ରାଜନଗର : ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗରିବ ହିତାଧିକାରୀଙ୍କୁ ଗ୍ୟାସ୍ ସଂଯୋଗ ନଁାରେ ମହାଦୁର୍ନୀତି ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ୯ଟି ବ୍ଲକରେ ଏହି ଦୁର୍ନୀତିର ଚେର ଲମ୍ବିଛି। ଏହି ଘଟଣାରେ ରାଜନଗର ଇଣ୍ଡେନ୍ ବିତରକଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଏବେ ସମଗ୍ର ଜିଲ୍ଲାରେ ଉଜ୍ଜ୍ବଳା ଯୋଜନାରେ ସଂଯୋଗ ବନ୍ଦ ରଖାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶାନାମା ଯାଏଁ ଜିଲ୍ଲାରେ ଏହି ସଂଯୋଗ ବନ୍ଦ ରହିବ ବୋଲି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାରେ ଅନ୍ୟ ଜିଲ୍ଲାର ଏଏଚ୍ଏଲ୍ ଟିନ୍ ନମ୍ବର ବ୍ୟବହାର କରାଯାଇ ଜାଲ୍ ହିତାଧିକାରୀଙ୍କ ନଁାରେ ଗ୍ୟାସ୍ ସଂଯୋଗ ପ୍ରଦାନ କରାଯାଉଥିଲା। ପ୍ରକୃତ ହିତାଧିକାରୀ ସେ ସମ୍ପର୍କରେ ଜାଣି ପାରୁ ନ ଥିଲେ। ଏ ନେଇ ଖବର ପ୍ରକାଶ ପାଇବା ପରେ ୩ ତୈଳ କମ୍ପାନି ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ଜିଲ୍ଲାରେ ଥିବା ହିନ୍ଦୁସ୍ଥାନ୍ ପେଟ୍ରୋଲିୟମର ୧୦ଟି ଗ୍ୟାସ୍ ଏଜେନ୍ସି, ଇଣ୍ଡିଆନ୍ ଅଏଲର ୧୦ଟି ଗ୍ୟାସ୍ ବିତରକ ଓ ଭାରତ ପେଟ୍ରୋଲିୟମର ୬ଟି ଗ୍ୟାସ୍ ଏଜେନ୍ସି ଉପରେ ଚଢ଼ଉ କରାଯାଇ କାଗଜପତ୍ର ଯାଞ୍ଚ କରାଯାଇଥିଲା। ଅନ୍ୟ ରାଜ୍ୟର ୫୨ଜଣ ଅଧିକାରୀ ଜିଲ୍ଲାର ୨୬ଟି ଗ୍ୟାସ୍ ବିତରକଙ୍କ କାର୍ଯ୍ୟାଳୟରେ ଗତ ୧୭ ତାରିଖରୁ ୨୦ ତାରିଖ ଯାଏଁ କାଗଜପତ୍ର ଯାଞ୍ଚ କରିଥିଲେ। ଯାଞ୍ଚବେଳେ ରାଜନଗର ଇଣ୍ଡେନରେ ଅନ୍ୟ ଜିଲ୍ଲାର ଏଏଚଏଲ ଟିନ୍ ନଂ. ବ୍ୟବହାର କରାଯାଇ ୧୨୦୬ଟି ଉଜ୍ଜଳା ଗ୍ୟାସ ସଂଯୋଗ ହଡ଼ପ ହୋଇଥିବା ଜଣାପଡ଼ିଥିଲା। ଏଥିସହ ଜଣଙ୍କ ଏଏଚଏଲ ନମ୍ବରରେ ଅନ୍ୟ ଜଣଙ୍କୁ ଗ୍ୟାସ୍ ସଂଯୋଗ ଦିଆଯାଇଥିବା ଜଣାପଡ଼ିଥିଲା। ୫୨ ଜଣ ଅଧିକାରୀ ତଦନ୍ତ କରି ଫେରି ଯାଇଥିବା ବେଳେ ଏବେ ୩ ତୈଳ କମ୍ପାନିର ୪ ଜଣ ଅଧିକାରୀ ଜିଲ୍ଲାରେ ରହି ତଦନ୍ତ ଜାରି ରଖିଛନ୍ତି।