କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ୟୁଜିସି ମାନ୍ୟତା‌, ଟ୍ବିଟ୍‌ କରି ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ବର : କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଅଧିନିୟମ ୧୯୫୬ର ଧାରା ୨(ଏଫ୍‌)ରେ ସାମିଲ କରାଯିବା ସହ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇଛି। ଏଥିସହ ୟୁଜିସିର ବିଶ୍ବବିଦ୍ୟାଳୟ ତାଲିକାରେ ମଧ୍ୟ ଏହି ଶିକ୍ଷାନୁଷ୍ଠାନ ଅନ୍ତର୍ଭୃକ୍ତ ହୋଇଥିବା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍‌ କରି ବୁଧବାର ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ନିଷ୍ପତ୍ତି ନିଶ୍ଚିତ ଭାବେ ଜନଜାତି ବହୁଳ ଅଞ୍ଚଳ କଳାହାଣ୍ଡି ସମେତ ଆଖପାଖ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବ ଏବଂ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଜାତୀୟ ଶିକ୍ଷା ନୀତି ଜରିଆରେ ଗୁଣାତ୍ମକ ଶିକ୍ଷା ଉପଲବ୍ଧି କରାଇବ ବୋଲି ଆଶା କରୁଛି। କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଆବଶ୍ୟକୀୟ ତଥ୍ୟ ପ୍ରଦାନ କଲେ ୟୁଜିସି ଅଧିନିୟମ ୧୯୫୬ର ଧାରା ୧୨(ବି)ରେ ଖୁବଶୀଘ୍ର କେନ୍ଦ୍ରୀୟ ଅନୁଦାନ ପାଇପାରିବ। ବିଶ୍ୱବିଦ୍ୟାଳୟ ମାନ୍ୟତା ନେଇ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଅବଗତ କରାଇଥିଲେ। ଏହାପରେ ଛାତ୍ରଛାତ୍ରୀଙ୍କ ହିତ ଦୃଷ୍ଟିରୁ ୟୁଜିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିବା ସେ ଟ୍ବିଟ୍‌ରେ ଉଲ୍ଲେଖ କରିଛନ୍ତି।

କଳାହାଣ୍ଡି ବିଶ୍ବବିଦ୍ୟାଳୟ ସାମିଲ ହେବା ନେଇ ୟୁଜିସି ଉପ ସଚିବ ନରେନ୍ଦ୍ର କୁମାର ଶର୍ମା ଆଜି ବିଶ୍ବବିଦ୍ୟାଳୟ କୁଳସଚିବଙ୍କୁ ପତ୍ର ଲେଖି ଜଣାଇଛନ୍ତି। ଏଥିସହ ବିଶ୍ବବିଦ୍ୟାଳୟ ଉପରେ କେତେକ କଟକଣା ମଧ୍ୟ ଲଗାଯାଇଛି। ବିଶ୍ବବିଦ୍ୟାଳୟକୁ ଆଲଟ୍‌ ହୋଇଥିବା ପରିସୀମା ମଧ୍ୟରେ ଏହା କାର୍ଯ୍ୟକ୍ଷମ ‌ହେବ। ପରିସୀମା ବାହାରେ କୌଣସି ପ୍ରକାର ଅଫ୍‌ କ୍ୟାମ୍ପସ୍‌ ସେଣ୍ଟର/ଷ୍ଟଡି ସେଣ୍ଟର ଖୋଲିବାକୁ ଅନୁମତି ମିଳିବ ନାହିଁ। ଘରୋଇ ଶିକ୍ଷାନୁଷ୍ଠାନ ସହ ଫ୍ରାଞ୍ଚାଇଜ୍‌ ମାଧ୍ୟମରେ କୌଣସି ପାଠ୍ୟକ୍ରମ ଚାଲିପାରିବ ନାହିଁ। ବିଶ୍ବବିଦ୍ୟାଳୟ ଦ୍ବାରା ମଧ୍ୟ ଫ୍ରାଞ୍ଚାଇଜ୍‌ ମାଧ୍ୟମରେ କୌଣସି ଷ୍ଟଡି ସେଣ୍ଟର ଖୋଲିପାରିବ ନାହିଁ। ଯଦି ଇତିମଧ୍ୟରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଅଫ୍‌-କ୍ୟାମ୍ପସ/ଷ୍ଟଡି ସେଣ୍ଟର, ଫ୍ରାଞ୍ଚାଇଜ୍‌ରେ ରାଜ୍ୟ ବାହାରେ କୌଣସି ପ୍ରକାର ସେଣ୍ଟର ଆରମ୍ଭ ହୋଇଥିବ ତାହାହେଲେ ତାହାକୁ ଯେ‌ତେଶୀଘ୍ର ସମ୍ଭବ ବନ୍ଦ କରିବା ଦିଗରେ ପଦକ୍ଷେପ ନେବେ। ୟୁଜିସି ନିୟମ ୨୦୧୬ ଅନୁଯାୟୀ ଏମ୍‌ଫିଲ୍‌ ଓ ପିଏଚ୍‌ଡି କାର୍ଯ୍ୟକ୍ରମ ଚାଲିବ। www.ugc.ac.in ୱେବସାଇଟ୍‌ରେ ବିଭିନ୍ନ ସମୟରେ ଜାରି ହେଉଥିବା ନିୟମ ଅନୁଯାୟୀ ବିଶ୍ବବିଦ୍ୟାଳୟ ପରିଚାଳନା ହେବ।

ସମ୍ବନ୍ଧିତ ଖବର