ଉଦ୍ଧବ ହତ୍ୟାକାଣ୍ଡର ପର୍ଦାଫାସ: ଛଦ୍ମବେଶୀ ମହନ୍ତ ଗିରଫ

ନିଜ ସ୍ତ୍ରୀକୁ ମଧ୍ୟ ହତ୍ୟା କରିଥିଲେ, ୪ ବର୍ଷ ହେଲା ବାବା ବେଶରେ ଥିଲେ

ଗଁଦିଆ : ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ମନ୍ଦାର ଗ୍ରାମ ନିକଟ ଶ୍ରୀ ଚୈତନ୍ୟ ବ୍ରାହ୍ମଣୀ ମଠଠାରେ ଗତ ୯ ତାରିଖରେ ସଂଘଟିତ ଉଦ୍ଧବ ପାତ୍ର ହତ୍ୟାକାଣ୍ଡର ପର୍ଦାଫାସ ହୋଇଛି। ଏଥିରେ ଉକ୍ତ ମଠର ପୂଜକ ବାବା ଦାଶରଥି ବେହେରା ସମ୍ପୃକ୍ତ ଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ଅଭିଯୁକ୍ତ ବାବାଙ୍କୁ ପୁଲିସ ଶୁକ୍ରବାର ଦିନ କୋର୍ଟଚାଲାଣ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ, ବାବା ଦାଶରଥି ୨୦୧୧ ମସିହାରେ ଭୁବନରେ ନିଜ ପତ୍ନୀକୁ ହତ୍ୟା କରି ସେଠାକାର ପୁଲିସ ଆଖିରେ ଧୂଳିଦେଇ ଫେରାର ଥିଲେ। ଏହାପରେ ସେ ନିଜକୁ ଜଣେ ବାବା ଭାବେ ସଜାଇ ୪ ବର୍ଷ ଧରି ଏହି ପୀଠରେ ଆତ୍ମଗୋପନ କରିଥିଲେ। ଭୁବନ ଏନ୍‌ଏସି ୱାର୍ଡ ନମ୍ବର ୧୪ର ବିଶ୍ୱନାଥ ପାତ୍ରଙ୍କ ପୁଅ ଉଦ୍ଧବ (୩୨) ଜଣେ କବାଡ଼ିବାଲା । ଉଦ୍ଧବ ଯେତେବେଳେ ବେପାର ପାଇଁ ଭୁବନରୁ ଗଁଦିଆ ଅଞ୍ଚଳକୁ ଆସୁଥିଲେ ସେ ସାଥୀରେ ରାସନ ସାମଗ୍ରୀ ଉକ୍ତ ମଠ ଦେଉଥିଲେ। ଉଦ୍ଧବ ବେପାର ସାରି ଘରକୁ ଫେରିବା ବେଳେ ସେଠାରେ ଖାଦ୍ୟ ଖାଇ ଘରକୁ ଯାଉଥିଲେ। ବାବା ଦାଶରଥି ମଦ୍ୟପାନ କରୁଥିବା ଓ ପାଦରେ ଚପଲ ପିନ୍ଧି ମଠକୁ ଆସୁଥିବା ବ୍ୟକ୍ତି ମାନଙ୍କୁ ବିରୋଧ କରୁଥିଲେ। ତେବେ ଉଦ୍ଧବ ମଝିରେ ମଝିରେ ମଦ୍ୟପାନ କରି ସେଠାକୁ ଆସୁଥିବାରୁ ବାବା ଏହାକୁ ବିରୋଧ କରୁଥିଲେ।

ବୁଧବାର ସକାଳେ ଉଦ୍ଧବ ମଦ୍ୟପାନ କରି ସେଠାକୁ ଆସିଥିଲେ। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ଓ ମାରପିଟ ହୋଇଥିଲା। ଏହାପରେ ଉଦ୍ଧବ ନିଜ ମୋପେଡ୍‌ରେ ଆସି ବସୁଥିବା ସମୟରେ ବାବା ଏକ ଲୁହା ପାଇପ୍‌ ଓ ନିଜ କମଣ୍ଡଳରେ ତାଙ୍କ ମୁଣ୍ଡକୁ ଜୋରରେ ପ୍ରହାର କରିଥିଲେ। ଘଟଣାସ୍ଥଳରେ ଉଦ୍ଧବଙ୍କ ମୃତ୍ୟୁ ହୋଇଥିଲା। ଉଦ୍ଧବଙ୍କ ମୃତ୍ୟୁ ଘଟିଥିବା ଜାଣିବା ପରେ ବାବା ତାଙ୍କ ମୃତଦେହର ମୁଣ୍ଡ ପାଖରେ କିଛି ମେଟାଲ୍ ରଖି ଦେଇଥିଲେ। ବାବା ଏଠାରେ ଛଦ୍ମବେଶରେ ରହୁଥିବା ଖବର ମଧ୍ୟ ମୃତ ଉଦ୍ଧବ ଜାଣିଥିଲେ। ମୃତ ଉଦ୍ଧବଙ୍କ ବାପା ବିଶ୍ୱନାଥ ଘଟଣା ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଘଟଣାର ତନାଘନା‌ କରିଥିଲା। ଏଥିରେ ବାବା ଦୋଷୀ ବୋଲି ଜଣାପଡିଲା ପରେ ପୁଲିସ ପକ୍ଷରୁ ତାଙ୍କୁ ପଚରାଉଚୁରା କରାଯାଇଥିଲା।

ସମ୍ବନ୍ଧିତ ଖବର