ଉଜ୍ଜୀବନ ବ୍ୟାଙ୍କରେ ୨୪ ଲକ୍ଷ ଟଙ୍କା ହଡ଼ପ : ୨ ଅଧିକାରୀ ଗିରଫ, ଜଣେ ଫେରାର

ଚୌଦ୍ବାର : ଚୌଦ୍ବାର ପୌରପାଳିକା ୬ନମ୍ବର ୱାର୍ଡ ଅନ୍ତର୍ଗତ ୫୫ନଂ ଜାତୀୟ ରାଜପଥ ମୁଣ୍ତମାଳ ଛକସ୍ଥିତ ଉଜ୍ଜୀବନ ସ୍ମଲ ଫାଇନାନ୍ସ୍‌ ବ୍ୟାଙ୍କରେ ୨୪ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ବ୍ୟାଙ୍କ୍‌ର ଭିଜିଲାନ୍ସ ଶାଖା ପକ୍ଷରୁ ଅଭିଯୋଗ କରାଯିବା ପରେ ୨ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି।

ମିଳିଥିବା ତଥ୍ୟ ମୁତାବକ, ଉଜ୍ଜୀବନ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ବିଭିନ୍ନ ପ୍ରକାର ଋଣ ସହ ଗ୍ରାହକମାନଙ୍କୁ ଅନ୍ୟ କେତେକ ସୁବିଧା ପ୍ରଦାନ କରିଥାଏ। ମାଇକ୍ରୋଫାଇନାନ୍ସ ଋଣ ପ୍ରଦାନ‌ରେ ପାଖାପାଖି ୨୪ଲକ୍ଷ ଟଙ୍କା ଦୁର୍ନୀତି ହୋଇଥିବା ବ୍ୟାଙ୍କର ଭିଜିଲାନ୍ସ ଶାଖା ଦୃଷ୍ଟିକୁ ଆସିଥିଲା। ବ୍ୟାଙ୍କର ଭିଜିଲାନ୍ସ ମ୍ୟାନେଜର ଜ୍ଞାନରଞ୍ଜନ ରଥ ଏ ନେଇ ପୁଲିସରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ଚୌଦ୍ବାର ପୁଲିସ ଦଫା ୪୨୦, ୪୦୯, ୪୬୭, ୪୬୮, ୪୭୧, ୧୨୦ ବି, ୩୪ ଆଇପିସିରେ ଏକ ମାମଲା (ନଂ-୭୦/୨୦) ରୁଜୁ କରିଥିଲା। ଏହାପରେ ତଦନ୍ତ କରି ବ୍ୟାଙ୍କର ଗ୍ରାହକ ସମ୍ପର୍କ ମ୍ୟାନେଜର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ତାଇ ଅଞ୍ଚଳର ଦେବାଶିଷ ଦାସ ଓ ସହକାରୀ ଗ୍ରାହକ ସମ୍ପର୍କ ଅଧିକାରୀ ଦୀନେଶ ସ୍ବାଇଁଙ୍କୁ ଗରିଫ କରିବା ସହିତ କୋର୍ଟଚାଲାଣ କରିଥିବା ଜଣାପଡ଼ିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ବ୍ୟାଙ୍କର ଗ୍ରାହକ ସମ୍ପର୍କ ଅଧିକାରୀ ପ୍ରଭାକର ବେହେରା ଫେରାର ଥିବା ଚୌଦ୍ବାର ଥାନା ଅଧିକାରୀ ପଦ୍ମନାଭ ପ୍ରଧାନ କହିଛନ୍ତି। ଏସ୍‌.ଆଇ ବିପିନି ବିହାରୀ ହୋତା ଘଟଣାର ତଦନ୍ତ କରୁଛନ୍ତି।

ତେବେ, ଏହି ଘଟଣା ସମ୍ପର୍କରେ କିଛି ଜାଣିନଥିବା ଉଜ୍ଜୀବନ ବ୍ୟାଙ୍କର ଶାଖା ପରିଚାଳକ ତପନ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର