ଜୁନ ୧୭ ପରେ ୟୁଜି ଓ ପିଜି ପରୀକ୍ଷା

ଉଚ୍ଚଶିକ୍ଷା ବିଭାଗର ସମୀକ୍ଷା ବୈଠକ, ୨୦ ତାରିଖରୁ କାର୍ଯ୍ୟାଳୟକୁ ଆସିବେ ଅଧିକାରୀ

ଭୁବନେଶ୍ୱର : ଜୁନ୍ ୧୭ରେ ସ୍କୁଲ କଲେଜ ଖୋଲିବ। ଏହାପରେ ଯେକୌଣସି ସମୟରେ ବାତିଲ ହୋଇଥିବା ସ୍ନାତକ (ୟୁଜି) ଓ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମର ପରୀକ୍ଷା ଅନୁଷ୍ଠିତ ହେବ। ତେଣୁ ଛୁଟି ସମୟରେ ପାଠପଢ଼ା ପ୍ରତି ଧ୍ୟାନ ଦେବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।

ଦୁଇ ଦିନ ତଳେ ‘ଉଚ୍ଚଶିକ୍ଷା ବିଭାଗର ସମସ୍ତେ ଛୁଟିରେ’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ଆଜି ପ୍ରଥମ ଥର ପାଇଁ ଉଚ୍ଚଶିକ୍ଷା ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ମନ୍ତ୍ରୀ ଶ୍ରୀ ସାହୁଙ୍କ ସମେତ ବିଭାଗୀୟ ସଚିବ ଶାଶ୍ୱତ ମିଶ୍ର ଓ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ରହି ଆଲୋଚନା କରିଥିଲେ। ବୈଠକ ପରେ ଉଚ୍ଚଶିକ୍ଷା ବିଭାଗ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ଯେ ଦେଶରେ ଶିକ୍ଷା ବ୍ୟବସ୍ଥାର ସାମ୍ପ୍ରତିକ ସ୍ଥିତିକୁ ନେଇ ୟୁଜିସି ଏକ ୭ ଜଣିଆ କମିଟି ଗଠନ କରିଛି। ଯେଉଁଥିରେ ଦେଶର ବରିଷ୍ଠ ତଥା ବିଶିଷ୍ଟ ଶିକ୍ଷାବିତ ଓ ବିଶେଷଜ୍ଞମାନେ ରହିଛନ୍ତି। ଉକ୍ତ କମିଟି ରିପୋର୍ଟକୁ ରାଜ୍ୟ ସରକାର ଅନୁଧ୍ୟାନ କରିବେ ଏବଂ ୟୁଜିସିର ବିଜ୍ଞପ୍ତି ଆଧାରରେ ନିଷ୍ପତ୍ତି ନିଆଯିବ। ଏପ୍ରିଲ ୨୦ ତାରିଖରୁ ବିଭାଗକୁ କ୍ରିୟାଶୀଳ କରାଯିବ। ବିଭାଗର ଗ୍ରୁପ ‘ଏ’ ଅଫିସରମାନେ ଏହି ଦିନରୁ କାର୍ଯ୍ୟାଳୟକୁ ଆସିବା ବାଧ୍ୟତାମୂଳକ ହେବ। ତେବେ ଗ୍ରୁପ ‘ସି’ ଓ ‘ଡି’ର ଅଳ୍ପ ସଂଖ୍ୟକ କର୍ମଚାରୀ କାର୍ଯ୍ୟାଳୟ ଆସିବେ। ଏହି ବର୍ଗର ୫୦% କର୍ମଚାରୀଙ୍କୁ ନେଇ ଲକ୍‌ଡାଉନ ପର୍ଯ୍ୟନ୍ତ କାର୍ଯ୍ୟ ଚାଲିବ। ମେ’ ୩ରେ ଲକ୍‌ଡାଉନ ଉଠିବା ପରେ ବାତିଲ ହୋଇଥିବା ପରୀକ୍ଷାର ରୂପରେଖ ପ୍ରସ୍ତୁତ ହେବ ବୋଲି ମନ୍ତ୍ରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି।

୨୦୨୦-୨୧ ଶିକ୍ଷାବର୍ଷରେ ପିଜି ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା ନିଷ୍ପତ୍ତି ଉପରେ ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ଯେ କରୋନା ଭଳି ସମୟରେ ନୂଆ ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପୂର୍ବରୁ ବିଚାରବିମର୍ଶ କରାଯିବାର ଆବଶ୍ୟକତା ରହିଛି। ଏକକ ପିଜି ପ୍ରବେଶିକା ପରୀକ୍ଷା ନିଷ୍ପତ୍ତି ନେଇ ଖୁବଶୀଘ୍ର ସମସ୍ତ କୁଳପତିଙ୍କ ସହ ଆଲୋଚନା କରାଯିବ। ଏହାପରେ ନିଷ୍ପତ୍ତି ନିଆଯିବ। ଛୁଟି ସମୟରେ ପିଲାମାନେ ଘରେ ଅଛନ୍ତି। ତେଣୁ ସମୟର ସୁବିନିଯୋଗ କରନ୍ତୁ ଏବଂ ପାଠପଢା ପ୍ରତି ଗୁରୁତ୍ୱ ଦିଅନ୍ତୁ। ଲକ୍‌ଡାଉନ ପରଠାରୁ ୟୁଜିସି ପକ୍ଷରୁ ବିଭିନ୍ନ ସମୟରେ ପରାମର୍ଶ ଦିଆଯାଉଛି। ଛାତ୍ରଛାତ୍ରୀ, ପ୍ରଫେସର, ଅଧ୍ୟାପକମାନେ ତାହାକୁ ପାଳନ କରନ୍ତୁ। ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ।

ୟୁଜିସି ପକ୍ଷରୁ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟକୁ ଚିଠି
ଭୁବନେଶ୍ୱର : କରୋନା ପାଇଁ ସ୍ନାତକ ଓ ସ୍ନାତକୋତ୍ତରର ସମସ୍ତ ପରୀକ୍ଷାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଏକ ବୈଷୟିକ କମିଟି ଗଠନ କରାଯାଇଛି। ଉକ୍ତ କମିଟି ରିପୋର୍ଟ ଆଧାରରେ ୟୁଜିସି ପକ୍ଷରୁ ଖୁବ୍‌ଶୀଘ୍ର ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ପରୀକ୍ଷା, ଶିକ୍ଷାବର୍ଷ କ୍ୟାଲେଣ୍ଡର ପାଇଁ ସ୍ବତନ୍ତ୍ର ନିୟମାବଳୀ ଜାରି କରାଯିବ।

ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ସୁରକ୍ଷା ପାଇଁ ବହୁତ ନିୟମାବଳୀ ଜାରି ହୋଇଛି। ସାମାଜିକ ଦୂରତା ବଜାୟ ରଖି ଅନ୍‌ଲାଇନ୍‌ ପାଠପଢା ଭଳି ବିଭିନ୍ନ ଉପାୟରେ ଟିଚର ଲର୍ଣ୍ଣିଂ କାର୍ଯ୍ୟକ୍ରମ ଶିକ୍ଷାନୁଷ୍ଠାନ ଚାଲୁ ରଖିବା ଆବଶ୍ୟକ। ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ କାଉନସିଲିଂ ବ୍ୟବସ୍ଥା କରିବେ। ଆୟୁଷ ମନ୍ତ୍ରାଳୟ ଦ୍ବାରା ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଁ ଦିଆଯାଇଥିବା ପରାମର୍ଶ ବିଦ୍ୟାର୍ଥୀ ଓ ଅଧ୍ୟାପକ କିଭଳି ପାଳନ କରିବା ତାକୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ପ୍ରାଧାନ୍ୟ ଦେବେ। ଆସନ୍ତା ଶିକ୍ଷା କ୍ୟାଲେଣ୍ଡର ଓ ପରୀକ୍ଷାକୁ ନେଇ ଅଭିଜ୍ଞତା ସମ୍ପର୍ଣ୍ଣ ଶିକ୍ଷାବିତ୍‌ଙ୍କୁ ନେଇ ବୈଷୟିକ କମିଟି ଗଠନ କରାଯାଇଛି। ଏହି କମିଟି ସାମ୍ପ୍ରତିକ ପରିସ୍ଥିତି ଓ ପରୀକ୍ଷା ପରିଚାଳନା ସମ୍ବନ୍ଧରେ ବିସ୍ତୃତ୍ବ ଭାବେ ଆଲୋଚନା କରିବ। ଖୁବ୍‌ଶୀଘ୍ର ଏହି କମିଟି ୟୁଜିସିକୁ ରିପୋର୍ଟ ପ୍ରଦାନ କରିବ। ରିପୋର୍ଟ ମିଳିବା ପରେ ୟୁଜିସି ପକ୍ଷରୁ କେନ୍ଦ୍ର ମାନବ ସମ୍ବଳ ବିଭାଗ ମନ୍ତ୍ରାଳୟ ସହ ବିଚାର ବିମର୍ଶ କରି ଚୂଡାନ୍ତ ନିଷ୍ପତ୍ତି ନେବ। ସମସ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ପରୀକ୍ଷା, ଆସନ୍ତା ଶିକ୍ଷା କ୍ୟାଲେଣ୍ଡର ପାଇଁ ସ୍ବତନ୍ତ୍ର ନିୟମାବଳୀ ଜାରି କରାଯିବ।

ସମ୍ବନ୍ଧିତ ଖବର