ଉଜ୍ଜ୍ବଳା ଦୁର୍ନୀତି : ବିତରକଙ୍କ ଚୁକ୍ତି ବାତିଲ, ୮୮,୯୦,୪୫୬ ଟଙ୍କା ଦାଖଲ ନିର୍ଦ୍ଦେଶ

ରାଜନଗର : ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଗ୍ୟାସ ଦୁର୍ନୀତି ସାମ୍ନାକୁ ଆସିବାର ୯ମାସ ପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ରାଜନଗରର ଇଣ୍ଡେନ ବିତରକ ଇଣ୍ତିଆନ ଅଏଲ କର୍ପୋରେସନ ସହ କରିଥିବା ଚୁକ୍ତିକୁ ବାତିଲ କରାଯାଇଛି। ଜାଲିଆତି କରି ହଡ଼ପ କରାଯାଇଥିବା ୧୪୮୬ଟି ଗ୍ୟାସ ସଂଯୋଗ ବାବଦକୁ ୮୮ଲକ୍ଷ ୯୦ ହଜାର ୪୫୬ ଟଙ୍କା ଦାଖଲ କରିବାକୁ ବିତରକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ବିତରକଙ୍କୁ ସ୍ପିଡ୍‌ ପୋଷ୍ଟରେ ନୋଟିସ୍‌ ପଠାଯିବା ସହ ରାଜନଗର ଇଣ୍ଡେନ କାର୍ଯ୍ୟାଳୟ ଓ ଗୋଦାମରେ ନୋଟିସ ମରାଯାଇଛି। ‘ସମ୍ବାଦ’ରେ ଉଜ୍ଜଳା ଦୁର୍ନୀତି ନେଇ ବହୁବାର ଖବର ପ୍ରକାଶ ପାଇବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା।

ରାଜନଗର ଇଣ୍ଡେନ ବିତରକ ଅନ୍ୟ ଜିଲ୍ଲାର ଏଏଚଏଲଟିନ ନମ୍ବର ବ୍ୟବହାର କରି ୧୨୦୯ଟି ଓ ଗୋଟିଏ ନମ୍ବରକୁ ବାରମ୍ବାର ବ୍ୟବହାର କରି ୨୭୭ଟି ଗ୍ୟାସ ସଂଯୋଗ ହଡପ କରିଥିଲେ। ଗତବର୍ଷ ସେପ୍ଟେମ୍ବର ୧୩ ତାରିଖରେ ଏ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ୧୪ ତାରିଖରେ ୩ ତୈଳ କମ୍ପାନିର ଅଧିକାରୀ ତଦନ୍ତ କରିଥିଲେ। ତଦନ୍ତରେ ୧୪୮୬ଟି ଉଜ୍ଜଳା ଗ୍ୟାସ ସଂଯୋଗ ଜାଲିଆତି କରି ଅଯୋଗ୍ୟ ହିତାଧିକାରୀଙ୍କ ନାଁରେ ହଡପ ହୋଇଥିବା ଜଣାପଡିଥିଲା। ଜାଲିଆତି/ହଡ଼ପ କରାଯାଇ ଯେଉଁ ଅଯୋଗ୍ୟ ହିତାଧିକାରୀଙ୍କୁ ଉଜ୍ଜଳା ଗ୍ୟାସ ସଂଯୋଗ ଦିଆଯାଇଛି ବୋଲି ଦର୍ଶାଯାଇଥିଲା ସେମାନଙ୍କ ମଧ୍ୟରୁ ୫୬ଜଣଙ୍କ ସହ କମ୍ପାନିର ଅଧିକାରୀମାନେ ଯୋଗାଯୋଗ କରିଥିଲେ। ସେମାନଙ୍କ ମଧ୍ୟରୁ ୯ଜଣ ଗ୍ୟାସ ସଂଯୋଗ ସଂପର୍କରେ ଜାଣି ନ ଥିବା କହିଥିବା ବେଳେ ୧୯ଜଣ ମୁଣ୍ତପିଛା ୫୦୦ରୁ ୬୦୦ ଟଙ୍କା ଦେଇ ଗ୍ୟାସ ସଂଯୋଗ ନେଇଥିବା କହିଥିଲେ। ଅନ୍ୟ ଜିଲ୍ଲାର ଏଏଚଏଲଟିନ ନମ୍ବର ବ୍ୟବହାର କରାଯିବା, ଲୋକଙ୍କ ନାଁରେ ଉଠାଇ କଳାବଜାରରେ ବିକ୍ରି କରିବା, ଉଜ୍ଜଳା ଗ୍ୟାସ ସଂଯୋଗ ପାଇଁ ଅର୍ଥ ଆଦାୟର ପ୍ରମାଣ ପାଇବା ପରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କମ୍ପାନି ପକ୍ଷରୁ ନିଲମ୍ବିତ ହୋଇଥିବା ରାଜନଗର ଇଣ୍ଡେନ ବିତରକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ବିତରକ ବ୍ୟକ୍ତିଗତ ଭାବେ ହାଜିର ହୋଇ ଦୁର୍ନୀତି ସ୍ବୀକାର କରିଥିଲେ। ଗତବର୍ଷ ଡିସେମ୍ବର ୧୩ ତାରିଖରେ କାରଣ ଦର୍ଶାଅ ନୋଟିସ ଦିଆଯିବା ସହ ହଡପ ହୋଇଥିବା ଗ୍ୟାସ ସଂଯୋଗର ଜମାପୁଞ୍ଜି, ଋଣ ଅର୍ଥ, ସବ୍‌ସିଡି ଓ ଅନ୍ୟାନ୍ୟ ସରଞ୍ଜାମ ବାବଦକୁ ୮୮ଲକ୍ଷ ୯୦ ହଜାର ୪୫୬ ଟଙ୍କା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ବାରମ୍ବାର ସମୟ ମାଗିବା ସହ ବିତରକ ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ। ମାମଲାର ଆଉଥରେ ଶୁଣାଣି କରିବାକୁ କୋର୍ଟ ଆଇଓସିଏଲକୁ ନିର୍ଦ୍ଦେଶ ଦେଇଥିଲେ।

ଚଳିତବର୍ଷ ଜୁନ ୩ ତାରିଖରେ ରାଜନଗର ଇଣ୍ଡେନ ବିତରକ ବ୍ୟକ୍ତିଗତ ହାଜର ହୋଇ ପକ୍ଷ ରଖିଥିଲେ। ପ୍ରଧାନମନ୍ତ୍ରୀ ଉଜ୍ଜଳା ଗ୍ୟାସ ଯୋଜନାରେ ହୋଇଥିବା ଦୁର୍ନୀତିକୁ ପୁର୍ନବାର ସ୍ବୀକାର କରିବା ସହ ବିତରଣ ଅଧିକାର କାଏମ ରଖିବାକୁ ଆବେଦନ କରିଥିଲେ। ଏଥିସହ ମାକେର୍ଟିଂ ଡିସିପ୍ଲିନ ଗାଇଡ୍‌ଲାଇନ ୨୦୧୭ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ। ଏମଡିଜି ୨୦୧୭ ଏଗ୍ରିମେଣ୍ଟ୍‌ର କ୍ଲଜ୍‌ ୨୩ (ଏ), ୨୭ ଆଇ, ୨୭ ଏନ ଅନୁସାରେ ରାଜନଗର ଇଣ୍ଡେନ ବିତରକଙ୍କୁ ଚୁକ୍ତି ବାତିଲ କରିବାକୁ ଆଇଓସିଏଲ ପକ୍ଷରୁ ଚିଠି କରାଯାଇଛି। ଏଥିସହ ୮୮ ଲକ୍ଷ ୯୦ ହଜାର ୪୫୬ଟଙ୍କା ଦାଖଲ କରିବା ପାଇଁ ପୁନର୍ବାର ବିତରକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଇଣ୍ତିଆନ ଅଏଲ କର୍ପୋରେସନ ପକ୍ଷରୁ ରାଜନଗର ଇଣ୍ଡେନର ପ୍ରୋପାଇଟର ସରୋଜ କୁମାର ମଲ୍ଲିକଙ୍କ ସହିତ ଇଣ୍ଡେନ ଗ୍ୟାସ ବିତରଣ ପାଇଁ ୨୦୦୮ ନଭେମ୍ବର ୨‌୫ରେ ଚୁକ୍ତି କରାଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ୨୦୧୭ ଅଗଷ୍ଟ ୧୭ରେ ପୁର୍ନବାର ଚୁକ୍ତି କରାଯାଇଥିଲା। ସମସ୍ତ ଚୁକ୍ତିକୁ ଗତ ୭ ତାରିଖରେ ବାତିଲ କରାଯାଇଛି। ତେବେ, ବିତରକ କେତେଦିନ ଭିତରେ ଟଙ୍କା ଦାଖଲ କରିବେ ସେ ନେଇ ଉଲ୍ଲେଖ ନ ଥିବାବେଳେ, ତାହା ନ କରିଲେ କ’ଣ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ନେଇ ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧିତ ଖବର