ଯୁକ୍ତ୨ ପରୀକ୍ଷା ଫଳ ବାହାରିନି, ୟୁଜି ନାମଲେଖା ହେଲାଣି

ଚିନ୍ତାରେ ସିବିଏସ୍‌ଇ ଦଶମ ଓ ଦ୍ବାଦଶ ପରୀକ୍ଷାର୍ଥୀ, ଏବେ ନାମଲେଖା ପ୍ରକ୍ରିୟା ନ କରିବାକୁ ୟୁଜିସିର ନିର୍ଦେଶ

ଭୁବନେଶ୍ବର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ବିଳମ୍ବ ହେବ। ଜୁଲାଇ ଶେଷ କିମ୍ବା ଅଗଷ୍ଟ ପ୍ରଥମ ସପ୍ତାହ ବେଳକୁ ଉଭୟ ଶ୍ରେଣୀର ରେଜଲ୍ଟ ପ୍ରକାଶ ପାଇବ। ଏମିତିକି ଆହୁରି ବିଳମ୍ବ ହୋଇପାରେ। ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଆଜି ଦେଶର ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷମାନଙ୍କୁ ଲେଖାଯାଇଥିବା ଚିଠିରୁ ଏଭଳି ସଙ୍କେତ ମିଳିଛି। ଓଡ଼ିଶା ସମେତ ଆଉ କିଛି ରାଜ୍ୟର ବୋର୍ଡଗୁଡ଼ିକ ଦଶମ ପରୀକ୍ଷା ଫଳ ପ୍ରକାଶ କରିଛନ୍ତି ଏବଂ ଯୁକ୍ତ୨ ମୂଲ୍ୟାୟନ ପ୍ରକ୍ରିୟା ଜାରି ରଖିଛନ୍ତି। ଏଭଳି ସ୍ଥିତିରେ ଦେଶର କିଛି ବିଶ୍ବବିଦ୍ୟାଳୟ ୟୁଜି(ସ୍ନାତକ) ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। କେତେକ ବିଶ୍ବବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ତାରିଖ ଘୋଷଣା କରିଛନ୍ତି। ଯାହାକୁ ନେଇ ଉଚ୍ଚଶିକ୍ଷା ଲାଭ କରିବାକୁ ଚାହୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏନେଇ ପରୀକ୍ଷାର୍ଥୀ ସିବିଏସ୍‌ଇର ଦୃଷ୍ଟି ଆକର୍ଷଣ କରିବା ପରେ ସିବିଏସ୍‌ଇ ପକ୍ଷରୁ ୟୁଜିସିର ହସ୍ତକ୍ଷେପ ଲୋଡ଼ାଯାଇଥିଲା।

ୟୁଜିସି ପକ୍ଷରୁ କୁହାଯାଇଛି ଯେ କୋଭିଡ୍‌-୧୯ ସଂକ୍ରମଣକୁ ନଜରରେ ରଖି ସିବିଏସ୍‌ଇ ଦୁଇଟି ପରୀକ୍ଷା ଯଥା ଟର୍ମ-୧ ଓ ଟର୍ମ-୨ ପରୀକ୍ଷା କରିଥିଲା। ଟର୍ମ-୧ ପରୀକ୍ଷା ଫଳ ସମ୍ପର୍କରେ ବିଦ୍ୟାଳୟଗୁଡ଼ିକୁ ପୂର୍ବରୁ ଅବଗତ କରାଯାଇଛି। ଟର୍ମ-୨ ମୂଲ୍ୟାୟନ ଏବେ ଜାରି ରହିଛି। ଖୁବ୍‌ଶୀଘ୍ର ରେଜଲ୍ଟ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହେବ। ତା’ପରେ ଯାଇ ଉଭୟ ପରୀକ୍ଷା ଫଳ ଆଧାରରେ ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯିବ। ଏହି ସମସ୍ତ ପ୍ରକ୍ରିୟା ଶେଷ ହେବାକୁ ପାଖାପାଖି ମାସେ ସମୟ ଲାଗିବ। ମାତ୍ର ଏବେ ନଜରକୁ ଆସିଛି ଯେ କେତେକ ବିଶ୍ୱବିଦ୍ୟାଳୟ ୨୦୨୨-୨୩ ଶିକ୍ଷାବର୍ଷରେ ୟୁଜି ପାଠ୍ୟକ୍ରମରେ ପଞ୍ଜୀକରଣ ଆରମ୍ଭ କରିନ୍ତି। ଏହାଦ୍ବାରା ସିବିଏସ୍‌ଇ ଅଧୀନରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ସ୍ନାତକ ପାଠ୍ୟକ୍ରମରେ ନାମଲେଖାରୁ ବଞ୍ଚିତ ହେବେ। ତେଣୁ ସମସ୍ତ ଶିକ୍ଷାନୁଷ୍ଠାନକୁ ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ଆଧାରରେ ନିଜର ନାମଲେଖା ପ୍ରକ୍ରିୟା ସମୟ ଅବଧି ସ୍ଥିର କରନ୍ତୁ। ଫଳରେ ଏହି ବୋର୍ଡର ଛାତ୍ରଛାତ୍ରୀ ନାମଲେଖା ଲାଗି ପର୍ଯ୍ୟାପ୍ତ ସୁଯୋଗ ପାଇବେ।

ପରୀକ୍ଷା ନିର୍ଦ୍ଧାରିତ ସମୟରେ ଶେଷ ହୋଇଥିବାରୁ ଜୁଲାଇ ପ୍ରଥମ ସପ୍ତାହରେ ଦଶମ ଓ ଶେଷ ସପ୍ତାହ ସୁଦ୍ଧା ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଆଶା କରାଯାଉଥିଲା। ମାତ୍ର ବର୍ତମାନ ଯେଉଁଭଳି ସ୍ଥିତି ଚାଲିଛି ତାହାକୁ ଦେଖିଲେ ପରୀକ୍ଷା ଫଳ ଆହୁରି ବିଳମ୍ବ ହେବ। ୨୦୨୦ରେ ଜୁଲାଇ ୩୦ରେ ପରୀକ୍ଷା ଫଳ ଘୋଷଣା କରାଯାଇଥିବା ବେଳେ ୨୦୨୧ରେ ଜୁଲାଇ ଶେଷରେ ଦ୍ୱାଦଶ ଶ୍ରେଣୀ ଓ ଅଗଷ୍ଟ ମାସରେ ଦଶମ ଶ୍ରେଣୀ ଫଳ ପ୍ରକାଶ ପାଇଥିଲା। ଚଳିତ ବର୍ଷ ମଧ୍ୟ ଉକ୍ତ ସମୟ ସୀମା ଆଶା କରାଯାଇପାରେ।

ସିବିଏସ୍‌ଇର ଜଣେ ଅଧିକାରୀ କହିଛନ୍ତି ଯେ ଦୁଇଟି ଟର୍ମ ପରୀକ୍ଷା ହେଉଥିବାରୁ ମୂଲ୍ୟାୟନ କଷ୍ଟକର ହେଉଛି। ଚୂଡ଼ାନ୍ତ ଫଳ ଗଣନା କରିବାର ସୂତ୍ର ସ୍ଥିର ହୋଇ ନାହିଁ। ଟର୍ମ-୧, ଟର୍ମ-୨ ସହ ଇଣ୍ଟରନାଲ୍‌ ମାର୍କିଂ ବି ରହିଛି। ସମସ୍ତ ତଥ୍ୟକୁ ମିଶାଇ ପରୀକ୍ଷା ଫଳ ପ୍ରକାଶ କରିବା ବଡ଼ ଆହ୍ବାନ ହୋଇଛି। ତଥାପି ଜୁଲାଇ ଶେଷ ସପ୍ତାହ ସୁଦ୍ଧା ଫଳାଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖିଛୁ। ଇତିମଧ୍ୟରେ ମୁମ୍ବାଇ ବିଶ୍ବବିଦ୍ୟାଳୟ ସମେତ ଦେଶର କେତେକ ଶିକ୍ଷାନୁଷ୍ଠାନ ନାମଲେଖା ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ଯାହାକୁ ନେଇ ଛାତ୍ରଛାତ୍ରୀ ଚିନ୍ତାରେ ଥିବାରୁ ଆମେ ବାଧ୍ୟ ହୋଇ ୟୁଜିସି କର୍ତୃପକ୍ଷଙ୍କ ହସ୍ତକ୍ଷେପ ଲୋଡ଼ିଥିଲୁ। ତାହାରି ଆଧାରରେ ୟୁଜିସି ନୋଟିସ୍‌ କରିଛି।

ସମ୍ବନ୍ଧିତ ଖବର