କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟକୁ ୟୁଜିସି ମାନ୍ୟତା

କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଦାବି ରଖିଥିଲେ ୪ ସାଂସଦ

ଭୁବନେଶ୍ବର : ରାଜେନ୍ଦ୍ର ବିଶ୍ବବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ଅଧିନିୟମ ୧୯୫୬ର ଧାରା ୨(ଏଫ୍‌)ରେ ସାମିଲ କରାଯାଇଛି। ଏଥିସହ ୟୁଜିସିର ବିଶ୍ବବିଦ୍ୟାଳୟ ତାଲିକାରେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ଏହି ବିଶ୍ବବିଦ୍ୟାଳୟ ପଶ୍ଚିମ ଓଡ଼ିଶା ଛାତ୍ରଛାତ୍ରୀଙ୍କ ଆକାଂକ୍ଷାକୁ ପୂରଣ କରିବା ସହ ପ୍ରଧାନମନ୍ତ୍ରୀଙ୍କ ନୂଆ ଶିକ୍ଷାନୀତିରେ ଉଲ୍ଲେଖ ଥିବା ଗୁଣାତ୍ମକ ଶିକ୍ଷା ହାସଲ କରିବାରେ ସହାୟକ ହେବ। ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଆବଶ୍ୟକ ତଥ୍ୟ ପ୍ରଦାନ କଲେ ଖୁବ୍‌ଶୀଘ୍ର କେନ୍ଦ୍ରୀୟ ଅନୁଦାନ ପାଇବ।

ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ସାମିଲ ହେବା ନେଇ ୟୁଜିସି ଯୁଗ୍ମ ସଚିବ ସୁ‌ରେନ୍ଦ୍ର ସିଂ ଆଜି ବିଶ୍ବବିଦ୍ୟାଳୟ କୁଳସଚିବଙ୍କୁ ପତ୍ର ଲେଖି ଜଣାଇଛନ୍ତି। ଏଥିସହ କେତେକ କଟକଣା ମଧ୍ୟ ଲଗାଯାଇଛି। ବିଶ୍ବବିଦ୍ୟାଳୟକୁ ଆଲଟ୍‌ ହୋଇଥିବା ପରିସୀମା ମଧ୍ୟରେ ଏହା କାର୍ଯ୍ୟକ୍ଷମ ‌ହେବ। ପରିସୀମା ବାହାରେ କୌଣସି ପ୍ରକାର ଅଫ୍‌ କ୍ୟାମ୍ପସ୍‌ ସେଣ୍ଟର/ଷ୍ଟଡି ସେଣ୍ଟର ଖୋଲିବାକୁ ଅନୁମତି ମିଳିବ ନାହିଁ। ଘରୋଇ ଶିକ୍ଷାନୁଷ୍ଠାନ ସହ ଫ୍ରାଞ୍ଚାଇଜ୍‌ ମାଧ୍ୟମରେ କୌଣସି ପାଠ୍ୟକ୍ରମ ଚାଲିପାରିବ ନାହିଁ। ବିଶ୍ବବିଦ୍ୟାଳୟ ଦ୍ବାରା ମଧ୍ୟ ଫ୍ରାଞ୍ଚାଇଜ୍‌ ମାଧ୍ୟମରେ କୌଣସି ଷ୍ଟଡି ସେଣ୍ଟର ଖୋଲିପାରିବ ନାହିଁ। ଯଦି ଇତିମଧ୍ୟରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଅଫ୍‌-କ୍ୟାମ୍ପସ/ଷ୍ଟଡି ସେଣ୍ଟର, ଫ୍ରାଞ୍ଚାଇଜ୍‌ରେ ରାଜ୍ୟ ବାହାରେ କୌଣସି ପ୍ରକାର ସେଣ୍ଟର ଆରମ୍ଭ ହୋଇଥିବ ତାହାହେଲେ ତାହାକୁ ଯେ‌ତେଶୀଘ୍ର ସମ୍ଭବ ବନ୍ଦ କରିବା ଦିଗରେ ପଦକ୍ଷେପ ନେବେ। ୟୁଜିସି ନିୟମ ୨୦୧୬ ଅନୁଯାୟୀ ଏମ୍‌ଫିଲ୍‌ ଓ ପିଏଚ୍‌ଡି କାର୍ଯ୍ୟକ୍ରମ ଚାଲିବ। www.ugc.ac.in ୱେବସାଇଟ୍‌ରେ ବିଭିନ୍ନ ସମୟରେ ଜାରି ହେଉଥିବା ନିୟମ ଅନୁଯାୟୀ ବିଶ୍ବବିଦ୍ୟାଳୟ ପରିଚାଳନା ହେବ ବୋଲି ଶ୍ରୀ ସିଂ ଚିଠିରେ ଉଲ୍ଲେଖ କରିଛନ୍ତି।

ରାଜେନ୍ଦ୍ର ବିଶ୍ବବିଦ୍ୟାଳୟକୁ ୟୁଜିସି ମାନ୍ୟତା ପ୍ରଦାନ ଦାବିରେ ବିଜେଡି ସାଂସଦମାନଙ୍କ ଏକ ତିନି ଜଣିଆ ପ୍ରତିନିଧିଦଳ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ସ୍ମାରକପତ୍ର ଦେଇଥିଲେ। ସୁବାସ ସିଂହଙ୍କ ସମେତ ମୁନ୍ନା ଖାଁ, ମମତା ମହନ୍ତ ଏହି ପ୍ରତିନିଧିଦଳରେ ରହିଥିଲେ। ‌ସେମାନେ ଦର୍ଶାଇଥିଲେ ଯେ ୨୦୨୦ ଜୁନ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜେନ୍ଦ୍ର ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ଭାବେ ଘୋଷଣା କରିଥିଲେ। ୨୦୨୧ ଉତ୍କଳ ଦିବସରେ ଏହାର ସ୍ଥାୟୀ କୁଳପତି ନଯୁକ୍ତ ହୋଇଛନ୍ତି। ତେବେ ୟୁଜିସି ବିଶ୍ବବିଦ୍ୟାଳୟକୁ ମାନ୍ୟତା ଦେବାରେ ବିଳମ୍ବ କରିବାରୁ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଚାଲିଯାଉଛି। କୌଣସି ଆର୍ଥିକ ସାହାଯ୍ୟ ମିଳୁନାହିଁ। ଘଟଣାରେ ମନ୍ତ୍ରୀ ହସ୍ତକ୍ଷେପ କରିବାକୁ ସେମାନେ ଅନୁରୋଧ କରିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଘଟଣାକୁ ଅଗ୍ରାଧିକାର ଦେଇ ସମସ୍ୟାର ସମାଧାନ କରିଛନ୍ତି। ଛାତ୍ରଛାତ୍ରୀଙ୍କ ହିତ ଦୃଷ୍ଟିରୁ ୟୁଜିସି ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଥିବା ଶ୍ରୀ ପ୍ରଧାନ କହିଛନ୍ତି।

ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ ଏବଂ ପୂର୍ବତନ ସାଂସଦ କଳିକେଶ ସିଂହଦେଓ ମଧ୍ୟ ଏନେଇ ଧ‌େର୍ମନ୍ଦ୍ରଙ୍କର ହସ୍ତକ୍ଷେପ ଲୋଡ଼ିଥିଲେ।

ସୂଚନାଯୋଗ୍ୟ ଯେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ନିୟମ ଅନୁଯାୟୀ ପ୍ରତିଷ୍ଠା ହୋଇ ନ ଥିବାରୁ ୟୁଜିସି ଆଇନ ୧୯୫୬ର ସେକ୍ସନ ୨(ଏଫ୍‌)ରେ ସାମିଲ କରାଯାଇପାରିବ ନାହିଁ ବୋଲି ୟୁଜିସି ଉପସଚିବ ନରେଶ କୁମାର ଶର୍ମା ୨୦୨୦ ଡିସେମ୍ବର ୨୮ରେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ କୁଳସଚିବଙ୍କୁ ପତ୍ର ଲେଖି ଜଣାଇଥିଲେ। ଏଥିସହ ସେ କହିଥିଲେ ଯେ ଏହି ବିଶ୍ବବିଦ୍ୟାଳୟ ସରକାରଙ୍କ ଏକ ବିଜ୍ଞପ୍ତି ମାଧ୍ୟମରେ ହୋଇଛି, ରାଜ୍ୟର କୌଣସି ଆଇନ ଦ୍ବାରା ପ୍ରତିଷ୍ଠା କରାଯାଇ ନାହିଁ। ତେଣୁ ୟୁଜିସିର ବିଶ୍ବବିଦ୍ୟାଳୟ ତାଲିକାରେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟକୁ ଅନ୍ତର୍ଭୁକ୍ତ କରାଯାଇପାରିବ ନାହିଁ। ଯାହାର ପ୍ରତିବାଦ କରି ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର କିଛି ଦିନ ତଳେ ୟୁଜିସି ସଚିବଙ୍କୁ ଚିଠି ଲେଖିଥିଲେ।

ସମ୍ବନ୍ଧିତ ଖବର