ୟୁଜି ଓ ପିଜି ପରୀକ୍ଷା ପ୍ରସଙ୍ଗ: ୧୨ରେ କୁଳପତି ସମ୍ମିଳନୀ

ଭୁବନେଶ୍ବର: ବିଶ୍ବବିଦ୍ୟାଳୟ ସମେତ ସରକାରୀ ଓ ଅନୁଦାନପ୍ରାପ୍ତ ଡିଗ୍ରି କଲେଜର ୟୁଜି, ପିଜି ପରୀକ୍ଷା ନେଇ ଅନିଶ୍ଚିତତା ଦେଖାଦେଇଛି। ପରୀକ୍ଷା ହେବ କି ନାହିଁ। ଯଦି ହେବ ତେବେ କେବେ ଓ କେଉଁ ପଦ୍ଧତିରେ କରାଯିବ ତାହାକୁ ନେଇ ଲକ୍ଷାଧିକ ଛାତ୍ରଛାତ୍ରୀ ଚିନ୍ତାରେ ଅଛନ୍ତି। ଅଭିଭାବକ ପିଲାଙ୍କ ଭବିଷ୍ୟତ ନେଇ ଦ୍ବନ୍ଦ୍ବରେ ଥିବା ବେଳେ ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ବି ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତିକୁ ଅପେକ୍ଷା କରି ରହିଛନ୍ତି। ଏସମ୍ପର୍କରେ ସୋମବାର ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଉଚ୍ଚଶିକ୍ଷା ବିଭାଗ ନିଦ ଭାଙ୍ଗିଛି। ୟୁଜିସି ଉପରେ ନିଷ୍ପତ୍ତି ଛାଡ଼ି ଦେଢ଼ ମାସ ହେଲା ଚୁପ୍‌ ବସିଥିବା‌ ଉଚ୍ଚଶିକ୍ଷା ବିଭାଗର ଅଧିକାରୀମାନେ ଏବେ ତତ୍ପରତା ଦେଖାଇଛନ୍ତି। କରୋନା ସମୟରେ ପିଲାଙ୍କ ପାଠପଢ଼ା ଓ ପରୀକ୍ଷା କିଭଳି ଭାବେ କରାଯିବ ସେନେଇ ବିଶ୍ବବିଦ୍ୟାଳୟ କୁଳପତିମାନଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ, ବିଭାଗୀୟ ସଚିବ ଶାଶ୍ବତ ମିଶ୍ର ଆଲୋଚନା କରି‌ବେ।

ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ଯେ ଜୁନ୍‌ ୧୨ରେ ସମସ୍ତ ବିଶ୍ବବିଦ୍ୟାଳୟ କୁଳପତିଙ୍କ ବୈଠକ ଡକାଯାଇଛି। ଲକ୍‌ଡାଉନ୍‌ ସମୟରେ ପାଠପଢ଼ା ସମ୍ପର୍କରେ ଅନୁଧ୍ୟାନ କରାଯିବ। ୟୁଜି ଓ ପିଜି ପରୀକ୍ଷା କେମିତି ହେବ ସେନେଇ କୁଳପତିମାନଙ୍କ ମତାମତ ନିଆଯିବ। ଏହାପରେ ସମସ୍ତ କଲେଜ ଅଧ୍ୟକ୍ଷଙ୍କ ସହ ବୈଠକ କରାଯିବ। ପରୀକ୍ଷା ନେଇ ସେମାନଙ୍କ ମତ ବି ନିଆଯିବ। ତାହାକୁ ଅନୁଧ୍ୟାନ କରାଯିବା ପରେ କେଉଁ ପଦ୍ଧତିରେ ପରୀକ୍ଷା କରାଯିବ ସେନେଇ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯିବ।

କରୋନା ଯୋଗୁଁ ପାଖାପାଖି ଗୋଟିଏ ବର୍ଷ ହେଲା ସ୍ନାତକ ଓ ସ୍ନାତକୋତ୍ତର ପାଠପଢ଼ା କି ପରୀକ୍ଷା ହୋଇପାରିନି। ଜାନୁଆରିରୁ ୟୁଜି ଓ ପିଜି ଶେଷବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହେବା ସହ ପର୍ଯ୍ୟାୟକ୍ରମେ ଅନ୍ୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସରୁମ୍‌ ଖୋଲିଥିଲା। ତେବେ ଦୁଇ ମାସ ଠିକ୍‌ ସେ ପାଠପଢ଼ା ହୋଇଛି କି ନାହିଁ ଏବେ କରୋନା ଦ୍ବିତୀୟ ଲହର ସବୁ କିଛି ବିଗାଡ଼ି ଦେଇଛି। ପାଠପଢ଼ା ଏକପ୍ରକାର ଠପ୍‌ ହୋଇଯାଇଥିବା ବେଳେ ବିଭିନ୍ନ ସେମିଷ୍ଟର ପରୀକ୍ଷା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ବିଶେଷକରି ଶେଷବର୍ଷ ପରୀକ୍ଷା କିଭଳି ହେବ ତାହାକୁ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନ ଥିବାରୁ ଛାତ୍ରଛାତ୍ରୀ ଏବେ ଚିନ୍ତାରେ ଅଛନ୍ତି।

ସମ୍ବନ୍ଧିତ ଖବର