ଭୁବନେଶ୍ବର/ନୂଆଦିଲ୍ଲୀ: ଥରେ ନୁହେଁ। ଦୁଇ ଦୁଇ ଥର ଚିଠି ଲେଖାଗଲାଣି। ସମାବର୍ତ୍ତନ ତଥା ଦୀକ୍ଷାନ୍ତ ସମାରୋହରେ ହସ୍ତତନ୍ତରେ ପ୍ରସ୍ତୁତ ପୋଷାକ ପରିଧାନ କରିବାକୁ ଓଡ଼ିଶା ସମେତ ଦେଶର ସମସ୍ତ ବିଶ୍ବବିଦ୍ୟାଳୟକୁ କୁହାଯାଇଛି। ତା’ସତ୍ତ୍ବେ ମଧ୍ୟ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ନିର୍ଦ୍ଦେଶକୁ ଦେଶର ଅଧିକାଂଶ ଶିକ୍ଷାନୁଷ୍ଠାନ ଆଦୌ ଗ୍ରହଣ କରୁନାହାନ୍ତି। ୯ ବର୍ଷ ହେଲା କେନ୍ଦ୍ର ସରକାର ଏହା ଉପରେ ପ୍ରାଥମିକତା ଦେଉଥିଲେ ମଧ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକର ବ୍ୟବହାରକୁ ନେଇ ୟୁଜିସି ଅସନ୍ତୋଷ ପ୍ରକାଶ ସହ ତୁରନ୍ତ କାର୍ଯ୍ୟକାରୀ କରିବାକୁ ପୁଣିଥରେ ନିର୍ଦ୍ଦେଶ ଦେଇଛି।

Advertisment

ୟୁଜିସି ସଚିବ ପ୍ରଫେସର ମନୋଜ ଯୋଶୀ ଦେଶର ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଓ ମହାବିଦ୍ୟାଳୟ ଅଧ୍ୟକ୍ଷମାନଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଦୀକ୍ଷାନ୍ତ ସମାରୋହରେ ହସ୍ତତନ୍ତରେ ପ୍ରସ୍ତୁତ ପୋଷାକ ପିନ୍ଧିବାକୁ ୨୦୧୫ ଜୁଲାଇ ୧୫ ଓ ୨୦୧୯ ଜୁନ୍‌ ୭ ତାରିଖରେ ୟୁଜିସି ପକ୍ଷରୁ ନିବେଦନ କରାଯାଇଥିଲା। ୟୁଜିସିର ପରାମର୍ଶ ଅନୁଯାୟୀ ଦେଶର ‌କେତେକ ବିଶ୍ବବିଦ୍ୟାଳୟ ଇତି ମଧ୍ୟରେ ଦୀକ୍ଷାନ୍ତ ସମାରୋହରେ ହସ୍ତତନ୍ତ ପୋଷାକ ପରିଧାନ କରିଛନ୍ତି। ମାତ୍ର ଅଧିକାଂଶ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଏହାକୁ ବର୍ତ୍ତମାନ ସୁଦ୍ଧା ଲାଗୁ କରି ନ ଥିବା ନଜରକୁ ଆସିଛି। ତେଣୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷମାନେ ଏଦିଗରେ ତୁରନ୍ତ ପଦକ୍ଷେପ ନେବା ସହ ଦୀକ୍ଷାନ୍ତ ସମାରୋହର ଡ୍ରେସ କୋର୍ଡରେ ହସ୍ତତନ୍ତ ପୋଷାକ ପରିଧାନକୁ ସାମିଲ କରିବାକୁ ୟୁଜିସି ପକ୍ଷରୁ ପୁଣିଥରେ ଅନୁରୋଧ କରାଯାଇଛି। ହସ୍ତତନ୍ତରେ ତିଆରି ପୋଷାକ ଭାରତୀୟ ଜଳବାୟୁରେ ସବୁ ସମୟରେ ଆରାମଦାୟକ ହୋଇଥାଏ। ଏହାକୁ ପରିଧାନ କରିବା ଦ୍ବାରା ବିଦ୍ୟାର୍ଥୀମାନେ ନିଜକୁ ଭାରତୀୟ ହେବାର ଗର୍ବ ଅନୁଭବ କରିଥାନ୍ତି। ଏଥିସହ ଗ୍ରାମୀଣ ‌କ୍ଷେତ୍ରରେ ରୋଜଗାରର ଅବସର ସୃଷ୍ଟି ହେବ।