ଉଜ୍ଜଳାକୁ ନେଇ ବୟାନବାଜି

ଭୁବନେଶ୍ବର : ଉଜ୍ଜ୍ବଳା ଯୋଜନାରେ ରାଜ୍ୟରେ କେତେ ହିତାଧିକାରୀ ଗ୍ୟାସ ରିଫିଲ କରିଛନ୍ତି ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖିଥିବା ଚିଠି ଉପରେ ଜବାବ ରଖିଛି ବିଜେଡି। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ଅସତ୍ୟ କହୁଥିବା ନେଇ କେନ୍ଦ୍ରମନ୍ତ୍ରୀ କହିବା ଦୁର୍ଭାଗ୍ୟଜନକ। ରାଜ୍ୟସଭାରେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ଅଣତାରକା ପ୍ରଶ୍ନରେ ଖୋଦ୍ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତର ଦେଇଛନ୍ତି ଯେ ରାଜ୍ୟରେ ୩୦ ଲକ୍ଷ ହିତାଧିକାରୀ ଉଜ୍ଜ୍ବଳା ଯୋଜନାରେ ସାମିଲ ହୋଇଛନ୍ତି। ସେମାନଙ୍କ ଭିତରୁ ୨୦୧୬-୧୭ରେ ୮ ଲକ୍ଷ ହିତାଧିକାରୀ ମହିଳା ଗ୍ୟାସ ରିଫିଲ୍ ନେଇଥିଲେ। ସେହିପରି ୨୦୧୭-୧୮ରେ ୬ ଲକ୍ଷ ମହିଳା ହିତାଧିକାରୀ ରିଫିଲ ଗ୍ୟାସ ସିଲିଣ୍ଡର ନେଇଛନ୍ତି। ତାହେଲେ ଏହି ଯୋଜନାରେ ୨୪ ଲକ୍ଷ ହିତାଧିକାରୀ ଗ୍ୟାସ ରିଫିଲ ନେଇନାହାନ୍ତି। ଏହି କଥାକୁ ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍କେଖ କରିଥିଲେ। ଯଦି ମୁଖ୍ୟମନ୍ତ୍ରୀ ଅସତ୍ୟ କହୁଥିବା ନେଇ କେନ୍ଦ୍ରମନ୍ତ୍ରୀ କହିବେ ତା’ହେଲେ ଖୋଦ କେନ୍ଦ୍ରମନ୍ତ୍ରୀ ସଂସଦରେ ଅସତ୍ୟ ଉତ୍ତର ରଖିଛନ୍ତି ବୋଲି ପ୍ରମାଣିତ ହୋଇଛି।

ସମ୍ବନ୍ଧିତ ଖବର