ୟୁଜିସି ପକ୍ଷରୁ ବିଶ୍ବବିଦ୍ୟାଳୟଗୁଡ଼ିକୁ କଡ଼ା ଚିଠି : ଖାଲି ପଦ ତଥ୍ୟ ଦିଅ

ଭୁବନେଶ୍ବର : ଦେଶରେ ଥିବା ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକରେ ଶିକ୍ଷକ ଓ ଅଣଶିକ୍ଷକ ପଦ ଖାଲି ପଡ଼ିଛି। ସ୍ଥିତି ଏମିତି ହେଲାଣି ‌ଯେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଗାଇଡ୍‌ଲାଇନ୍‌ ଅନୁଯାୟୀ, ପ୍ରତି ବିଭାଗରେ ଆବଶ୍ୟକୀୟ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର୍‌ ନାହାନ୍ତି। ‌କେଉଁଠି ଜଣେ ପ୍ରଫେସର୍‌ରେ ବିଭାଗ ଚାଲିଛି ତ ଆଉ କେଉଁଠି ଅତିଥି ଅଧ୍ୟାପକ ନିଯୁକ୍ତ ହୋଇଛନ୍ତି। ଓଡ଼ିଶାରେ ବି ସମାନ ସ୍ଥିତି ଉପୁଜିଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ୧୧ଟି ଯାକ ବିଶ୍ବବିଦ୍ୟାଳୟରେ ୮୦୦ରୁ ଅଧିକ ଶିକ୍ଷକ ପଦ ଖାଲି ପଡ଼ିଛି। ଦୁଇ ବର୍ଷ ହେଲା ରାଜ୍ୟରେ ଥିବା ବିଶ୍ବବିଦ୍ୟାଳୟଗୁଡ଼ିକରେ ନିଯୁକ୍ତି ପ୍ରକ୍ରିୟା ହୋଇପାରୁ ନଥିବାରୁ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ମିଳିପାରୁନି। ଦେଶର ଅଧିକାଂଶ ରାଜ୍ୟର ଏଭଳି ସମସ୍ୟାକୁ ନେଇ ୟୁଜିସି ଚିନ୍ତା ପ୍ରକଟ କରିଛି। ବିଶ୍ବବିଦ୍ୟାଳୟ ଓ ଅଧୀନରେ ଥିବା କଲେଜଗୁଡ଼ିକରେ କେତେ ଶିକ୍ଷକ ରହିଛନ୍ତି। କେତେ ଶିକ୍ଷକ ଓ ଅଣଶିକ୍ଷକ ପଦ ଖାଲି ରହିଛି, ସେନେଇ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ୟୁଜିସି ପକ୍ଷରୁ ସମସ୍ତ ବିଶ୍ବବିଦ୍ୟାଳୟକୁଡ଼ିକୁ କଡ଼ା ନିର୍ଦେଶ ଦିଆଯାଇଛି। ୨୦ ତାରିଖ ମଧ୍ୟରେ ଓଡ଼ିଶା ସମେତ ଦେଶରେ ଥିବା ସମସ୍ତ ବିଶ୍ବବିଦ୍ୟାଳୟ ଏନେଇ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି।

ବଡ଼ କଥା ହେଲା ଯେ ୟୁଜିସିର ବାରମ୍ବାର ଚିଠି ପରେ ବି ବିଶ୍ବବିଦ୍ୟାଳୟଗୁଡ଼ିକ ଏ ଦିଗରେ ପଦକ୍ଷେପ ନେଉନାହାନ୍ତି। ଜୁନ୍‌ ୪ରେ ବି ୟୁଜିସି ପକ୍ଷରୁ ଚିଠି ଲେଖାଯାଇ ବିଶ୍ବବିଦ୍ୟାଳୟ, କଲେଜ ଓ ଡିମ୍‌ଡ ଟୁ ବି ୟୁନିଭରସିଟିଗୁଡ଼ିକରେ ଶିକ୍ଷକ ନିଯୁକ୍ତି ନେଇ ଗାଇଡ୍‌ଲାଇନ୍‌ ଜାରି ହୋଇଥିଲା। ଶିକ୍ଷକ ଅଭାବ ଯୋଗୁଁ ଗୁଣାତ୍ମକ ଶିକ୍ଷା ପ୍ରଭାବିତ ହେଉଛି। ତେଣୁ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ଖାଲିଥିବା‌ ପଦ ପୂରଣ କରିବାକୁ କୁହାଯାଇଥିଲା। ଏହାପରେ ବି କୌଣସି ବିଶ୍ବବିଦ୍ୟାଳୟ ଓ କଲେଜ ପଦ‌କ୍ଷେପ ନେଇ ନଥିଲେ। ଯେଉଁଥିପାଇଁ ଅଗଷ୍ଟ ୭ରେ ପୁଣିଥ‌ରେ ଚିଠି ଲେଖାଯାଇଥିଲା। ଅଗଷ୍ଟ ୧୦ ସୁଦ୍ଧା ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ନିର୍ଦେଶ ଦିଆଯାଇଥିଲା। ତା’ ପରେ ବି ବିଶ୍ବବିଦ୍ୟାଳୟ ଓ କଲେଜ କର୍ତୃପକ୍ଷ ଚିଠି ପ୍ରତି ଧ୍ୟାନ ଦେଇ ନଥିଲେ। ତେଣୁ ୟୁଜିସି ପକ୍ଷରୁ ଏବେ କଡ଼ା ଚିଠି ଲେଖାଯାଇ ୨୦ ତାରିଖ ସୁଦ୍ଧା ଖାଲିଥିବା ପଦ ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ କୁହାଯାଇଛି। ଏଥିସହ ନିଯୁକ୍ତି ପ୍ରକ୍ରିୟା ଲାଗି ଗାଇଡ୍‌ଲାଇନ୍‌ ବି ଜାରି ହୋଇଛି।

ସମ୍ବନ୍ଧିତ ଖବର