ଭୁବନେଶ୍ୱର : ସେପ୍ଟେମ୍ବର ଶେଷ ସୁଦ୍ଧା ଓଡ଼ିଶାର ୪ଟି ଏୟାରଷ୍ଟ୍ରିପରୁ ‘ଉଡାନ୍’ ଯୋଜନାରେ ବିମାନ ସେବା ଆରମ୍ଭ କରିବାକୁ କୁହାଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ କାହିଁକି ବିମାନ ସେବା ଆରମ୍ଭ ହେଲାନି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦୁଇଟି ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି।
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଆଞ୍ଚଳିକ ସଂଯୋଗ ଯୋଜନାରେ ଓଡ଼ିଶାର ଝାରସୁଗୁଡ଼ା, ରାଉରକେଲା, ଜୟପୁର ଓ ଉତକେଲାକୁ ବିମାନ ସେବା ଆରମ୍ଭ ହେବାର ଥିଲା। ଏଥିପାଇଁ ବିଡିଂ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଏୟାର ଓଡ଼ିଶା ଓ ଏୟାର ଡେକାନ ବିମାନ ସେବା ଆରମ୍ଭ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଚୁକ୍ତି ଅନୁଯାୟୀ ସେପ୍ଟେମ୍ବର ୩୦ସୁଦ୍ଧା ବିମାନ ସେବା ଆରମ୍ଭ କରିବାର ଥିଲା। କିନ୍ତୁ ଅକ୍ଟୋବର ପ୍ରଥମ ସପ୍ତାହ ସୁଦ୍ଧା ବିମାନ ସେବା ଆରମ୍ଭ ହୋଇପାରିଲାନି। ନିର୍ଦ୍ଧାରିତ ସମୟ ମଧ୍ୟରେ କାହିଁକି ବିମାନ ସେବା ଆରମ୍ଭ କଲେନି ବୋଲି ଏବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ଏହାର ଉତ୍ତର ଯଥା ଶୀଘ୍ର ଜଣାଇବାକୁ କୁହାଯାଇଛି।
ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏୟାର ଓଡ଼ିଶା ଦେଶର ୫୦ଟି ରୁଟ୍ ଏବଂ ଏୟାର ଡେକାନ୍ ୩୪ଟି ରୁଟ୍ରେ ଉଡାନ ଯୋଜନାରେ ବିମାନ ସେବା ଆରମ୍ଭ କରିବାକୁ ବିଡିଂ ପାଇଛି। କିନ୍ତୁ ନିର୍ଦ୍ଧାରିତ ସମୟରେ ଏହି ଦୁଇଟି କମ୍ପାନି ବିମାନ ସେବା ଆରମ୍ଭ କରିନାହାନ୍ତି। ତେଣୁ ସେମାନଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, କ’ଣ ସର୍ତ୍ତ ରଖାଯିବ ସେନେଇ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ। ଉଡାନ ଯୋଜନାରେ କିପରି ସମସ୍ତ ଏୟାରଷ୍ଟ୍ରିପରୁ ବିମାନ ଉଡ଼ାଣ ଆରମ୍ଭ ହେବ ସେନେଇ ଖୁବ୍ ଶୀଘ୍ର ଏକ ବୈଠକ ବସିବ। ଏଥିରେ ବିମାନ କମ୍ପାନି, ବିମାନବନ୍ଦର କର୍ତ୍ତୃପକ୍ଷ, ଡିଜିସିଏ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ପ୍ରତିନିଧିମାନେ ଯୋଗଦେବେ। ବିମାନ କମ୍ପାନି କାହିଁକି ଉଡ଼ାଣ ଆରମ୍ଭ କରିନାହାନ୍ତି, ଡିଜିସିଏ ଅନୁମତି ଦେଇଛି କି ନାହିଁ, ଯଦି ଦେଇନି କାହିଁକି ଦେଇନି, ଏୟାରଷ୍ଟ୍ରିପଗୁଡ଼ିକରେ କ’ଣ ସମସ୍ୟା ରହିଛି ସେ ବିଷୟରେ ଆଲୋଚନା ହେବ। ଏହାପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।
ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଦୁଇଟି ଯାକ ବିମାନ କମ୍ପାନି ମନ୍ତ୍ରଣାଳୟକୁ ଜଣାଇଛନ୍ତି ଯେ, ସେମାନେ ୬ଟି ବିଚ୍କ୍ରାଫ୍ଟ ବି-୧୯୦୦ଡି କିଣି ସାରିଛନ୍ତି। ଏହି ୧୯ସିଟ୍ ବିଶିଷ୍ଟ ବିମାନଗୁଡ଼ିକ ଖୁବ୍ ଶୀଘ୍ର ଉଡ଼ାଣ ଆରମ୍ଭ କରିବ। ଡିଜିସିଏ ଓ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଅସହଯୋଗରୁ ବିମାନ ସେବା ଆରମ୍ଭ ହୋଇପାରିନଥିବା ବିମାନ କମ୍ପାନିଗୁଡ଼ିକ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଜଣାଇଛନ୍ତି।