ୟୁଜି, ପିଜି ପରୀକ୍ଷା ପ୍ରସଙ୍ଗ : ବିକଳ୍ପ ବାଟ ଖୋଜୁଛନ୍ତି ସରକାର

ଉଭୟ ଅନଲାଇନ ଓ ଅଫଲାଇନରେ ହୋଇପାରେ ପରୀକ୍ଷା

ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସହ ହେବ ଆଲୋଚନା
ଦୋଛକିରେ ଛାତ୍ରଛାତ୍ରୀ, ପରୀକ୍ଷା କେବେ?

ଭୁବନେଶ୍ୱର : ୟୁଜି ଓ ପିଜି ଶେଷବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବ। ବିନା ପରୀକ୍ଷାରେ କୌଣସି ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇପାରିବେ ନାହିଁ। ତେବେ ରାଜ୍ୟ ସରକାର ଚାହିଲେ ବିପର୍ଯ୍ୟୟ ପରିଚାଳନା ଆଇନ ଆଧାରରେ ପରୀକ୍ଷାକୁ ସ୍ଥଗିତ ରଖିପାରିବେ। ବିପର୍ଯ୍ୟୟ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୟୁଜିସି ସହ ଆଲୋଚନା କରି ଶେଷବର୍ଷର ପରୀକ୍ଷା ତାରିଖ ସ୍ଥିର କରିପାରିବେ। ସେପ୍ଟେମ୍ବର ୩୦ ସୁଦ୍ଧା ପରୀକ୍ଷା କରିବାକୁ ଜୁଲାଇ ୬ ତାରିଖରେ ୟୁଜିସି କହିଥିଲେ ବି ରାଜ୍ୟ ସରକାର ଏହାପରେ ଶେଷବର୍ଷର ପରୀକ୍ଷା କରିପାରିବେ। ସୁପ୍ରିମକୋର୍ଟ ଆଜି ଏଭଳି ରାୟ ଦେବା ପରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଳେଣି ପଡ଼ି ଯାଇଛି। ପରୀକ୍ଷା କେବେ ହେବ? ଏଥିପାଇଁ କେମିତି ପ୍ରସ୍ତୁତ ହେବେ? ଗୋଟିଏ ପଟେ ଭବିଷ୍ୟତ ପାଠପଢ଼ା ଆଉ ଗୋଟେପଟେ ଶେଷ ସେମିଷ୍ଟର୍‌ ପରୀକ୍ଷା; ଏଭଳି ଦୋଛକିରେ ପଡ଼ିଛନ୍ତି ରାଜ୍ୟର ଲକ୍ଷାଧିକ ଛାତ୍ରଛାତ୍ରୀ।

ଅନ୍ୟପକ୍ଷରେ ପରୀକ୍ଷା ବାତିଲ କରିବାକୁ ସୁପ୍ରିମକୋର୍ଟ ଯାଇଥିବା ରାଜ୍ୟ ସରକାର ବି ଏବେ ହରଡ଼ଘଣାରେ। ଗୋଟିଏ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାକୁ ମାଡ଼ି ଆସୁଥିବା ବେଳେ କିଭଳି ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଜୀବନକୁ ବାଜି ଲଗାଇ ପରୀକ୍ଷା କରାଯିବ, ତାହା ଚିନ୍ତାର ବିଷୟ ପାଲଟିଛି। ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଆଜି ଦିନ ତମାମ ଉଚ୍ଚଶିକ୍ଷା ବିଭାଗ ଅଧିକାରୀଙ୍କ ଘନଘନ ବୈଠକ ବସି କେବେ ଓ କେମିତି ପରୀକ୍ଷା କରାଯିବ, ସେନେଇ ମାନସମନ୍ଥନ ହୋଇଛି। ତେବେ କିଛି ବାଟ ବାହାରି ନଥିବା ସୂଚନା ମିଳିଛି।

ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ପରୀକ୍ଷା କରାଇବା ସମ୍ଭବ ନୁହେଁ। ଏବେ ରାଜ୍ୟରେ କରୋନା ଉପରମୁହାଁ ରହିଛି। ପ୍ରତିଦିନ ୩ ହଜାରରୁ ଅଧିକ ଆକ୍ରାନ୍ତ ବାହାରୁଛନ୍ତି। ଗମନାଗମନ, ଯୋଗାଯୋଗ ସ୍ୱାଭାବିକ ହୋଇପାରି ନାହିଁ। ଏଭଳି ସମୟରେ ଯଦି ପରୀକ୍ଷା କରାଯାଏ, ତେବେ ବହୁ ଛାତ୍ରଛାତ୍ରୀ ହଇରାଣ ହେବେ। କରୋନା ସଂକ୍ରମଣ ବୃଦ୍ଧି ପାଇବାର ବି ଆଶଙ୍କା ରହିଛି। ହଷ୍ଟେଲ ଖୋଲିବା ସମ୍ଭବ ନ ଥିବାରୁ ପିଲାମାନେ କେଉଁଠି ରହି ପରୀକ୍ଷା ଦେବ‌େ, ତାହା ବି ଭାବିବାକୁ ପଡ଼ିବ। ସେପଟେ ପ୍ରବଳ ବର୍ଷା ଯୋଗୁଁ ଅଧା ଓଡ଼ିଶାରେ ଏବେ ବନ୍ୟା ପରିସ୍ଥିତି। ପିଲା ଘରୁ ବାହାରି ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଆସିବା ସମ୍ଭବପର ହେବ ନାହିଁ। ଅନଲାଇନ୍‌ ପରୀକ୍ଷା କରିବାକୁ ଭିତ୍ତିଭୂମିର ବି ଅଭାବ ରହିଛି। ତେଣୁ ବିକଳ୍ପ ପରୀକ୍ଷା ଲାଗି ଆଲୋଚନା ଚାଲିଛି। ଉଭୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ କିଭଳି ପରୀକ୍ଷା କରିହେବ, ସେନେଇ ପ୍ରାରମ୍ଭିକ ଆଲୋଚନା ହୋଇଛି। ଆସନ୍ତା ସପ୍ତାହକ ମଧ୍ୟରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଅଧିକାରୀଜଣକ କହିଛନ୍ତି।

ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି ଯେ ୟୁଜି ଓ ପିଜି ଶେଷ ସେମିଷ୍ଟର୍‌ ପରୀକ୍ଷା ସମ୍ପର୍କରେ ଆଜି ସୁପ୍ରିମକୋର୍ଟଙ୍କ ଚୂଡ଼ାନ୍ତ ରାୟ ଆସିଛି। ପରୀକ୍ଷା କରିବାକୁ ସେଥିରେ ନିର୍ଦେଶ ଦେଇଛନ୍ତି। ଚୂଡ଼ାନ୍ତ କପି ଆସିବା ପରେ ଆମେ ତାହାକୁ ଅନୁଧ୍ୟାନ କରିବୁ। ରାୟରେ କ’ଣ ସବୁ ଉଲ୍ଲେଖ ହୋଇଛି, ଦେଖିବା ପରେ ପଦକ୍ଷେପ ନିଆଯିବ। ଖୁବ୍‌ଶୀଘ୍ର ଉଚ୍ଚ ଶିକ୍ଷା ବିଭାଗ ଅଧୀନ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି ଓ ପ୍ରମୁଖ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି କିଭଳି ଓ କେବେ ପରୀକ୍ଷା କରାଯିବ, ସେନେଇ ନିଷ୍ପତ୍ତି ନିଆଯିବ। ତେଣୁ ଛାତ୍ରଛାତ୍ରୀ ବିଚଳିତ କିମ୍ବା ଦ୍ୱନ୍ଦ୍ୱରେ ନ ପଡ଼ି ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହୁଅନ୍ତୁ।

ସମ୍ବନ୍ଧିତ ଖବର