ୟୁଜିସି ଗାଇଡ୍‌ଲାଇନ୍‌ ପରେ ପରୀକ୍ଷାକୁ ନେଇ ଦ୍ବନ୍ଦ୍ବ: ଚିନ୍ତାରେ ଛାତ୍ରଛାତ୍ରୀ, ଉଚ୍ଚଶିକ୍ଷା ବିଭାଗ ଚୁପ୍‌

ଭୁବନେଶ୍ବର: କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧୀନ ବିଶ୍ୱବିଦ୍ୟାଳୟ ମଞ୍ଜୁରି ଆୟୋଗ(ୟୁଜିସି)ର ସଂଶୋଧିତ ନିର୍ଦ୍ଦେଶାବଳୀ ପ୍ରକାଶ କରିଛି। ଏଥିରେ କୁହାଯାଇଛି ଯେ ଟର୍ମିନାଲ ସେମିଷ୍ଟର/ଶେଷବର୍ଷର ପରୀକ୍ଷା ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଶିକ୍ଷାନୁଷ୍ଠାନ ଦ୍ୱାରା ସେପ୍ଟେମ୍ବର ଶେଷ ସୁଦ୍ଧା ସମ୍ପନ୍ନ କରାଯିବ। ଏହି ପରୀକ୍ଷା ଉଭୟ ଅଫ୍‌ଲାଇନ(ଖାତା କଲମ)/ଅନ୍‌ଲାଇନ/ଉଭୟ ମିଶ୍ରିତ ବା ଅନ୍‌ଲାଇନ ସହ ଅଫ୍‌ଲାଇନରେ କରାଯିବ। ବ୍ୟାକ୍‌ ପେପର ଥିବା ଟର୍ମିନାଲ ସେମିଷ୍ଟର/ଶେଷବର୍ଷର ଛାତ୍ରଛାତ୍ରୀଙ୍କୁ ବାଧ୍ୟତାମୂଳକ ଭାବେ ଅଫ୍‌ଲାଇନ/ଅନ୍‌ଲାଇନ୍‌ କିମ୍ବା ଉଭୟ ପରୀକ୍ଷା ଦେବାକୁ ପଡ଼ିବ। ଏହି ପରୀକ୍ଷା ମାଧ୍ୟମରେ ସେମାନଙ୍କ ମୂଲ୍ୟାୟନ କରାଯିବ। ତିନୋଟି ଯାକ ପଦ୍ଧତିର ପରୀକ୍ଷା ମଧ୍ୟରୁ ଛାତ୍ରଛାତ୍ରୀଙ୍କୁ ନିଜର ସୁବିଧା ଅନୁସାରେ ଯେକୌଣସି ଗୋଟିଏ ବାଛିବାକୁ ପଡ଼ିବ। ଯଦି କୌଣସି କାରଣରୁ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ପରୀକ୍ଷା ଦେଇ ନ ପାରନ୍ତି ସେମାନଙ୍କ ପାଇଁ ସ୍ୱତନ୍ତ୍ର ପରୀକ୍ଷା ବ୍ୟବସ୍ଥା କରିବାକୁ ପଡ଼ିବ। ଏହି ପରୀକ୍ଷା ନିଜ ସୁବିଧା ମତେ ଏବଂ ପରିସ୍ଥିତିକୁ ଦେଖି ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ କରାଇବେ। ଏଭଳି ବ୍ୟବସ୍ଥା ଲାଗୁ ହେବ‌ା ନେଇ ଗତକାଲି ଘୋଷଣା କରାଯିବା ପରେ ଛାତ୍ରଛାତ୍ରୀ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ପୁଣିଥରେ ପରୀକ୍ଷା ହେବ କି? ଯଦି ହୁଏ ସେଥିପାଇଁ କେମିତି ପ୍ରସ୍ତୁତ ହେବେ? ଏବେ ପଢ଼ାପଢ଼ିରୁ ନିବୃତ୍ତ ରହିଥିବାରୁ ପରୀକ୍ଷା ହେଲେ ଭଲ ହେବ ନାହିଁ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି।

ଛାତ୍ରଛାତ୍ରୀ ଏଭଳି ଦ୍ବନ୍ଦ୍ବରେ ଥିବା ବେଳେ ଉଚ୍ଚଶିକ୍ଷା ବିଭାଗ କିନ୍ତୁ ଚୁପ୍‌। ବିଭାଗୀୟ ଅଧିକାରୀମା‌ନେ ମୁହଁ ‌ଖୋଲୁନାହାନ୍ତି। ବିଶ୍ବବିଦ୍ୟାଳୟ କୁଳପତିମାନେ ବି କିଛି କହୁନାହାନ୍ତି। ତେବେ ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କରୋନା ପାଇଁ ଯୁକ୍ତ୩ ଶେଷ ବର୍ଷ ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା ନ କରିବାକୁ ନିଷ୍ପତ୍ତି ହୋଇଛି। ପୂର୍ବ ପରୀକ୍ଷାଗୁଡ଼ିକର ହାରାହାରି ମାର୍କ ଆଧାରରେ ଛାତ୍ରଛାତ୍ରୀଙ୍କୁ ପାସ୍‌ କରିବାକୁ ସ୍ଥିର ହୋଇଥିଲା। ଏପ୍ରିଲ ଗାଇଡ୍‌ଲାଇନ ଅନୁସାରେ ପୂର୍ବ ନିଷ୍ପତ୍ତି ନିଆଯାଇଥିଲା। ଏବେ ୟୁଜିସି ପୁଣି ନୂଆ ଗାଇଡ୍‌ଲାଇନ କଥା କହିଥିବାରୁ ଏହାକୁ ନେଇ ପୁଣିଥରେ ବୈଠକ କରାଯିବ। ଏହାଦ୍ବାରା ଛାତ୍ରଛାତ୍ରୀ ନିଶ୍ଚିନ୍ତ ଦ୍ବନ୍ଦ୍ୱରେ ପଡ଼ିବେ। ‌ତେବେ ଯାହା କିଛି ନିଷ୍ପତ୍ତି ନିଆଯିବ ତାହା ଛାତ୍ରଛାତ୍ରୀଙ୍କ ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ହେବ।

ସମ୍ବନ୍ଧିତ ଖବର