ରାଜଧାନୀରେ ‘ଉଜ୍ଜ୍ବଳା ଦିଦି’ ସମାବେଶ : ୨୦୨୨ ସୁଦ୍ଧା ଦେଶରୁ ଗରିବୀ ହଟିବ

ଚନ୍ଦ୍ରଶେଖରପୁର : ରେଲୱେ ଷ୍ଟାଡିୟମ୍‌‌ରେ ଆଜି ‘ଉଜ୍ଜ୍ବଳା ଦିଦି’ ସମାବେଶ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ଯୋଗଦେଇ କହିଲେ, ଦାରିଦ୍ର୍ୟର କଷ୍ଟ ଯିଏ ବୁଝିଛି, ସେ ଗରିବ ମା’ର କଷ୍ଟକୁ ବୁଝିପାରେ। ମା’ର ଆଖିରୁ ଧୂଆଁର କଷ୍ଟକୁ ଅଙ୍ଗେ ନିଭାଇ ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦି ଦେଶର ୭ କୋଟି ଭଉଣୀମାନଙ୍କ ଆଖିରୁ ଲୁହ ପୋଛି ପାରିଛନ୍ତି। ଉଜ୍ଜ୍ବଳା ଯୋଜନା ମାଧ୍ୟମରେ ମା’ ଭଉଣୀମାନଙ୍କୁ ତାକତ ଦିଆଯାଇଛି। କେବଳ ଉଜ୍ଜ୍ବଳା ନୁହେଁ, ମା’ ଭଉଣୀଙ୍କ ସମ୍ମାନ ପାଇଁ ଇଜ୍ଜତ ଘର ତଥା ଶୌଚାଳୟ ନିର୍ମାଣ ହୋଇଛି। ଘରକୁ ବିଜୁଳି ଦେବା ସହ ୧ କୋଟି ୪୦ ଲକ୍ଷ ଘରେ ପକ୍କା ଛାତ ନିର୍ମାଣ କରାଯାଇଛି। ୨୦୨୨ ସୁଦ୍ଧା ଭାରତବର୍ଷରେ କେହି ଗରିବ ରହିବେ ନାହିଁ। ସମସ୍ତଙ୍କର ପକ୍କା ଘର କରିବାକୁ ପ୍ରଧାନମନ୍ତ୍ରୀ ସ୍ବପ୍ନ ଦେଖିଛନ୍ତି। ତାହା ନିଶ୍ଚିନ୍ତ ପୂରଣ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ‘ଉଜ୍ଜଳା ଦିଦି’ ଏକ ଅଭିଯାନ, ଆନ୍ଦୋଳନ, ସଂସ୍କୃତି ଓ ପରମ୍ପରା ହେବାକୁ ଯାଉଛି। ଭାରତ ତଥା ଓଡ଼ିଶାର ନାରୀ କିପରି ଆତ୍ମନିର୍ଭରଶୀଳ ହେବ, ସବୁ ମୂଳରେ ଉଜ୍ଜ୍ବଳା ସାମାଜିକ ପରିବର୍ତନର ମାଧ୍ୟମ ହେବ ବୋଲି ସେ କହିଛନ୍ତି।

ଉଜ୍ଜ୍ବଳା ଦିଦିମାନଙ୍କୁ ଶପଥ ପାଠ କରାଇ ଶ୍ରୀ ପ୍ରଧାନ କହିଲେ ଆମେ ସମସ୍ତେ ଦୃଢ଼ ସଂକଳ୍ପ ନେବା ଯେ ଆମ ଗାଁ, ଆମ ଜିଲ୍ଲା ଓ ଆମ ରାଜ୍ୟର ସମସ୍ତ ମା’, ଭଉଣୀଙ୍କୁ ଉଜ୍ଜ୍ବଳା ଯୋଜନାରେ ସାମିଲ କରି ଶସ୍ତା, ସୁରକ୍ଷିତ, ସୁଲଭ ଓ ସ୍ବଚ୍ଛ ଇନ୍ଧନ ଯୋଗାଇଦେବା। ଆମେ ଆମ ମା’କୁ ସମ୍ମାନର ସହ ବଞ୍ଚିବାରେ ସାହାଯ୍ୟ କରିବା ମା’ ଆଖିରୁ ଲୁହ ପୋଛି ସୁସ୍ଥ ଜୀବନଯାପନ କରିବା, ଆମ ଗାଁ, ଆମ ଅଞ୍ଚଳ ଧୂଆଁମୁକ୍ତ ହେବ। ଉତ୍ସବରେ ବିଜେପି ନେତ୍ରୀ ଅପରାଜିତା‌ ମହାନ୍ତି, ଅନୁ ଚୌଧୁରୀଙ୍କ ସମେତ ତୈଳ ବିପଣନ କମ୍ପାନିଗୁଡ଼ିକର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର