାନା ଘେରଉ କରିଥିଲେ। ପ୍ରଦୀପଙ୍କ ମା’ ଓ ପରିବାର ଲୋକ ରେମୁଣା ଥାନାରେ ପହଞ୍ଚି ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ଏହାକୁ ନେଇ ଉଭୟ ଥାନାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଅତିରିକ୍ତ ଜିଲ୍ଲାପାଳ ପ୍ରଭାତ କୁମାର ମହାପାତ୍ରଙ୍କ ଉପସ୍ଥିତିରେ ଗତକାଲି ରାତି ୧୦ଟାରେ ତରବରିଆ ଭାବେ ଶବ ବ୍ୟବଚ୍ଛେଦ କରାଯାଇ ରାତି ପ୍ରାୟ ୧୧ଟା ସମୟରେ ମୃତଦେହ ଗାଁ’କୁ ପଠାଇ ଦେଇଥିଲା ପୁଲିସ। ଏଥିସହ ରେଡ୍‌କ୍ରସ୍ ପକ୍ଷରୁ ମୃତକଙ୍କ ପରିବାରକୁ ୨୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା।

ପୁଲିସର ମନଗଢ଼ା କାହାଣୀ: ପ୍ରଦୀପଙ୍କ ପରିବାର

ତେବେ ପୁଲିସ ସମ୍ପୂର୍ଣ୍ଣ ମନଗଢ଼ା କଥା କହୁଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକ। ମୃତକଙ୍କ ପତ୍ନୀ ଓ ସମ୍ପର୍କୀୟ ଭାଇ ରାଧାକାନ୍ତ ଦାସଙ୍କ ଅଭିଯୋଗ ଅନୁଯାୟୀ ତାଙ୍କୁ ମିଛ ମାମଲାରେ ଫସାଇ ଗିରଫ କରିଥିଲା ପୁଲିସ। ଏ ନେଇ ପରିବାର ଲୋକଙ୍କୁ ଖବର ବି ଦିଆଗଲାନି। ଥାନାରେ ନିର୍ଘାତ ମାଡ଼ ମାରିବା ପରେ ମୃତ୍ୟୁ ଘଟିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ଏଥିସହ ପ୍ରଦୀପଙ୍କ ଦେହସାରା କ୍ଷତଚିହ୍ନ ଥିବା ଅଭିଯୋଗ କରିଛନ୍ତି ରାଧାକା‌ନ୍ତ। ପ୍ରଦୀପଙ୍କ ଚିକିତ୍ସା କରିଥିବା ଡାକ୍ତରଙ୍କ କହିବା ଅନୁଯାୟୀ ଡାକ୍ତରଖାନା ଆଣିବା ବେଳକୁ ପ୍ରଦୀପ ଚେତାଶୂନ୍ୟ ଥିଲେ। ତୁରନ୍ତ ଅକ୍ସିଜେନ୍‌ ଲଗାଯିବା ସହ ତାଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା। ସ୍ଥିତି ସଙ୍କଟାପନ୍ନ ଥିବାରୁ ପ୍ରଦୀପଙ୍କ ଶରୀର କୌଣସି ଚିକିତ୍ସା ଗ୍ରହଣ କରି ନଥିଲା ଏବଂ ୧୫ ମିନିଟ୍‌ ଭିତରେ ଶ୍ବାସକ୍ରିୟା ବନ୍ଦ ହୋଇ ଯାଇଥିଲା।

ତେବେ ଏସିଡ୍‌, ଗ୍ୟାସ୍‌ ପାଇଁ ଦେହ ଅସୁସ୍ଥ ହେବା ପରେ ହୃଦ୍‌ଘାତରେ ପ୍ରଦୀପଙ୍କ ମୃତ୍ୟୁ ଘଟିଥାଇ ପାରେ ବୋଲି ଡାକ୍ତର କହିଛନ୍ତି। ଯେହେତୁ ମୃତକ ଜଣକ ପେଶାଦାର ଅପରାଧୀ ନୁହନ୍ତି ଏବଂ ସୁସ୍ଥ ସାମାଜିକ ଜୀବନ ଅତିବାହିତ କରୁଥିଲେ; ତାଙ୍କୁ ପୁଲିସ ହଠାତ୍‌ ଗିରଫ କରିବା ଏକ ମାନସିକ ଝଟ୍‌କା ଦେଇଥିବ। ପୁଲିସର ଜେରା ଓ ମାନସିକ ଅବସାଦ ହୃଦ୍‌ଘାତର କାରଣ ହୋଇଥାଇ ପାରେ ବୋଲି ସେ କହିଛନ୍ତି। ତେବେ ପ୍ରଦୀପଙ୍କ ଛାତି ଯନ୍ତ୍ରଣା ଆରମ୍ଭ ହେବା ପରେ ସେ ଏ ନେଇ ପୁଲିସକୁ କହିଥିଲେ। ପୁଲିସ ମିଛ ବୋଲି କହି ତାତ୍ସଲ କରିଥିବା ଚର୍ଚ୍ଚା ହେଉଛି। ସେ ଚେତାଶୂନ୍ୟ ହେବା ଯାଏ ପୁଲିସ କ’ଣ ପାଇଁ ଅପେକ୍ଷା କରି ରହିଥିଲା ବୋଲି ଅଭିଯୋଗ ହେଉଛି। ତେଣୁ ଏହି ମାମଲାର କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ ସହ ମୃତକଙ୍କ ପତ୍ନୀଙ୍କୁ ଚାକିରି ପାଇଁ ଦାବି କରିଛନ୍ତି ମନ୍ଦାରପୁର ଗ୍ରାମବାସୀ।

ସମ୍ବନ୍ଧିତ ଖବର