ୟୁଜି, ପିଜି ଶେଷ ସେମିଷ୍ଟର ପରୀକ୍ଷା ନିଷ୍ପତ୍ତି ଆଜି: ସାମିଲ ହେବେ ୧୧ ବିଶ୍ୱବିଦ୍ୟାଳୟ କୁଳପତି, ୩୫ କଲେଜ ଅଧ୍ୟକ୍ଷ

ଭୁବନେଶ୍ୱର: ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। କିଭଳି ଭାବେ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଯାଇ ପାରିବ ସେନେଇ ସୋମବାର(ଆଜି) ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଅପରାହ୍ନ ୩ଟାରେ ବସିବାକୁ ଥିବା ଏହି ବୈଠକରେ ୧୧ଟି ବିଶ୍ୱବିଦ୍ୟାଳୟ କୁଳପତି ଓ ପରୀକ୍ଷା ନିୟନ୍ତ୍ରକଙ୍କ ସମେତ ୧୯ଟି ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ୧୬ଟି ଅନୁଦାନପ୍ରାପ୍ତ ବେସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ପରୀକ୍ଷା ନିୟନ୍ତ୍ରକ ସାମିଲ ହେବେ। କୋଭିଡ୍‌-୧୯ କଟକଣାକୁ ନଜରରେ ରଖି ଭିଡିଓ କନ୍‌ଫରେନସିଂ ମାଧ୍ୟମରେ ୨ଘଣ୍ଟା ଧରି ଏହି ବୈଠକ ଅନୁଷ୍ଠିତ ହେବ। ସମସ୍ତ କୁଳପତି, ଅଧ୍ୟକ୍ଷ ଓ ପରୀକ୍ଷା ନିୟନ୍ତ୍ରକ ନିଜ ନିଜ ଜିଲ୍ଲାରେ ଥିବା ଓସ୍ୱାନ ଭବନର ଭିଡିଓ କନ୍‌ଫରେନ୍ସଂ ହଲରେ ଉପସ୍ଥିତ ରହିବେ। ସୁନ୍ଦରଗଡ଼ ଓ ନୂଆପଡ଼ା ଜିଲ୍ଲାର ସ୍ୱୟଂଶାସିତ ମହାବିଦ୍ୟାଳୟଗୁଡିକର ଅଧ୍ୟକ୍ଷ ଓ ପରୀକ୍ଷା ନିୟନ୍ତ୍ରକ ଯଥାକ୍ରମେ ବିର୍ସା ବ୍ଲକ୍‌ ଓ ଖାଇରା ବ୍ଲକ୍‌ ଓସ୍ୱାନ ଭବନରେ ଉପସ୍ଥିତ ରହିବାକୁ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ନିର୍ଦେଶ ଦେଇଛନ୍ତି।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ବୈଠକରେ ମୁଖ୍ୟତଃ ଶେଷ ବର୍ଷ ପରୀକ୍ଷା ଉପରେ ହିଁ ଆଲୋଚନା ହେବ। କେବେ ଓ କେଉଁ ସମୟରେ ପରୀକ୍ଷା କରାଯାଇ ପାରିବ ସେନେଇ କୁଳପତି ଓ ପରୀକ୍ଷା ନିୟନ୍ତ୍ରକଙ୍କ ମତାମତ ନିଆଯିବ। ଇତିମଧ୍ୟରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ପିଜି ଓ ୟୁଜି ଶେଷ ସେମିଷ୍ଟର ପରୀକ୍ଷା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ କରିସାରିଛନ୍ତି। ଯେଉଁ ସମୟରେ ବି ପରୀକ୍ଷା ହେଲେ ସେମାନେ ପ୍ରସ୍ତୁତ ଅଛନ୍ତି। ତେବେ ବର୍ତ୍ତମାନ ଓଡ଼ିଶାରେ କରୋନା ଉପରମୁହାଁ ରହିଥିବାରୁ ସେପ୍ଟେମ୍ବର ମାସରେ ପରୀକ୍ଷା କରିବା ସମ୍ଭବପର ନୁହେଁ। ତେଣୁ ଅକ୍ଟୋବର ମାସକୁ ଘୁଞ୍ଚା ଯିବାର ସମ୍ଭାବନା ରହିଛି। ଏଥିପାଇଁ ରାଜ୍ୟ ସରକାର ୟୁଜିସିକୁ ଚିଠି ଲେଖି ପାରନ୍ତି। ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନରେ ବି ପରୀକ୍ଷା କରାଯିବାର ବିକଳ୍ପ ରହିଛି। ଏନେଇ ସୋମବାର ବୈଠକରେ ବ୍ୟାପକ ଆଲୋଚନା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର