ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା ପ୍ରସଙ୍ଗ : ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ମାନିବୁ: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ୟୁଜି ଓ ପିଜି ଶେଷ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବ କି ନାହିଁ। ସୁପ୍ରିମକୋର୍ଟରେ ଚୂଡ଼ାନ୍ତ ନିଷ୍ପତ୍ତି ବାକି ଥିବା ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଶା ଆଶଙ୍କା ବଢୁଛି। ଏଭଳି ସମୟରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଆଜି କହିଛନ୍ତି ଯେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ପକ୍ଷ ରଖିସାରିଛନ୍ତି। ବିକଳ୍ପ ମୂଲ୍ୟାୟନ ନେଇ ଆମେ ମତ ଦେଇଛୁ। ଧରନ୍ତୁ କିଏ ପାଞ୍ଚଟି ସେମିଷ୍ଟର ଦେଇଛି, ସେ ସବୁର ଆଭରେଜ ହିସାବରେ ମାର୍କ ଦେବା କଥା କହିଛୁ। ଏବେ ସୁପ୍ରିମକୋର୍ଟ ଯାହା ନିଷ୍ପତ୍ତି ନେବେ, ଆମେ ମାନିବୁ।

ଓଡ଼ିଶା ସମେତ ୬ଟି ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ନିଷ୍ପତ୍ତିକୁ ବିରୋଧ କରି ବିକଳ୍ପ ମୂଲ୍ୟାୟନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ କରିବାକୁ ମତ ଦେଇଥିଲେ। ଏନେଇ କେତେକ ଛାତ୍ରଛାତ୍ରୀ ବି ସୁପ୍ରିମକୋର୍ଟ ଯିବା ପରେ ଗତ ୧୮ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ମାମଲାର ଶୁଣାଣିକୁ ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ଏଥିସହ ତିନି ଦିନ ଭିତରେ ଲିଖିତ ଯୁକ୍ତି(ରିଟେନ୍ ସବମିସନ୍) ଦାଖଲ କରିବା ପାଇଁ ସମସ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁଯାୟୀ ଗତ ୨୧ ତାରିଖରେ ଓଡ଼ିଶା ସରକାର ୧୬ ପୃଷ୍ଠାର ଲିଖିତ ଯୁକ୍ତି ଦାଖଲ କରିଛନ୍ତି।

ଏଥିରେ ଉଲ୍ଲେଖ କରିଛନ୍ତି ଯେ ୟୁଜିସିର ଏପ୍ରିଲ ୨୯ର ସଂଶୋଧିତ ଗାଇଡଲାଇନ୍ସ ଅନୁସାରେ ୟୁଜି ଓ ପିଜିର ଚୂଡ଼ାନ୍ତ ବର୍ଷର ପରୀକ୍ଷା ଫଳ ପ୍ରକାଶ ପାଇଁ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥା କରାଯାଉ। ଜୁନ୍‌ରେ ଓଡ଼ିଶାରେ କୋଭିଡ୍ ସ୍ଥିତି ଗୁରୁତର ହେଉଥିବାରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସହିତ ବିଚାରବିମର୍ଶ କରାଯାଇ ୟୁଜିସିର ଏପ୍ରିଲ ୨୯ ଗାଇଡଲାଇନ୍ସ ଅନୁସାରେ ପ୍ଲାନ ଅଫ୍ ଆକ୍ସନ ପ୍ରସ୍ତୁତ କରି ୟୁଜି ଓ ପିଜିର ଚୂଡ଼ାନ୍ତ ବର୍ଷର ପରୀକ୍ଷାକୁ ବାତିଲ କରାଯିବା ସହ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥା ଆପଣାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଯଦି କୌଣସି ଛାତ୍ରଛାତ୍ରୀ ବିକଳ୍ପ ବ୍ୟବସ୍ଥା ମାର୍କରେ ସନ୍ତୁଷ୍ଟ ନ ହୁଅନ୍ତି ତେବେ କରୋନା ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ସେମାନେ ଚାହିଁଲେ ପରୀକ୍ଷା ଦେଇପାରିବେ ଏବଂ ସଂଶୋଧିତ ମାର୍କ ପାଇପାରିବେ ବୋଲି ପ୍ରସ୍ତାବ ରହିଥିଲା। ତେବେ ୟୁଜିସିର ଜୁଲାଇ ୬ ସଂଶୋଧିତ ଗାଇଡଲାଇନ୍ସରେ ଶେଷ ବର୍ଷର ପରୀକ୍ଷାକୁ ସେପ୍ଟେମ୍ବର ୩୦ ସୁଦ୍ଧା କରିବା ପାଇଁ ଅନିବାର୍ଯ୍ୟ କରାଯାଇଛି, ଯାହା କରୋନାର ଭୟାଭୟ ଦୃଷ୍ଟିରୁ ବିଚାରଯୋଗ୍ୟ ନୁହେଁ। ଓଡ଼ିଶାର ଗ୍ରାଉଣ୍ଡ ରିଆଲିଟିକୁ ଦୃଷ୍ଟି ଦିଆଯାଉ। ଚୂଡ଼ାନ୍ତ ପରୀକ୍ଷା କରାଗଲେ ଲକ୍ଷାଧିକ ଛାତ୍ରଛାତ୍ରୀ, ଶିକ୍ଷକ, ପରିବାର ସଦସ୍ୟ କରୋନାରେ ସଂକ୍ରମିତ ହେବାର ଆଶଙ୍କା ରହିଛି। ତେଣୁ ବର୍ତ୍ତମାନ ସ୍ଥିତିରେ ସେପ୍ଟେମ୍ବର ୩୦ ସୁଦ୍ଧା ଅନଲାଇନ କିମ୍ବା ଅଫଲାଇନରେ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆୟୋଜନ କରିବା ମଧ୍ୟ ସମ୍ଭବ ନୁହେଁ ବୋଲି ଲିଖିତ ଯୁକ୍ତିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର