ଭୁବନେଶ୍ବର: ପୁଣି ଏକ ନିରୀହ ଜୀବନ ନେଇଛି ଭୁବନେଶ୍ୱରର ମୁକୁଳା ଡ୍ରେନ୍। ଆଜି ଅପରାହ୍ନରେ ହୋଇଥିବା ପ୍ରବଳ ବର୍ଷା ପରେ ନଳାରେ ପଡ଼ି ୟୁନିଟ୍-୩ ମସଜିଦ କଲୋନିର ୧୦ ବର୍ଷର ନାବାଳକ ଏସ୍କେ ରାଜେଶଙ୍କର ମୃତ୍ୟୁ ଘଟିଛି। ନଳାରେ ପଡ଼ି ଭାସିଯିବାର ଘଣ୍ଟାଏ ପରେ ପ୍ରାୟ ୩କିମି ଦୂରରେ ରାଜେଶଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନଳାରେ ସ୍ଲାବ୍ ଓ ଜାଲି କରୁନଥିବାରୁ ବିଏମ୍ସିକୁ ଦାୟୀ କରି କଲୋନିରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ କ୍ୟାପିଟାଲ୍ ହସ୍ପିଟାଲ୍ରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ରାଜେଶ ଥିଲେ ସେକ୍ ଜୁମତି ଶାହା ଓ ରୁକ୍ସାନା ବିବିଙ୍କର ଦ୍ବିତୀୟ ପୁତ୍ର। ଜୁମତି ଜଣେ କବାଡ଼ିଆ ହୋଇଥିବା ବେଳେ ରୁକ୍ସାନା ଅଙ୍ଗନବାଡ଼ି ସହାୟିକା। ଆଜି ଅପରାହ୍ନରେ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଥିଲା। ସବୁ ଡ୍ରେନ୍ରେ ବର୍ଷାପାଣିର ସୁଅ ପଡ଼ିଥିଲା। ମସ୍ଜିଦ୍ କଲୋନି ଦେଇ ଯାଇଥିବା ମୁଖ୍ୟ ନଳା-୫ରେ ବି ପାଣିର ବେଗ ପ୍ରଖର ଥିଲା। ଅପରାହ୍ନ ପ୍ରାୟ ସାଢ଼େ ୨ଟା ବେଳେ ନଳା ନିକଟରେ ରାଜେଶ ସାଙ୍ଗମାନଙ୍କ ସହ ଖେଳୁଥିଲେ। ସେତେବେଳେ ନଳାରେ ବିଭିନ୍ନ ରଙ୍ଗର ୫ଟି ବେଲୁନ୍ ଏକାଠି ବନ୍ଧା ହୋଇ ଭାସି ଯାଉଥିଲା। ସାଙ୍ଗମାନେ ବାହାରେ ଛିଡ଼ା ହୋଇଥିବା ବେଳେ ରାଜେଶ ବେଲୁନ୍ ଆଣିବା ପାଇଁ ନଳା ଭିତରକୁ ପଶିଥିଲେ। ସେଠୁ ସେ ଆଉ ବାହାରି ପାରି ନଥିଲେ। ନଳାର ପ୍ରଖର ପାଣି ତାଙ୍କୁ ଭସାଇ ନେଇଥିଲା। ସାଙ୍ଗମାନେ ଚିତ୍କାର କରିବାରୁ ରାଜେଶର ଦାଦା ଏସ୍କେ ଜେରିଙ୍କ ସମେତ ଅନ୍ୟ କେତେକ ଯୁବକ ଡେଇଁ ପଡ଼ିଥିଲେ। ସେମାନେ ଦୀର୍ଘ ଘଣ୍ଟାଏ କାଳ ଖୋଜିଥିଲେ ମଧ୍ୟ ପାଇନଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଖୋଜାଖୋଜି କରିବାପରେ ଓସ୍କାର ସିଟି ପାଖରୁ ଚେତାଶୂନ୍ୟ ଅବସ୍ଥାରେ ରାଜେଶଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ତୁରନ୍ତ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
ଭାସିଗଲା ୧୦ ବର୍ଷର ନାବାଳକ
ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା
ଏହି ଦୁଃଖଦ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକବ୍ୟକ୍ତ କରିବା ସହ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ମୁକୁଳା ଡ୍ରେନରେ ପଡ଼ି ଅନେକ ଜୀବନ ନଷ୍ଟ ହେଉଥିବାରୁ ସେ ଗଭୀର ଦୁଃଖ ପ୍ରକାଶ କରିବା ସହ ଭୁବନେଶ୍ୱରର ସବୁ ମୁକୁଳା ଡ୍ରେନଗୁଡ଼ିକୁ ତୁରନ୍ତ ବନ୍ଦ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତା’ ସହିତ ମୃତ ବାଳକଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏହା ଷ୍ଟେଟ୍ ଡିଜାଷ୍ଟର ରେସ୍ପନ୍ସ ଫଣ୍ଡରୁ ପ୍ରଦାନ କରାଯିବ। ଖବର ପାଇ ମେୟର ସୁଲୋଚନା ଦାସ ଘଟଣାସ୍ଥଳରେ ପହଞ୍ଚି ଶୋକ ବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଥିଲେ। ସେ କହିଥିଲେ, ‘‘ସହରରେ ୭୭ କିମି ଲମ୍ବାର ମୁଖ୍ୟନଳା ରହିଛି। ଏଥିରେ ଶତପ୍ରତିଶତ ସ୍ଲାବ୍ ବା ଜାଲି କରାଯାଇ ପାରିନଥିବାରୁ ଏଭଳି ଅଘଟଣ ଘଟୁଛି। ଆମେ ଉଦ୍ୟମ କରୁଛୁ ଯେପରି ଏଭଳି ଅଘଟଣ ନ ଘଟୁ। ଏହି ଡ୍ରେନ୍ର କିଛି ଅଂଶ ରେଳବାଇ ଜାଗାରେ ରହୁଥିବାରୁ ସ୍ଲାବ୍ ଓ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ଆମେ ସେ ବିଭାଗକୁ ଚିଠି କରିବୁ।’’
ଏକାମ୍ର ବିଧାୟକ ବାବୁ ସିଂହ ଏହି ଅଘଟଣ ପାଇଁ ବିଏମ୍ସିକୁ ଦାୟୀ କରିଛନ୍ତି। ଲଗାତାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ବିଏମ୍ସି ଏହାକୁ ଗୁରୁତ୍ବର ସହ ନେଉନାହିଁ। ନିକଟ ଅତୀତରେ ସବୁ ଡ୍ରେନ୍ ବୁଲି ସ୍ଥିତି ପରିଖିବା ପରେ ସାଂସଦଙ୍କ ସହ ବିଏମ୍ସିରେ ସମୀକ୍ଷା କରିଥିଲେ। ବର୍ଷା ପୂର୍ବରୁ ସବୁ ଡ୍ରେନ୍ ସଫା ହେବା ସହ ସ୍ଲାବ୍ ପଡ଼ିଛି କି ନାହିଁ ତାହା ନିଶ୍ଚିତ କରିବା କଥା। କିନ୍ତୁ ତାହା ହୋଇ ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ୩ବର୍ଷ ତଳେ ବରମୁଣ୍ଡାର ଶତାବ୍ଦୀନଗରରେ ଡ୍ରେନରେ ଭାସି ଯାଇ ଜଣେ ୧୫ ବର୍ଷର ଛାତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୧୫ରୁ ଆଜି ପର୍ଯ୍ୟନ୍ତ ସମାନ ଢଙ୍ଗରେ ୫ ଜଣଙ୍କର ମୃତ୍ୟୁ ଘଟିଲାଣି।