ବିଜୁ ମହିଳା ଜନତା ଦଳର ଅଭିଯୋଗ : ‘ଉଜ୍ଜ୍ବଳା’ ସଂପୂର୍ଣ୍ଣ ବିଫଳ ହୋଇଛି

ମାତ୍ର ୧୦% ହିତାଧିକାରୀ ସୁବିଧା ପାଉଛନ୍ତି, ଯୋଜନାର ବାସ୍ତବ ଚିତ୍ର ନେଇ କେନ୍ଦ୍ର ମନ୍ତ୍ରୀ ଶ୍ବେତ ପତ୍ର ଉପସ୍ଥାପନ କରନ୍ତୁ

ଭୁବନେଶ୍ବର : ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ସଂପୂର୍ଣ୍ଣ ଭାବେ ବିଫଳ ହୋଇଛି ବୋଲି ବିଜୁ ମହିଳା ଜନତା ଦଳ ଅଭିଯୋଗ ଆଣିଛି। ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ମିନତି ବେହେରା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଗୃହିଣୀମାନଙ୍କୁ ମାଗଣାରେ ରନ୍ଧନ ଗ୍ୟାସ୍ ସିଲିଣ୍ଡର ଯୋଗାଇବା ନାମରେ ମହାଦୁର୍ନୀତି ହୋଇଛି। ଦେଶରେ ୫କୋଟି ମହିଳାଙ୍କୁ ଉଜ୍ଜ୍ବଳା ଯୋଜନାରେ ସିଲିଣ୍ଡର୍‌ ଯୋଗାଯାଇଛି ‌େବାଲି କେନ୍ଦ୍ର ସରକାର ଦାବି କରୁଛନ୍ତି। ହେଲେ ମହିଳାମାନେ ଏହାର ସୁଫଳ ପାଉନାହାନ୍ତି।

ଶ୍ରୀମତୀ ବେହେରା କହିଥିଲେ ଯେ, ଗତ ସଂସଦ ଅଧିବେଶନରେ ସାଂସଦ ପ୍ରଶାନ୍ତ ନନ୍ଦଙ୍କ ଅଣତାରକା ପ୍ରଶ୍ନ ଥିଲା ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାରେ ଓଡ଼ିଶାର କେତେ ଜଣ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଏହାର ଉତ୍ତର‌େର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣାଇଥିଲେ ଯେ, ଯୋଜନା ଆରମ୍ଭ ହେବା ଦିନଠାରୁ ଗତ ଜୁଲାଇ ତାରିଖ ସୁଦ୍ଧା ଓଡ଼ିଶାରେ ୩୦ଲକ୍ଷ ୪୮ହଜାର ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ୍‌ କରାଯାଇଛି। କେବଳ ଅନୁଗୁଳରେ ୧୦୫୫୦୮ ଜଣ ହିତାଧିକାରୀଙ୍କୁ ସାମିଲ୍‌ କରାଯାଇଥିଲା। ଆର୍ଥିକ ବର୍ଷ ୨୦୧୬-୧୭ରେ ମାତ୍ର ୩୫,୪୦୬ଜଣ ଦ୍ବିତୀୟ ରିଫିଲ୍ ନେଇଥିବାବେଳେ ୨୦୧୭-୧୮ରେ ଅଦ୍ୟାବଧି ୧୬,୯୫୦ଜଣ ହିତାଧିକାରୀ ଦ୍ବିତୀୟ ରିଫିଲ୍‌ ନେଇଛନ୍ତି। ରାଜ୍ୟରେ ସମୁଦାୟ ୩୦ଲକ୍ଷ ୪୮ହଜାର ହିତାଧିକାରୀଙ୍କ ମଧ୍ୟରୁ ଆର୍ଥିକ ବର୍ଷ ୨୦୧୬-୧୭ରେ ୮,୧୮,୭୮୬ଜଣ ଦ୍ବିତୀୟ ରିଫିଲ୍‌ ନେଇଛନ୍ତି। ୨୦୧୭-୧୮ରେ ବର୍ତ୍ତମାନ ସୁଦ୍ଧା ଏହା ହ୍ରାସ ପାଇ ୬,୪୫,୨୬୫ରେ ପହଞ୍ଚିଛି। ଏହି ପରିସଂଖ୍ୟାନ କହୁଛି ପ୍ରତିବର୍ଷ ଏହି ସଂଖ୍ୟା ହ୍ରାସ ପାଉଛି। ୨୪ଲକ୍ଷ ହିତାଧିକାରୀ କାହିଁକି ଗ୍ୟାସ୍ ପୂରଣ କଲେନି ପ୍ରଶ୍ନ ଉଠୁଛି। ବାସ୍ତବରେ ୧୦%ରୁ କମ୍ ହିତାଧିକାରୀ ସୁବିଧା ପାଉଛନ୍ତି ବୋଲି ଶ୍ରୀମତୀ ବ‌େହେରା କହିଛନ୍ତି।

ବିଜୁ ମହିଳା ଜନତା ଦଳ ପକ୍ଷରୁ କୁହାଯାଇଛି ଯେ, ବହୁ ହିତାଧିକାରୀ ଦ୍ବିତୀୟ ରିଫିଲ୍ ନକରିବାର କାରଣ ହେଉଛି ସେମାନଙ୍କୁ ଦ୍ବିତୀୟ ରିଫିଲ୍ ବଜାର ଦର ଅନୁସାରେ ନେବାକୁ କୁହାଯାଉଛି। ସବ୍‌ସିଡି ଅର୍ଥ ଠିକ୍‌ ଭାବେ ଆସୁନାହିଁ। ପ୍ରାୟ ୫/୭ମାସ ପରେ ସବ୍‌ସିଡି ଅର୍ଥ ମିଳୁଛି। ତେଣୁ ଏତେ ଦିନ ପର୍ଯ୍ୟନ୍ତ ଲୋକ ବଜାର ଦର ଅନୁସାରେ ସିଲିଣ୍ଡର ରିଫିଲ୍ କରିବାକୁ ଚାହୁଁନାହାନ୍ତି। ଅପରପକ୍ଷେ ହିତାଧିକାରୀ ଚୟନ ବିଜେପି ନେତାମାନଙ୍କ ଦ୍ବାରା ହୋଇଥିବାରୁ ଏହି ପ୍ରକ୍ରିୟାରେ ସ୍ବଚ୍ଛତା ଅବଲମ୍ବନ କରାଯାଇନି। ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଦ୍ବାରା ବଣ୍ଟାଯାଇଥିଲେ ପ୍ରକୃତ ହିତାଧିକାରୀ ଗ୍ୟାସ୍ ସଂଯୋଗ ପାଇଥାନ୍ତେ ଏବଂ ପରବର୍ତ୍ତୀ ସମୟରେ ସିଲିଣ୍ଡର ରିଫିଲ୍ କରିଥାନ୍ତେ।

ତେଣୁ ବିଜୁ ମହିଳା ଜନତା ଦଳ ପକ୍ଷରୁ ଦାବି କରାଯାଉଛି ଯେ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଏନେଇ ଓଡ଼ିଶା ବାସୀଙ୍କ ସମ୍ମୁଖରେ ସ୍ପଷ୍ଟୀକରଣ ରଖନ୍ତୁ। ଉଜ୍ଜ୍ବଳା ଯୋଜନାର ବାସ୍ତବ ଚିତ୍ର କ’ଣ ସେନେଇ ଏକ ଶ୍ବେତପତ୍ର ଉପସ୍ଥାପନ କରନ୍ତୁ। ବିପିଏଲ୍ ହିତାଧିକାରୀଙ୍କୁ ୫୦% ରିହାତିରେ ଗ୍ୟାସ୍‌ ସଂଯୋଗ ଏବଂ ସେହି ରିହାତିକୁ ତୁରନ୍ତ ହିତାଧିକାରୀଙ୍କୁ ଦିଆଯାଉ ବୋଲି ଦଳ ଦାବି କରିଛି।
ଆଜିର ସାମ୍ବାଦିକ ସମ୍ମିଳନୀରେ ବିଜୁ ମହିଳା ଜନତା ଦଳର ଉପଦେଷ୍ଟା କସ୍ତୁରୀ ମହାପାତ୍ର, କାର୍ଯ୍ୟକାରୀ ସଭାନେତ୍ରୀ ସୁଲୋଚନା ଦାସ, ସାଧାରଣ ସମ୍ପାଦିକ ସୁଲତା ଦେଓ ଓ ସମ୍ପାଦିକା ଏଲିନା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର