ଭୁବନେଶ୍ବର : ଉଡାନ୍-୩ ଯୋଜନା ପାଇଁ ଶୁକ୍ରବାର ବିଡିଂ ପ୍ରକ୍ରିୟା ଶେଷ ହୋଇଛି। ଏଥିରେ ୧୧୧ଟି ରୁଟ୍ରେ ବିମାନ ସେବା ଆରମ୍ଭ କରିବା ପାଇଁ ବିଭିନ୍ନ ବିମାନ ଉଡ଼ାଣକାରୀ ସଂସ୍ଥା ଆଗ୍ରହ ଦେଖାଇଛନ୍ତି। ଏଥିରେ ଓଡ଼ିଶାର ୧୦ଟି ରୁଟ୍ ଅଛି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଓ ରାଉରକେଲାରୁ ୯ଟି ରୁଟ୍ରେ ବିମାନ ଉଡ଼ାଣ ପାଇଁ ବିଭିନ୍ନ ବିମାନ କମ୍ପାନି ଆଗ୍ରହ ଦେଖାଇଥିବାବେଳେ ଉତ୍କେଲା ଓ ଜୟପୁରରୁ ବିମାନ ଉଡ଼ାଣ ପାଇଁ ଗୋଟିଏ ରୁଟ୍ରେ ଗୋଟିଏ ସଂସ୍ଥା ଆଗ୍ରହ ଦେଖାଇଛି।
ଜାନୁଆରି ୭ତାରିଖରେ କେଉଁ ସଂସ୍ଥା କେଉଁ ରୁଟ୍ରେ ବିମାନ ଉଡ଼ାଣ କରିବ ସେନେଇ ଘୋଷଣା ହେବ। ଏହାସହ ବିମାନ ଉଡ଼ାଣ ସୂଚୀକୁ ଡିଜିସିଏ ଅନୁମୋଦନ ପାଇଁ ପଠାଯିବ। ସମସ୍ତ ପ୍ରକ୍ରିୟା ଶେଷ କରି ଜାନୁଆରି ଶେଷ ସୁଦ୍ଧା ଏହି ସମସ୍ତ ଏୟାରଷ୍ଟ୍ରିପ୍ରୁ ବିମାନ ଉଡ଼ାଣ କରିବାକୁ ନିଷ୍ପତ୍ତି ହୋଇଛି।
ସୂଚନାଯୋଗ୍ୟ ଯେ, ଝାରସୁଗୁଡ଼ା ବିମାନବନ୍ଦରରୁ ଉଡାନ୍ ଯୋଜନାରେ ଏୟାର ଓଡ଼ିଶା ବିମାନ ସେବା ଆରମ୍ଭ କରିଥିଲେ ହେଁ ଉଡ଼ାଣରେ ଅନିୟମିତତା ହେବାରୁ ଏହାର ଉଡ଼ାଣ ଲାଇସେନ୍ସ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବାତିଲ୍ କରିଦେଇଥିଲା।
ସେହିପରି ରାଉରକେଲା ବିମାନବନ୍ଦରକୁ ବର୍ତ୍ତମାନ ସୁଦ୍ଧା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଲାଇସେନ୍ସ ପ୍ରଦାନ କରିନି। ଉତ୍କେଲା ଓ ଜୟପୁର ବିମାନ ବନ୍ଦର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇନି କି ଏହାକୁ ଲାଇସେନ୍ସ ମିଳିନି। ତେଣୁ ଉଡାନ୍-୩ ଯୋଜନା ଏହି ସବୁ ବିମାନବନ୍ଦରରେ ସଫଳ ହେବା ନେଇ ଏବେଠୁ ଆଶଙ୍କା ସୃଷ୍ଟି ହେଲାଣି।