ଉଜ୍ଜଳା କାର୍ଯ୍ୟକ୍ରମ ଅଧାରୁ ବନ୍ଦ : କେନ୍ଦ୍ରମନ୍ତ୍ରୀଙ୍କ ସହ ଭିଡିଓ କନ୍‌ଫେରେନ୍ସି ହୋଇପାରିଲାନି

ରାଜନଗର : କେନ୍ଦ୍ରାପଡ଼ାର ରାଜନଗରଠାରେ ଆଜି ଉଜ୍ଜଳା ସ୍ବାଭିମାନ କାର୍ଯ୍ୟକ୍ରମ ଅଧାରୁ ବନ୍ଦ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ମହିଳାମାନଙ୍କ ସହ କଥା ହୋଇଥା‌’ନ୍ତେ। ମାତ୍ର, ମହିଳାମାାନେ ଅଭିଯୋଗ କରିବା ଆଶଙ୍କାରେ କାର୍ଯ୍ୟକ୍ରମକୁ ଅଧାରୁ ବନ୍ଦ କରାଯାଇଛି।

କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରାଳୟ ପକ୍ଷରୁ ଆଜି ରାଜନଗର ହାଇସ୍କୁଲ ପଡ଼ିଆରେ ଉଜ୍ଜଳା ସ୍ବାଭିମାନ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ଅତିଥି ଭାବେ ପୂର୍ବତନ ବିଧାୟକ ଅଲେଖ କୁମାର ଜେନା, କେନ୍ଦ୍ରାପଡା ଜିଲ୍ଲା ଉଜ୍ଜଳା ନୋଡାଲ ଅଫିସର ଜିତ୍ରମଣି ଦତ, ସହକାରୀ ନୋଡାଲ ଅଫିସର ସୁବ୍ରତ ନାଥ, ଏସଡିପି ରାଜେଶ୍ବର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ୫ଶହରୁ ଅଧିକ ମହିଳା ଅଂଶଗ୍ରହଣ କରିଥିଲେ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ନୂଆଦିଲ୍ଲୀରୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ପାନୀୟଜଳ ଓ ପରିମଳ ବିଭାଗ ମନ୍ତ୍ରୀ ସୁଶ୍ରୀ ଉମା ଭାରତୀଙ୍କ ସହ କଥା ହୋଇଥା’ନ୍ତେ। ଆଜି ଗୋଟିଏ ଦିନରେ ଓଡିଶାର ୨୬ଟି ଜିଲ୍ଲାର ୩୦ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପ୍ରଥମେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି, ବାଲେଶ୍ବରର ନୀଳଗିରି, କେନ୍ଦୁଝରର ଘସିପୁରା, କଟକର ମାହାଙ୍ଗା ଠାରେ ଆୟୋଜିତ ଉଜ୍ଜଳା ସ୍ବାଭିମାନ ଉତ୍ସବରେ ଯୋଗଦେଇଥିବା ମହିଳାମାନଙ୍କ ମଧ୍ୟରୁ ଜଣେ ଲେଖାଏଁ ମହିଳାଙ୍କ ସହ ଦୁଇ କେନ୍ଦ୍ରମନ୍ତ୍ରୀ କଥା ହୋଇଥିଲେ। ରାଜନଗର ଉଜ୍ଜଳା ସ୍ବାଭିମାନ ଉତ୍ସବରେ ଯୋଗଦେଇଥିବା ମହିଳାମାନେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସିଧାସଳଖ କେନ୍ଦ୍ରମନ୍ତ୍ରୀଙ୍କ ସହ କଥା ହେବା ପାଇଁ ଅପେକ୍ଷା କରି ରହିଥିଲେ। ମାତ୍ର ରାଜନଗର ପାଳି ପଡିବା ପୂର୍ବରୁ କାର୍ଯ୍ୟକ୍ରମକୁ ଅଧାରୁ ବନ୍ଦ କରିଦିଆଯାଇଥିଲା।

ଉତ୍ସବକୁ ଆସିଥିବା କେତେକ ମହିଳାଙ୍କ କହିବାନୁସାରେ, ଏହି ଯୋଜନାରେ କିଭଳି ଠକେଇର ଶିକାର ହୋଇଛନ୍ତି, ସେ ସମ୍ପର୍କରେ ସେମାନେ ଅଭିଯୋଗ କରିଥା’ନ୍ତେ। ମାତ୍ର, ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି।

ସମ୍ବନ୍ଧିତ ଖବର