ଝାରସୁଗୁଡ଼ା : ଝାରସୁଗୁଡ଼ାରେ ଏକ ନୂତନ ବସ୍ ଟର୍ମିନାଲ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଥିଲା ୭ କୋଟି। ଏହା ଅଧାପନ୍ତରିଆ ହୋଇ ପଡ଼ିଛି। ୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ଟିଆଇସି ପ୍ରକଳ୍ପ ଖତ ଖାଉଛି। ୫୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଲା ମୁଖ୍ୟ ଚିକତ୍ସାଳୟ। ଏହା ମଧ୍ୟ ସଫଳ ହେଲାନାହିଁ। କଲ୍ୟାଣ ମଣ୍ଡପ, ସଂସ୍କୃତି ଭବନ ଏପରି ଅନେକ ପ୍ରକଳ୍ପ ଝାରସୁଗୁଡ଼ାରେ ନିର୍ମାଣ ହୋଇଛି। ମାତ୍ର କୌଣସି ନା କୌଣସି କାରଣ ଯୋଗୁଁ ଏହା ଜନସାଧାରଣଙ୍କ କାମରେ ଆସୁନାହିଁ। ସେପରି ଏକ ବୃହତ ପ୍ରକଳ୍ପ ହେଉଛି ଝାରସୁଗୁଡ଼ା ଠାରେ ନିର୍ମିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର। ଉଦ୍ଘାଟନ ପର ଠାରୁ ଏହା ଅଚଳ ହୋଇ ପଡ଼ିଛି। ମାତ୍ର ୫ ଦିନ ଅନିୟମିତ ବିମାନ ସେବା ପରେ ଠପ୍ ହୋଇଯାଇଛି ବିମାନ ବନ୍ଦର।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟର ଦ୍ବିତୀୟ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟରେ ଏକ ରାଜିନାମା ସ୍ବାକ୍ଷରିତ ହୋଇଥିଲା। ବିମାନ ବନ୍ଦରରେ ୨୧୦ କୋଟି ଟଙ୍କା ବ୍ୟୟ ହୋଇଥିବା ବେଳେ ରାଜ୍ୟ ସରକାର ଏଥିରେ ୭୫ କୋଟି ସହିତ ମାଗଣା ୧୧୮.୭୫ ଏକର ଜମି ଯୋଗାଇ ଦେଇଥିଲେ। ଏହା ବ୍ୟତୀତ ରାଜ୍ୟ ସରକାର ୫୨ ଜଣ ସୁରକ୍ଷା କର୍ମୀ, ଫାୟାର ମ୍ୟାନ୍, ପାରିପାର୍ଶ୍ବିକ ସୁରକ୍ଷା କର୍ମୀ ଓ ଆଣ୍ଟି ହାଇଜାକିଙ୍ଗ୍ ସ୍କ୍ବାଡ ଯୋଗାଇ ଦେଇଛନ୍ତି। ରାଜ୍ୟ ସରକାର ବିମାନ ବନ୍ଦରକୁ ୫ ବର୍ଷ ପାଇଁ ନିରବଛିନ୍ନ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ ମାଗଣାରେ ଯୋଗାଇ ଦେଇଛନ୍ତି।
୧୦୨୭.୫ ଏକର ଜମିରେ ଥିବା ଏହି ବିମାନ ବନ୍ଦରର ଭିତ୍ତିଭୂମି ବିକାଶ ସହିତ ୨୩୯୦ ମିଟର (୭୮୪୦ ଫୁଟ୍) ଦୈର୍ଘ୍ୟ ଏବଂ ୪୫ ମିଟର ପ୍ରସ୍ଥ (୧୫୦ ଫୁଟ୍) ରନୱେ’, ଦୁଇଟି ଏ-୩୨୦ ପ୍ରକାରର ବିମାନ ପାର୍କିଂ ପାଇଁ ଆପ୍ରନ୍, ଆଇସୋଲେସନ ୱେ, ନୂଆ ଟେକ୍ନିକାଲ ବ୍ଳକ ତଥା କଣ୍ଟ୍ରୋଲ ଟାୱାର, ଫାୟାର ଷ୍ଟେସନ୍ କାଟାଗୋରି ୭, ଏମଟି ୱାର୍କସପ୍ ଏବଂ ଆବଶ୍ୟକ ନାଭିଗେସନାଲ ଏବଂ ଭିଜୁଆଲ ଏଡ଼୍ ସହିତ ନୂତନ ଟର୍ମିନାଲ ବିଲଡ଼ିଂ ନିର୍ମାଣ କରାଯାଇଛି। ଏଥିରେ ୪ ହଜାର ବର୍ଗଫୁଟର ଟର୍ମିନାଲ, ଅଧିକ ଗହଳି ସମୟରେ ୩୦୦ ଲୋକ ଯାତାୟାତ ପାଇଁ ବ୍ୟବସ୍ଥା, ୫ଟି ଚେକ୍ଇନ୍ କାଉଣ୍ଟର, ଗୋଟିଏ ଆରାଇଭାଲ କ୍ୟାରୋସେଲ, ୧୦୦ କାର୍, ୫ଟି ବସ୍ ଓ ୧୫ଟି ଭିଆଇପି ଗାଡ଼ି ପାର୍କିଂ ପାଇଁ ବ୍ୟବସ୍ଥା ରହିଛି। ଏହା ବ୍ୟତୀତ ଆହୁରି ଅନେକ ବ୍ୟବସ୍ଥା କରାଯାଇଛି।
ଗତ ସେପ୍ଟମ୍ବର ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଠାକୁ ଆସି ବିମାନ ବନ୍ଦର ସହିତ ଉଡ଼ାନ୍ ଯୋଜନାର ଶୁଭାରମ୍ଭ କରିଥିଲେ। ଉଦ୍ଘାଟନ ପରେ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଓଡ଼ିଶା ମାତ୍ର ୫ ଦିନ ଏଠାରୁ ଭୁବନେଶ୍ବର ଓ ରାୟପୁର ମଧ୍ୟରେ ବିମାନ ସେବା ଦେଇ ବନ୍ଦ ହୋଇ ଯାଇଥିଲା। ଦୀର୍ଘ ମାସ ହେଲା ଏହି ବିମାନ ବନ୍ଦର ଅଚଳ ହୋଇ ପଡ଼ିଛି। ବିମାନ ସେବା କେବେ ଓ କିଭଳି ଆରମ୍ଭ ହେବ ସେ ନେଇ କେହି କିଛି କହି ପାରୁନାହାନ୍ତି।
ନିକଟରେ ସେବା ଯୋଗାଇବାରେ ବିଫଳ ହୋଇଥିବା ଏୟାର ଓଡ଼ିଶାର ଲାଇସେନ୍ସକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ରଦ୍ଦ କରି ଦେଇ ନୂ୍ଆ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛି। ବିମାନ ବନ୍ଦରରୁ ବିମାନ ଉଡ଼ୁନଥିବା ବେଳେ ଏଠାରେ ବିଭିନ୍ନ ପଦସ୍ଥ ଅଧିକାରୀ, ଏୟାର ଟ୍ରାଫିକ କଣ୍ଟ୍ରୋଲର, ସୁରକ୍ଷା କର୍ମଚାରୀ, ବୈଷୟିକ କର୍ମଚାରୀ ବସି ବସି ଦରମା ନେଉଛନ୍ତି। ଗତ ଦୁଇ ମାସ ମଧ୍ୟରେ ପ୍ରଶାସନ ପକ୍ଷରୁ ୧୬ ଲକ୍ଷ ଟଙ୍କା ବିଦ୍ୟୁତ ଦେୟ ୱେସକୋକୁ ପ୍ରଦାନ କରି ସାରିଲେଣି। ପାନୀୟ ଜଳ ସହିତ କର୍ମଚାରୀଙ୍କ ଦରମାରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଗଲାଣି। ମାତ୍ର ବିମାନ ଉଡ଼ିବାର ନାଁ ନାହିଁ।