କପ୍ତିପଦା (ସୁଶାନ୍ତ ମହାନ୍ତି) : ମୟୂରଭଞ୍ଜ ଜିଲ୍ଲା ଉଦଳା ନିର୍ବାଚନମଣ୍ଡଳୀରେ ଟିକେଟ୍ ଆଶାୟୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଗଲାଣି। ପୋଷ୍ଟ, ବ୍ୟାନର୍, ବିଜ୍ଞାପନ ମାଧ୍ୟମରେ ଶୁଭେଚ୍ଛା ବାର୍ତ୍ତା ଦେଇ ନିଜ ଉପସ୍ଥିତି ଜାହିର କରୁଛନ୍ତି। ଏମିତିକି ଦିନକାଳେ ଦେଖା ନଥିବା କିଛି ନେତା ମଧ୍ୟ ଏଥିରେ ସାମିଲ ହେଲେଣି। ଉଦଳାର ବର୍ତ୍ତମାନ ବିଧାୟକ ଅଛନ୍ତି ବିଜେପିର ବରିଷ୍ଠ ନେତା ଭାସ୍କର ମଢ଼େଇ। ବିଧାନସଭାକୁ ୩ ଥର ନିର୍ବାଚିତ ହୋଇଥିବା ଭାସ୍କରଙ୍କ ରାଜନୈତିକ ଅଭିଜ୍ଞତା ହେଉଛି ତାଙ୍କର ସବୁଠୁ ବଡ଼ ଅସ୍ତ୍ର। ତାଙ୍କ ଦଳୀୟ ଆନୁଗତ୍ୟକୁ ନେଇ ଦଳର କିଛି ନେତା ପୂର୍ବରୁ ଖୋଲାଖୋଲି ପ୍ରଶ୍ନ କରିଛନ୍ତି। ନିକଟରେ ଉଦଳାରେ ଆୟୋଜିତ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ଶ୍ରୀ ମଢ଼େଇ ରାଜ୍ୟ ସରକାର ଓ ୫-ଟି ଅଧୀନରେ କାର୍ଯ୍ୟକାରୀ ବିକାଶମୂଳକ ଯୋଜନାକୁ ପ୍ରଶଂସା କରିଥିଲେ। ଏହାକୁ ନେଇ ବିଜେପି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଭାସ୍କରଙ୍କ ଏହି ବୟାନବାଜି ତାଙ୍କ ପାଇଁ କଣ୍ଟା ହୋଇପାରେ। ଦଳ କୌଣସି ମହିଳା ନେତ୍ରୀଙ୍କୁ ପ୍ରାର୍ଥୀ କରିବାକୁ ଚାହିଲେ ସବୁଠୁ ଆଗରେ ରହିବେ ଉଦଳା ଏନ୍ଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡା। ଗତ ପୌର ନିର୍ବାଚନରେ ପ୍ରତ୍ୟକ୍ଷ ଲଢ଼େଇରେ ସେ ଅଧ୍ୟକ୍ଷା ନିର୍ବାଚିତ ହୋଇଥିଲେ। ତେଣୁ ତାଙ୍କ ନାଁ ଉପରେ ଶୀର୍ଷ ନେତୃତ୍ବ ବିଚାରବିମର୍ଶ କରୁଛନ୍ତି।
୨୦୧୯ରେ ଭାସ୍କରଙ୍କ ପାଖରୁ ପରାସ୍ତ ହୋଇଥିବା ଶ୍ରୀନାଥ ସୋରେନ୍ ଟିକେଟ୍ ରେସ୍ରେ ଆଗରେ ଅଛନ୍ତି। ପ୍ରଫେସର ଡ. ମନୋରଞ୍ଜନ ମଲ୍ଲିକ ତାଙ୍କ ବାଟ ଓଗାଳି ପାରନ୍ତି। ଦଳ ୩୩ ପ୍ରତିଶତ ଆସନ ସଂରକ୍ଷଣ ନୀତିକୁ କାର୍ଯ୍ୟକାରୀ କଲେ ଉଦଳାରେ ମହିଳାଙ୍କୁ ପ୍ରାର୍ଥୀ କରାଯିବା ସମ୍ଭାବନା ଅଧିକ। ଉଦଳା ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷା ତଥା ବିଜେଡି ଜିଲ୍ଲା ମହିଳା ମୋର୍ଚ୍ଚା କାର୍ଯ୍ୟକାରୀ ସଭାପତି ସବିତା ହାଁସଦା ମଧ୍ୟ ଟିକେଟ୍ ଆଶାରେ ଅଛନ୍ତି। ଭୁବନେଶ୍ୱରର ପୂର୍ବତନ ଡେପୁଟି ମେୟର ଭାରତୀ ସିଂଙ୍କୁ ବି ରାଜନୈତିକ ସଭାସମିତିରେ ଖେିବାକୁ ମିଳୁଛି। ଉପର ମହଲରେ ତାଙ୍କର ଭଲ ସମ୍ପର୍କ ଥିବାରୁ ତାଙ୍କ ନାମ ବି ଚର୍ଚ୍ଚାରେ। ଅନ୍ୟପଟେ କଂଗ୍ରେସ ଓ ଜେଏମ୍ଏମ୍ରୁ ଏକାଧିକ ଆଶାୟୀ ଥିଲେ ମଧ୍ୟ ଦଳର ସାଙ୍ଗଠନିକ ଶକ୍ତି ଦୁର୍ବଳ। ତେଣୁ ବିଜେପି-ବିଜେଡି ମଧ୍ୟରେ ସିଧାସଳଖ ଲଢ଼େଇ ସମ୍ଭାବନା ଅଧିକ।