ସେପ୍ଟେମ୍ବର ସରିଲା, ଉଡ଼ାଣ ହୋଇପାରିଲାନି

୪ ବିମାନବନ୍ଦରର ଭିତ୍ତିଭୂମି ପ୍ରସ୍ତୁତ ହୋଇପାରିଲାନି, ଡିଜିସିଏ ଅନୁମତି ମିଳିନି

ଭୁବନେଶ୍ୱର : ସେପ୍ଟେମ୍ବର ମାସରୁ ରାଜ୍ୟର ୪ଟି ସହରରୁ ‘ଉଡାନ’ ଯୋଜନାରେ ଅନ୍ତଃରାଜ୍ୟ ବିମାନ ସେବା ଆରମ୍ଭ ହେବ ବୋଲି କେନ୍ଦ୍ର ବେସାମରିକ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା ହୋଇଥିଲା। ଏଥିପାଇଁ ବି ବିଡିଂ ପ୍ରକ୍ରିୟା ଶେଷ ହୋଇଛି। କିନ୍ତୁ ଅକ୍ଟୋବର ଆରମ୍ଭ ହୋଇ ଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ ବିମାନ ଉଡ଼ାଣ ଆରମ୍ଭ ହୋଇପାରିଲାନି। ରାଜ୍ୟ ସରକାର ଭିତ୍ତିଭୂମି ଯୋଗାଇବାରେ ବିଳମ୍ବ କରିବାରୁ ଏହି ଯୋଜନା ଏବେ ସୁଦ୍ଧା ଆରମ୍ଭ ହୋଇପାରିଲାନି।

କେବଳ ରାଜ୍ୟ ସରକାର ଭିତ୍ତିଭୂମି ଯୋଗାଇ ନାହାନ୍ତି ତାହା ନୁହେଁ, ଭିତ୍ତିଭୂମି ବାହନା ଦେଖାଇ ବିମାନ ଉଡ଼ାଣ କମ୍ପାନି ଏବେ ସୁଦ୍ଧା ଆବଶ୍ୟକୀୟ ବିମାନ କିଣି ନଥିବାବେଳେ ଡିଜିସିଏ ବି ବିମାନ ସେବା ଆରମ୍ଭ କରିବା ପାଇଁ ଆବଶ୍ୟକୀୟ ଅନୁମତି ଦେଇନାହିଁ।

ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏୟାର ଓଡ଼ିଶା ଓ ଏୟାର ଡେକାନ ରାଜ୍ୟର ୪ଟି ବିମାନବନ୍ଦର ରାଉରକେଲା, ଝାରସୁଗୁଡ଼ା, ଜୟପୁର ଓ ଉତକେଲାକୁ ଭୁବନେଶ୍ୱରରୁ ବିମାନ ସେବା ଆରମ୍ଭ କରିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ହେଁ ସିଡ୍ୟୁଲ କମ୍ୟୁଟର ଅପରେଟରର୍ସ ଅନୁମତି ପାଇନାହାନ୍ତି। ଡିଜିସିଏ ନିକଟରେ ଅନୁମତି ପାଇଁ ଦୁଇଟି ବିମାନ କମ୍ପାନି ଆବେଦନ କରିଥିବାବେଳେ ଏ ପର୍ଯ୍ୟନ୍ତ ଅନୁମତି ପାଇନାହାନ୍ତି। ଏହାବ୍ୟତୀତ ଏହି ଚାରିଟି ବିମାନବନ୍ଦରରେ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇବାକୁ ଆଉ କିଛି ଦିନ ଲାଗିବ। ତେଣୁ ଉଡାନ ଯୋଜନରେ ବିମାନ ସେବା ଆରମ୍ଭ କରିବାକୁ ଆଉ ପ୍ରାୟ ଦୁଇ ମାସ ସମୟ ଲାଗିବ ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।

ସେହିପରି ଆସନ୍ତା ଅକ୍ଟୋବରର ଶେଷ ଶନିବାର ଠାରୁ ବିମାନଗୁଡ଼ିକ ଶୀତକାଳୀନ ସୂଚୀ ଅନୁଯାୟୀ ବିମାନ ଉଡ଼ାଣ କରିବାକୁ ଥିବାରୁ ଏବେ ଏହାର ସବିଶେଷ ସୂଚୀ ଡିଜିସିଏ ନିକଟରେ ଆବେଦନ କରିବାକୁ କୁହାଯାଇଛି। ଶୀତକାଳୀନ ସୂଚୀ ଅନୁମୋଦନ ପାଇଲେ ଏହା ଅନୁଯାୟୀ ଉଡ଼ାଣ ଆରମ୍ଭ ହେବ। ଏଥିପାଇଁ ବିମାନ ସେବା ଯୋଗାଇବାକୁ ଥିବା ସଂସ୍ଥାଗୁଡ଼ିକ ସେମାନଙ୍କ ଉଡ଼ାଣ ସୂଚୀ ଅନୁମୋଦନ କରିବାକୁ ହେବ। ଏହାକୁ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିବା ପରେ ଏନ୍‌ଓସି ପ୍ରଦାନ କରାଯିବ।
ଉଡାନ ଯୋଜନାରେ ବିମାନ ସେବା ଆରମ୍ଭ କରିବାକୁ ଥିବା ଏୟାର ଓଡ଼ିଶାର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଭିନ୍ନ ରୁଟ୍‌ରେ ବିମାନ ଉଡ଼ାଣ ପାଇଁ ୧୯ସିଟ୍‌ ବିଶିଷ୍ଟ ବିମାନ ଆସିବ। ବର୍ତ୍ତମାନ ସୁଦ୍ଧା ଦକ୍ଷିଣ ଆଫ୍ରିକାରୁ ଗୋଟିଏ ବିମାନ ଆସିଥିବାବେଳେ ଖୁବ୍‌ ଶୀଘ୍ର ବାକି ବିମାନ ଆସିବ। ଆମେ ଉଡ଼ାଣ ପାଇଁ ପ୍ରସ୍ତୁତ ଅଛୁ ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଉଡାନ ଯୋଜନାରେ ପ୍ରତି ଟିକେଟ ମୂଲ୍ୟ ସର୍ବାଧିକ ୨୫୦୦ଟଙ୍କା ରହିବ। ବିମାନ ଉଡ଼ାଣ ସଂସ୍ଥାଗୁଡ଼ିକୁ ରାଜ୍ୟ ଓ କେନ୍ଦ୍ର ସରକାର ଆବଶ୍ୟକୀୟ ସବ୍‌ସିଡି ଦେବେ।

 

ସମ୍ବନ୍ଧିତ ଖବର