କଟକ: ଇଂରାଜୀ ଅଧ୍ୟାପକଙ୍କୁ ୟୁଜିସି ସ୍କେଲ୍ ଦରମା ପ୍ରଦାନ ସପକ୍ଷରେ ୨୦୦୮ ମେ ୩୧ରେ ରାଜ୍ୟ ଶିକ୍ଷା ଟ୍ରିବୁନାଲ ପ୍ରଦାନ କରିଥିବା ରାୟ ହାଇକୋର୍ଟରେ କାଏମ ରହିଛି। ଶିକ୍ଷା ଟ୍ରିବୁନାଲଙ୍କ ରାୟକୁ ଚାଲେଞ୍ଜ କରି ରାଜ୍ୟ ସରକାରଙ୍କ ତରଫରୁ ଦାୟର ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ମାମଲାର ପ୍ରତିପକ୍ଷ ଦାଶରଥୀ ସାହୁ ୟୁଜିସି ସ୍କେଲ ଅଫ୍ ପେ ପାଇବାକୁ ଯୋଗ୍ୟ ବୋଲି ହାଇକୋର୍ଟ ମତ ଦେବା ସହିତ ଶିକ୍ଷା ଟ୍ରିବୁନାଲଙ୍କ ରାୟରେ ହସ୍ତକ୍ଷେପ ପାଇଁ ମନା କରିଛନ୍ତି। ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି। ହାଇକୋର୍ଟଙ୍କ ରାୟ ପରେ ଦାଶରଥି ସାହୁ ୧୯୮୬ ଜାନୁଆରି ୧ରୁ ୟୁଜିସି ସ୍କେଲ ଅଫ୍ ପେ ପାଇବେ। ଇତିମଧ୍ୟରେ ଶ୍ରୀ ସାହୁ ଅବସର ନେଇ ସାରିଥିବାରୁ ୩୮ ବର୍ଷ ପରେ ସଂଶୋଧିତ ହାରରେ ତାଙ୍କୁ ବେତନ ଓ ଅବସରକାଳୀନ ପ୍ରାପ୍ୟ ମିଳିବ।
ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୮୦, ମାର୍ଚ୍ଚ ୨୨ରେ ପୁରୀ ଜିଲ୍ଲା କାକଟପୁରସ୍ଥିତ ମଙ୍ଗଳା ମହାବିଦ୍ୟାଳୟ(ଯୁକ୍ତ ଦୁଇ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ)ରେ ଇଂରାଜୀ ଅଧ୍ୟାପକ ଭାବେ ଶ୍ରୀ ସାହୁ ଯୋଗ ଦେଇଥିଲେ। ୧୯୯୨, ଅଗଷ୍ଟ ୨୭ରେ ଶ୍ରୀ ସାହୁଙ୍କ ନିଯୁକ୍ତିକୁ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ଅନୁମୋଦନ ମିଳିଥିଲା। ୧୯୯୫ରେ ତାଙ୍କର ନୟାଗଡ଼ କଲେଜକୁ ବଦଳି ହୋଇଥିଲା। ମଙ୍ଗଳା ମହାବିଦ୍ୟାଳୟ ଓ ନୟାଗଡ଼ କଲେଜ ଉଭୟଙ୍କୁ ୧୯୮୯, ଏପ୍ରିଲ ୧ ପୂର୍ବରୁ ଯୁକ୍ତ ତିନି ପାଠ୍ୟକ୍ରମ ପାଇଁ ଅନୁମତି ମିଳିଥିଲା। ଏଭଳି ସ୍ଥିତିରେ ଆବେଦନକାରୀ ୟୁଜିସି ସ୍କେଲ ଦରମା ପାଇବା ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ତାଙ୍କୁ ଏହା ପ୍ରଦାନ କରାଯାଇ ନଥିଲା। ଏ ସଂପର୍କିତ ଆବେଦନକାରୀଙ୍କ ଦାବିକୁ ସରକାର ୨୦୦୫, ଅଗଷ୍ଟ ୬ରେ ଖାରଜ କରିଥିଲେ। ଏହି ପ୍ରସଂଗ ନେଇ ସେ ଶିକ୍ଷା ଟ୍ରିବୁନାଲଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୦୮, ମେ ୩୧ରେ ଶିକ୍ଷା ଟ୍ରିବୁନାଲ ୨୦୦୫, ଅଗଷ୍ଟ ୬ର ସରକାରୀ ନିର୍ଦ୍ଦେଶକୁ ରଦ୍ଦ କରିବା ସହିତ ଶ୍ରୀ ସାହୁ ୧୯୮୬, ଜାନୁଆରି ୧ରୁ ୟୁଜିସି ସ୍କେଲ ପାଇବାକୁ ଯୋଗ୍ୟ ବୋଲି ରାୟ ଦେଇଥିଲେ। ୨୦୦୯ରେ ରାଜ୍ୟ ସରକାର ଶିକ୍ଷା ଟ୍ରିବୁନାଲଙ୍କ ରାୟକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାୟର କରିଥିଲେ। ହାଇକୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ଶ୍ରୀ ସାହୁ ପିପିଲି କଲେଜରୁ ୨୦୧୭, ମାର୍ଚ୍ଚରେ ଅବସର ଗ୍ରହଣ କରିଥିଲେ। ଅନ୍ୟପକ୍ଷରେ ହାଇକୋର୍ଟରେ ମାମଲା ବିଚାରାଧୀନ ଥିବା ଦର୍ଶାଇ ଶିକ୍ଷା ଟ୍ରିବୁନାଲଙ୍କ ନିର୍ଦ୍ଦେଶ ସରକାର କାର୍ଯ୍ୟକାରୀ କରି ନଥିଲେ। ଏହାପରେ ପୂର୍ଣ୍ଣାଙ୍ଗ ଶୁଣାଣି ହୋଇଥିଲା ଓ ୨୦୦୯ରୁ ବିଚାରାଧୀନ ଥିବା ସରକାରଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଥିଲେ। ଶ୍ରୀ ସାହୁଙ୍କ ତରଫରୁ ଆଇନଜୀବୀ ଡକ୍ଟର ଜିତେନ୍ଦ୍ର କୁମାର ଲେଙ୍କା ମାମଲା ପରିଚାଳନା କରୁଥିଲେ।