ତୈଳ ବିପଣନ କମ୍ପାନିଙ୍କ ଦାବି ଉଜ୍ଜଳା ଯୋଜନା ଆଦୃତ ହୋଇଛି

ଭୁବନେଶ୍ୱର : ଉଜ୍ଜଳା ଯୋଜନାରେ ମହାଦୁର୍ନୀତି ନେଇ ବିଜେଡି ଆରୋପ ଲଗାଇ ଆନ୍ଦୋଳନର ଚେତାବନୀ ଦେଲା ପରେ ତୈଳ ବିପଣନ କମ୍ପାନିଗୁଡ଼ିକ ପକ୍ଷରୁ ତାହାର ଜବାବ ଦିଆଯାଇଛି। ଏକ ପ୍ରେସ୍ ବିଜ୍ଞପ୍ତିରେ କମ୍ପାନିଗୁଡ଼ିକ ପକ୍ଷରୁ ରାଜ୍ୟ ସଂଯୋଜକ ପ୍ରୀତିଶ ଭାରତ କହିଛନ୍ତି, ରାଜ୍ୟରେ ଉଜ୍ଜଳା ଯୋଜନା ଏକ ସଫଳ ଯୋଜନା। ଏହା ରାଜ୍ୟବାସୀଙ୍କ ଦ୍ବାରା ଆଦୃତ ହୋଇଛି। ୨୦୧୮ ମାର୍ଚ୍ଚ ମାସ ସୁଦ୍ଧା ରାଜ୍ୟରେ ୨୩ ଲକ୍ଷ ଗରିବ ମହିଳା ହିତାଧିକାରୀଙ୍କୁ ଗ୍ୟାସ୍ ସଂଯୋଗ ଦିଆଯାଇଥିଲା ବେଳେ ଜୁନ୍, ଜୁଲାଇ ଓ ଅଗଷ୍ଟ ୩ ମାସରେ ଏଥି ମଧ୍ୟରୁ ୧୬ ଲକ୍ଷ ହିତାଧିକାରୀ ଗ୍ୟାସ୍ ରିଫିଲିଙ୍ଗ୍ କରିଛନ୍ତି। ଏହା ରାଜ୍ୟରେ ଉଜ୍ଜଳା ଯୋଜନାର ସଫଳତାର ପ୍ରମାଣ।

ଶ୍ରୀ ଭାରତ ଆହୁରି କହିଛନ୍ତି, ସାରା ଦେଶ‌ରେ ଓ ରାଜ୍ୟରେ ଉଜ୍ଜଳା ଯୋଜନାରେ ହିତାଧିକାରୀ ଚୟନ ଜନଗଣନାର ଏସ୍‌ଇସିସି ତାଲିକା ଆଧାରରେ ତିଆରି କରାଯାଇଛି। ଏହି ଏସ୍ଇସିସି ତାଲିକା ସାର୍ବଜନୀନ ଭାବେ ଉପଲବ୍ଧ ଓ ଏହି ତାଲିକାରେ କୌଣସି ବ୍ୟତିକ୍ରମ ହୋଇ ନାହିଁ। ଦେଶ‌େର ପେଟ୍ରୋଲଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ସାଧାରଣ ଗ୍ରାହକମାନେ ବ୍ୟବହାର କରୁଥିବା ଘରୋଇ ଗ୍ୟାସ୍ ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣ ଭିତରେ ରଖିବା ପାଇଁ ସବ୍‌ସିଡି ଦେଇ ଆର୍ଥିକ ବୋଝ କେନ୍ଦ୍ର ସରକାର ନେଇଛନ୍ତି। ୨୦୧୪ ମସିହାରୁ ଆଜି ମଧ୍ୟରେ ସବ୍‌ସିଡି ଯୁକ୍ତ ଏଲ୍‌ପିଜି ସିଲିଣ୍ଡର୍ ମୂଲ୍ୟରେ ମାମୁଲି ବୃଦ୍ଧି ଘଟିଛି। ଗ୍ୟାସ୍‌ର ସବ୍‌ସିଡି ରାଶିକୁ ଗ୍ୟାସ୍ କ୍ରୟର ଏକ ସପ୍ତାହରୁ କମ୍ ସମୟ ମଧ୍ୟରେ ଗ୍ରାହକମାନଙ୍କ ବ୍ୟାଙ୍କ ଖାତାରେ ପହଞ୍ଚାଇବାକୁ ସୁନିଶ୍ଚିତ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଗ୍ୟାସ୍ ବିତରକ ଏକ ବେସରକାରୀ ସଂସ୍ଥା ଓ ଏଥିରେ ଅନିୟମିତତା ଖବର ଗଣମାଧ୍ୟମରୁ ଜଣାପଡ଼ିବା ପରେ ତୁରନ୍ତ ଏହି ବିତରକଙ୍କୁ ବନ୍ଦ କରିଦିଆଯାଇଛି ବୋଲି ଶ୍ରୀ ଭାରତ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର