ଅନିଶ୍ଚିତତାରେ ୟୁଜି, ପିଜି ପରୀକ୍ଷା

ଉଚ୍ଚଶିକ୍ଷା ବିଭାଗ ନିରବ, ଚିନ୍ତାରେ ପିଲା, ୟୁଜିସିକୁ ଅପେକ୍ଷା କରିଛନ୍ତି ବିଭାଗୀୟ ଅଧିକାରୀ

ଭୁବନେଶ୍ବର : ମାଟ୍ରିକ୍‌ ଓ ଯୁକ୍ତ ୨ ପରୀକ୍ଷା ବାତିଲ୍‌ ହେବା ପରେ ଅନ୍ୟାନ୍ୟ ପରୀକ୍ଷା ବାତିଲ୍‌ କରିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି। ୟୁଜି, ପିଜି ସେମିଷ୍ଟର୍‌ ସମେତ ବିଭିନ୍ନ ପ୍ରବେଶିକା ଓ ନିଯୁକ୍ତି ପରୀକ୍ଷାକୁ ବର୍ତ୍ତମାନ ସମୟରେ ନ କରିବାକୁ ଛାତ୍ରଛାତ୍ରୀ ଟୁଇଟର୍‌ ମାଧ୍ୟମରେ ଦାବି ଉପସ୍ଥାପନ କରିଛନ୍ତି। କେବଳ ଓଡ଼ିଶା ନୁହେଁ, ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ୍‌ ପରେ ଦେଶର ବିଭିନ୍ନ ପରୀକ୍ଷା ବାତିଲ୍‌ କରିବାକୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ପରୀକ୍ଷାର୍ଥୀମାନେ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି।

ବିଶ୍ବବିଦ୍ୟାଳୟ ଓ ଡିଗ୍ରି କଲେଜର ସେମିଷ୍ଟର୍‌ ପରୀକ୍ଷାକୁ ବାତିଲ୍‌ କରିବାକୁ ଏବେ ଜୋରଦାର ଦାବି ହୋଇଛି। ପାଖାପାଖି ଗୋଟିଏ ବର୍ଷ ଧରି ସ୍ନାତକ ଓ ସ୍ନାତକୋତ୍ତର ପାଠପଢ଼ା କି ପରୀକ୍ଷା ହୋଇପାରିନି। ଜାନୁଆରିରୁ ୟୁଜି ଓ ପିଜି ଶେଷବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହେବା ସହ ପର୍ଯ୍ୟାୟକ୍ରମେ ଅନ୍ୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସରୁମ୍‌ ଖୋଲିଥିଲା। ତେବେ ଦୁଇ ମାସ ଠିକ୍‌ ସେ ପାଠପଢ଼ା ହୋଇଛି କି ନାହିଁ, ଏବେ କରୋନା ଦ୍ବିତୀୟ ଲହର ସବୁ କିଛି ବିଗାଡ଼ି ଦେଇଛି। ପାଠପଢ଼ା ଏକପ୍ରକାର ଠପ୍‌ ହୋଇଯାଇଥିବା ବେଳେ ବିଭିନ୍ନ ସେମିଷ୍ଟର୍‌ ପରୀକ୍ଷା ନେଇ ଏବେ ଅନିଶ୍ଚିତତା ସୃଷ୍ଟି ହୋଇଛି। ଜୁନ୍‌ ପ୍ରଥମ ସପ୍ତାହ ଶେଷ ହୋଇଥିଲେ ମଧ୍ୟ ଶେଷବର୍ଷ ପରୀକ୍ଷା କିଭଳି ହେବ, ତାହାକୁ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କିଛି ବି କୁହାଯାଇନାହିଁ। ଯେଉଁଥିପାଇଁ ଛାତ୍ରଛାତ୍ରୀ ଏବେ ଚିନ୍ତାରେ ପଡ଼ିଛନ୍ତି। ଆଗକୁ ଉଚ୍ଚଶିକ୍ଷା କରିବାକୁ ଥିବାରୁ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ନ୍ୟାୟ ଦେବା ଲାଗି ଛାତ୍ରଛାତ୍ରୀ ଦାବି କରିଛନ୍ତି।

ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଉପରେ ନିଷ୍ପତ୍ତି ଛାଡ଼ି ଉଚ୍ଚଶିକ୍ଷା ବିଭାଗ ଅଧିକାରୀ ଚୁପ୍‌ ବସି ପଡ଼ିଛନ୍ତି। ପରୀକ୍ଷା ସମ୍ପର୍କରେ ୟୁଜିସି ଯାହା ନିଷ୍ପତ୍ତି ନେବ, ତାହାକୁ ରାଜ୍ୟ ପାଳନ କରିବ ବୋଲି ୮ ଦିନ ତଳେ ବିଭାଗ ପକ୍ଷରୁ କୁହାଯାଇଥିଲା। ତେବେ ଏ‌ପର୍ଯ୍ୟନ୍ତ ୟୁଜିସି କିଛି କହି ନ ଥିବା ବେଳେ ଉଚ୍ଚଶିକ୍ଷା ବିଭାଗର ନିରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବାଜିରେ ଲାଗିଥିବା ବେଳେ ବିଭାଗ କାହିଁକି ବିଳମ୍ବ କରୁଛି, ସେନେଇ କେହି ବି ମୁହଁ ଖୋଲୁ ନାହାନ୍ତି। ଏ ତ ଗଲା, ଶେଷ ସେମିଷ୍ଟର୍‌ ଛାତ୍ରଛାତ୍ରୀଙ୍କ କଥା। ୟୁଜି ଓ ପିଜିର ଅନ୍ୟାନ୍ୟ ସେମିଷ୍ଟର୍‌ ପରୀକ୍ଷା ହେବ କି ନାହିଁ? ଯଦି ପରୀକ୍ଷା ହୁଏ, ତେବେ କିଭଳି କରାଯିବ। ନା ସେମିଷ୍ଟର୍‌ ପ୍ରମୋସନ୍‌ ଦିଆଯିବ, ତାହାକୁ ନେଇ ଛାତ୍ରଛାତ୍ରୀ ଦ୍ବନ୍ଦ୍ବରେ। ପୂର୍ବ ଶିକ୍ଷାବର୍ଷ କ୍ୟାଲେଣ୍ଡର ଅନୁଯାୟୀ, ଜୁନ୍‌ ମାସରେ ପରବର୍ତ୍ତୀ ସେମିଷ୍ଟର୍‌ର ପାଠପଢ଼ା ଆରମ୍ଭ ହେବା କଥା। ତେବେ ପୂର୍ବ ସେମିଷ୍ଟର୍‌ ପାଠପଢ଼ା ସରିନି କି ପରୀକ୍ଷା ହୋଇନି। ତେଣୁ ପରବର୍ତ୍ତୀ ସେମିଷ୍ଟର୍‌ କ୍ଲାସ କେବେ ଆରମ୍ଭ ହେବ, ତାହାକୁ ନେଇ ପ୍ରଶ୍ନ ଉଠିଛି।

ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ୨୦୨୦ ପରି ଏଥର ମଧ୍ୟ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନ୍‌ଲାଇନ୍‌ରେ କରିବାକୁ ଆମେ ଯୋଜନା ପ୍ରସ୍ତୁତ କରୁଛୁ। ବିଶ୍ବବିଦ୍ୟାଳୟଗୁଡ଼ିକ ଏ ଦିଗରେ ପଦ‌କ୍ଷେପ ନେବେ। ତେବେ ୟୁଜିସି ଏପର୍ଯ୍ୟନ୍ତ କିଛି ବି ଗାଇଡ୍‌ଲାଇନ୍‌ ଜାରି କରି ନ ଥିବାରୁ ଆମେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିପାରୁନାହୁଁ। ତଥାପି ରଜ ସୁଦ୍ଧା ନିଷ୍ପତ୍ତି ହୋଇପାରେ।

ସମ୍ବନ୍ଧିତ ଖବର