ବ୍ରହ୍ମପୁର : ଗୋଟିଏ ନାଁ ରେ ଗୋଟିଏ ସ୍ଥାନରେ ତିନି ତିନିଟି ଅନୁଷ୍ଠାନ। ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟ‌ାଳୟ, ଖଲ୍ଲିକୋଟ କ୍ଲଷ୍ଟର ବିଶ୍ବବିଦ୍ୟାଳୟ, ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ। କାହାର ସ୍ଥିତି କଣ ? କାହାକୁ ମାନ୍ୟତା ଦିଆଯିବ କାହାର ମାନ୍ୟତା ରହିବନି? ଏଭଳି ଦ୍ବନ୍ଦ୍ବରେ ପଡ଼ିଛି ୟୁଜିସି(ୟୁନିଭରସିଟି ଗ୍ରାଣ୍ଟ କମିସନ୍)। ଏବେ ୟୁଜିସିକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସ୍ପଷ୍ଟୀକରଣ ପଠାଇଥିବା ଜଣାପଡ଼ିଛି।

Advertisment

ଆଉ ମାସ କେଇଟା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ଘୋଷଣା ହୋଇ କାର୍ଯ୍ୟକ୍ଷମ ହେବାକୁ ୨ବର୍ଷ ପୁରିବ। ଆଉ ଏହି ବିଶ୍ବବିଦ୍ୟାଳୟ ଅଧୀନରେ ପ୍ରଥମ ବର୍ଷ ପିଜି ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ପାଠପଢ଼ା ମଧ୍ୟ ଶେଷ ହେବାକୁ ଯାଉଛି। କିନ୍ତୁ ଏପର୍ଯ୍ୟନ୍ତ ଏହି ବିଶ୍ବବିଦ୍ୟାଳୟକୁ ୟୁଜିସି ମାନ୍ୟତା ମିଳି ପାରିନାହିଁ। ଏସମ୍ପର୍କିତ ଏକ ଖବର ଗତ ଫେବ୍ରୁଆରି ମାସରେ‘ସମ୍ବାଦ‘ରେ ପ୍ରକାଶ ପାଇବା ପରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ହଠାତ୍ ତତ୍ପର ହୋଇଉଠିଥିଲା। ୟୁଜିସିକୁ ଚିଠି ଲେଖି ଏହି ନୂଆ ବିଶ୍ବବିଦ୍ୟାଳୟକୁ ସ୍ବୀକୃତି ପ୍ରଦାନ ପାଇଁ ନିବେଦନ କରାଯାଇଥିଲା। କିନ୍ତୁ ଉଚ୍ଚଶିକ୍ଷା ବିଭାଗର ଘଡ଼ିକେ ଘୋଡ଼ା ଛୁଟିବା ନୀତି ଏଥିରେ ଅନ୍ତରାୟ ସୃଷ୍ଟି କରିଥିଲା। ୟୁଜିସିର ଅଣ୍ଡର୍‌ ସେକ୍ରେଟାରି ଏନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗକୁ ସ୍ପଷ୍ଟୀକରଣ ମାଗିଥିଲା। ଗତ ୧୩ତାରିଖରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ବତନ୍ତ୍ର ସଚିବ ବୀରେନ୍ଦ୍ର କୋର୍କରା ୟୁଜିସିକୁ ଚିଠି ଲେଖି ସ୍ପଷ୍ଟୀକରଣ ଦେଇଛନ୍ତି।

୨୦୧୫ରେ ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ସମେତ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ୫ଟି ମହାବିଦ୍ୟାଳୟକୁ ନେଇ ରାଜ୍ୟ ସରକାର ଖଲ୍ଲିକୋଟ କ୍ଲଷ୍ଟର ବିଶ୍ବବିଦ୍ୟାଳୟ ସ୍ଥାପନ କରିଥିଲେ। କିନ୍ତୁ ଯେଉଁ ଲକ୍ଷ୍ୟ ନେଇ ଏହି କ୍ଲଷ୍ଟର ବିଶ୍ବବିଦ୍ୟାଳୟ ଗଠନ ହୋଇଥିଲା, ତାହା ପୂରଣ ନହେବାରୁ ପୁନଃ ୨୦୨୦ରେ ୫ଟି ମହାବିଦ୍ୟାଳୟକୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଧୀନକୁ ଫେରାଇ ନିଆଯାଇଥିଲା। ଖଲ୍ଲିକୋଟ କ୍ଲଷ୍ଟର ବିଶ୍ବବିଦ୍ୟାଳୟ ଅଧୀନରେ କୌଣସି ମହାବିଦ୍ୟାଳୟ ନରହି ଏହାକୁ ଗବେଷଣାତ୍ମକ ବିଶ୍ବବିଦ୍ୟାଳୟ(ରିସର୍ଚ୍ଚ ଇଣ୍ଟେନ୍‌ସିଭ୍ ୟୁନିଭରସିଟି)ରେ ପରିଣତ କରାଯାଇଥିଲା। ମାତ୍ର ଗୋଟିଏ ବର୍ଷ ପାଇଁ କାର୍ଯ୍ୟକ୍ଷମ ହେବାପରେ ୨୦୨୧ମେ ରେ ଏହି ବିଶ୍ବବିଦ୍ୟାଳୟକୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ବିଲୀନ କରି ଦିଆଯାଗଲା। ସେହିବର୍ଷ ଅଗଷ୍ଟ ପହିଲାରେ ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ୍-୧୯୮୯ର ଅନୁଚ୍ଛେଦ ୩୨ଅନୁଯାୟୀ, ରାଜ୍ୟ ସରକାରଙ୍କ ମିଳିଥିବା କ୍ଷମତାକୁ ଉପଯୋଗ କରି ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟକୁ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟକୁ ଉନ୍ନୀତ (ଅପ୍‌ଗ୍ରେଡ଼) କରାଯାଇଥିଲା। ତେଣୁ ୟୁଜିସିର ୱେବ୍‌ସାଇଟ୍‌ରେ ପୂର୍ବରୁ ଉପଲବ୍ଧ ଥିବା ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର ନାମକୁ ହଟାଇ ବର୍ତ୍ତମାନ ସ୍ବୟଂଶାସିତ ମହାବିଦ୍ୟାଳୟରୁ ଏକକ ବିଶ୍ବବିଦ୍ୟାଳୟକୁ ଉନ୍ନୀତ ହୋଇଥିବା ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ନାମକୁ ସ୍ଥାନିତ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୟୁଜିସିକୁ ପ୍ରେରିତ ଚିଠିରେ ଉଲ୍ଲେଖ ଥିବା ସୂଚନା ମିଳିଛି। ତେବେ ସ୍ପଷ୍ଟୀକରଣ ପାଇବା ପରେ ୟୁଜିସି ପକ୍ଷରୁ କଣ ପ୍ରତିକ୍ରିୟା ଆସୁଛି? ସ୍ବୀକୃତି ପ୍ରଦାନ କରିବ ନା ଆଉ କିଛି କେଁ ରହିଛି ତାହା ଦେଖିବାକୁ ବାକି ରହିଲା।