ବାଲେଶ୍ବର : କେବଳ କେନ୍ଦ୍ରାପଡ଼ାର ରାଜନଗର ନୁହେଁ, ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଉଜ୍ଜ୍ବଳା ଦୁର୍ନୀତି ଛୁଇଁଛି। ବାଲେଶ୍ବର ଜିଲ୍ଲାରେ ଶତାଧିକ ମହିଳା ଏହି ଯୋଜନାରୁ ବଂଚିତ ହେବା ଘଟଣାରୁ ଏହା ସ୍ପଷ୍ଟ େହାଇଛି।
ମିଳିଥିବା ତଥ୍ୟ ଅନୁଯାୟୀ ବାଲେଶ୍ବର ଜିଲ୍ଲା ପିଏମ୍ୟୁୱାଇରେ ବର୍ତ୍ତମାନ ସୁଦ୍ଧା ୧୩ ହଜାର ୨୨୬ ଏଲ୍ପିଜି ସଂଯୋଗ ବିପିଏଲ୍ ପରିବାରକୁ ଦିଆଯାଇଛି। ସେଥିମଧ୍ୟରୁ ବାହାନଗା ବ୍ଲକ୍ରେ ୮୨୦ଟି, ବାଲେଶ୍ବର ସଦର ବ୍ଲକ୍ରେ ୧୪୮୨, ବାଲିଆପାଳ ବ୍ଲକ୍ରେ ୧୩୪୭, ବସ୍ତା ବ୍ଲକ୍ରେ ୧୪୬୬, ଭୋଗରାଇ ବ୍ଲକ୍ରେ ୧୫୧୮, ଜଳେଶ୍ବର ବ୍ଲକ୍ରେ ୧୨୪୨, ଖଇରା ବ୍ଲକ୍ରେ ୧୭୩୫, ନୀଳଗିରି ବ୍ଲକ୍ରେ ୪୫୧, ଔପଦା ବ୍ଲକ୍ରେ ୭୬୬, ରେମୁଣା ବ୍ଲକ୍ରେ ୬୯୨, ସିମୁଳିଆ ବ୍ଲକ୍ରେ ୮୬୪ ଓ ସୋର ବ୍ଲକ୍ରେ ୮୪୩ଟି ବିପିଏଲ୍ ପରିବାରକୁ ଏଲ୍ପିଜି ସଂଯୋଗ ଦିଆଯାଇଛି। ତେବେ ବାସ୍ତବ କ୍ଷେତ୍ରରେ ଏହି ଯୋଜନାର କାର୍ଯ୍ୟକାରିତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭାତହାଣ୍ଡିରୁ ଗୋଟିଏ ଭାତ ଚିପିବା ଭଳି ସଦର ବ୍ଲକ୍ର ବର୍ଦ୍ଧନପୁର ଓ ଜୟଦେବକସପାପାହି ଗାଁରେ ଏହି ଯୋଜନାର ଅସଫଳତା ସାମ୍ନାକୁ ଆସିଛି।
ବର୍ଦ୍ଧନପୁର ମାଣସାହି ଗାଁର ଶ୍ରୀକାନ୍ତ ମଲ୍ଲିକଙ୍କ ସ୍ତ୍ରୀ ସେବତୀଙ୍କୁ ଗ୍ୟାସ୍ ସଂଯୋଗ ମିଳିଛି। ଟାଙ୍କିରେ ଗ୍ୟାସ୍ ଭରିବା ପାଇଁ ତାଙ୍କ ପାଖରେ ଟଙ୍କା ନାହିଁ, ତେଣୁ ସେହି କାଠ ଚୁଲିକୁ ଭରସା କରିଛନ୍ତି ସେବତୀ। ଗାଁର ଅର୍ଚ୍ଚନା ମଲିକ, ଲକ୍ଷ୍ମୀ ମହାଳିକ ଓ ରେବତୀ ମଲିକଙ୍କର ବି ସମାନ ସ୍ଥିତି। ଘର ଚଳିବା ପାଇଁ ଟଙ୍କା ନାହିଁ, ଗ୍ୟାସ୍ କିଣିବା ପାଇଁ ଟଙ୍କା କେଉଁଠୁ ଆଣିବେ ବୋଲି ସେମାନେ ପ୍ରଶ୍ନ କରୁଛନ୍ତି। ସେହିଭଳି ଜୟଦେବକସବାପାହି ଗାଁର କାର୍ତ୍ତିକ କୁଇଲି କହିଛନ୍ତି ଯେ ଗ୍ୟାସ୍ ସଂଯୋଗ ପାଇଁ ସେ ଗ୍ୟାସ୍ଡିଲରଙ୍କୁ ପାଞ୍ଚଶହ ଟଙ୍କା ଦେଇଥିଲେ। ଏବେ ହାତ ପାଖରେ କାଠ ଓ ଅନ୍ୟାନ୍ୟ ଜାଳେଣି ମିଳୁଥିବାରୁ ସେ ଗ୍ୟାସ୍ କିଣାରେ ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁ ନାହାନ୍ତି। ଗ୍ୟାସ୍ ବ୍ୟୟବହୁଳ ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି ସେହି ଗାଁର ଟୁନା କୁଇଲି କହିଛନ୍ତି ଯେ ଗ୍ୟାସ୍ ସଂଯୋଗ ପାଇଁ ୱାର୍ଡ଼ ନେତାଙ୍କୁ ଦୁଇଶହ ଟଙ୍କା ଦେଇଥିଲେ। ଏବେ ଗ୍ୟାସ୍ ପୂରାଇବାକୁ ଟଙ୍କା ନାହିଁ। ତେଣୁ କେବଳ ଜରୁରୀବେଳେ ହିଁ ଗ୍ୟାସ୍ ବ୍ୟବହାର କରୁଛନ୍ତି। ଗାୟତ୍ରୀ କୁଇଲି କହିଛନ୍ତି ସଂଯୋଗ ପାଇଁ ଗ୍ୟାସ୍ ଡିଲରଙ୍କୁ ପାଞ୍ଚଶହ ଟଙ୍କା ଦେଇଥିଲେ। ଏଥିପାଇଁ ଡିଲର ତାଙ୍କୁ କୌଣସି ରସିଦ୍ ଦେଇ ନଥିଲେ। ଏବେ ତାଙ୍କ ପାଖରେ ଗ୍ୟାସ୍ ଭରିବା ପାଇଁ ଟଙ୍କା ନାହିଁ। ଗାଁର ରାଣୀବାଳା ବେରା ଗ୍ୟାସ୍ ବ୍ୟବହାର କରୁଛନ୍ତି। କିନ୍ତୁ ଉମାକାନ୍ତ ମଣ୍ଡଳ ଓ କମଳା ଗୁରୁ ଅର୍ଥାଭାବରୁ ଗ୍ୟାସ୍ ବ୍ୟବହାର କରୁ ନ ଥିବା ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ଗାଁର ବହୁ ବିପିଏଲ୍ ପରିବାର ଉଜ୍ଜ୍ବଳା ଯୋଜନାରେ ଏବେବି ଗ୍ୟାସ୍ ସଂଯୋଗ ପାଇବାରୁ ବଞ୍ଚିତ ଅଛନ୍ତି। ଗ୍ୟାସ୍ ସଂଯୋଗ ଦେବାରେ ପାତରଅନ୍ତର କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି।