ବିଶ୍ବବିଦ୍ୟାଳୟ ପରୀକ୍ଷା ଲାଗି ୟୁଜିସିର ସଂଶୋଧିତ ଗାଇଡ୍‌ଲାଇନ୍‌ : ସେପ୍ଟେମ୍ବର ଶେଷ ସପ୍ତାହରେ ପରୀକ୍ଷା

ଭୁବନେଶ୍ବର : କରୋନାଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚରୁ ଅଟକି ରହିଥିବା ବିଶ୍ବବିଦ୍ୟାଳୟଗୁଡ଼ିକର ଶେଷ ବର୍ଷ ପରୀକ୍ଷା କରିବାକୁ ଅନୁମତି ମିଳିଛି। ସୁରକ୍ଷା ବ୍ୟବସ୍ଥା ବଜାୟ ରଖି ୟୁଜିସି(ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ)ର ଗାଇଡ୍‌ଲାଇନ୍‌ ଅନୁଯାୟୀ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ପରୀକ୍ଷା କରାଇପାରିବେ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଜି କେନ୍ଦ୍ର ଉଚ୍ଚଶିକ୍ଷା ସଚିବଙ୍କୁ କୁହାଯାଇଛି। ଏକାଡେମିକ୍ କ୍ୟାଲେଣ୍ଡର ଅନୁଯାୟୀ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦିତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସ୍‌ଓପି) ଅନୁଯାୟୀ ହିଁ ଚୂଡ଼ାନ୍ତ ପରୀକ୍ଷା କରାଯିବ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ମିଳିବା ପରେ ୟୁଜିସି ପକ୍ଷରୁ ସଂଶୋଧିତ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ବର୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ୟୁଜିସି ପକ୍ଷରୁ ପୂର୍ବରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌କୁ ସମୀକ୍ଷା କରିବାକୁ ବିଶେଷଜ୍ଞ କମିଟିକୁ କୁହାଯାଇଥିଲା। ସେହି ଆଧାରରେ ବିଶେଷଜ୍ଞ କମିଟିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ୬ ତାରିଖରେ ଅନୁଷ୍ଠିତ ହେବା ସହ ସଂଶୋଧିକ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ଏଥିରେ କୁହାଯାଇଛି ଯେ ବିଶ୍ବବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ଟର୍ମିନାଲ ସେମିଷ୍ଟାର ତଥା ଶେଷବର୍ଷ ସେମିଷ୍ଟାର ପରୀକ୍ଷା ସେପ୍ଟେମ୍ବର ମାସ ଶେଷ ସପ୍ତାହରେ କରାଯାଇ ପାରିବ। ଅଫ୍‌ଲାଇନ୍‌(ପେନ୍‌ ଆଣ୍ଡ ପେପର), ଅନ୍‌ଲାଇନ୍‌, ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ମୋଡ୍‌ରେ ପରୀକ୍ଷା କରିପାରିବେ। ଯେଉଁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅସମ୍ପୂର୍ଣ୍ଣ ଥିବ ସେମାନେ ପରୀକ୍ଷା ଦେବା ବାଧ୍ୟତାମୂଳକ। ଯଦି କୌଣସି କାରଣବଶତଃ ଛାତ୍ରଛାତ୍ରୀ ଶେଷ ସେମିଷ୍ଟାର ପରୀକ୍ଷା ଦେଇ ନ ପାରନ୍ତି ସେଭଳି ସ୍ଥିତିରେ ପରବର୍ତୀ ସମୟରେ ବିଶ୍ବବିଦ୍ୟାଳୟ ପକ୍ଷରୁ ପରୀକ୍ଷା କରାଯିବ। ଛାତ୍ରଛାତ୍ରୀ ଏଥିରେ ଭାଗ ନେଇପାରିବେ। ଏହି ବ୍ୟବସ୍ଥା କେବଳ ୨୦୧୯-୨୦ ଶିକ୍ଷାବର୍ଷରେ ଲାଗୁ ହେବ। ଏପ୍ରିଲ ୨୯ ତାରିଖରେ ଜାରି ହୋଇଥିବା ବିଜ୍ଞପ୍ତି ଅପରିବର୍ତ୍ତିତ ରହିବ ବୋଲି ସ୍ପଷ୍ଟ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ବର୍ତମାନ ସୁଦ୍ଧା ମହାରାଷ୍ଟ୍ର, ରାଜସ୍ଥାନ ମଧ୍ୟପ୍ରଦେଶ, ଓଡିଶା ଓ ହରିୟାଣା ସମେତ କେତେକ ରାଜ୍ୟ ସରକାର ଉଚ୍ଚ ଶିକ୍ଷାନୁଷ୍ଠାନ ପରୀକ୍ଷାକୁ ବାତିଲ କରିଛନ୍ତି। ଛାତ୍ରଛାତ୍ରୀଙ୍କ ପୂର୍ବ ପ୍ରଦର୍ଶନ ଆଧାରରେ ପାସ୍‌ କରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନୂତନ ଗାଇଡ୍‌ଲାଇନ୍‌ ଆସିବା ପରେ ଓଡ଼ିଶାରେ ଶେଷ ସେମିଷ୍ଟାର ପରୀକ୍ଷା ହେବ କି ନାହିଁ ତାହାକୁ ନେଇ ଛାତ୍ରଛାତ୍ରୀ ଦ୍ବନ୍ଦ୍ବରେ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର