‘ଉଜ୍ଜଳା’ ମହାଦୁର୍ନୀତି: ୪ ମହିଳା ଦେଲେ ଏତଲା

ରାଜନଗର : ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗରିବ ପରିବାରର ଗୃହିଣୀଙ୍କୁ ମାଗଣା ଗ୍ୟାସ୍‌ ସ˚ଯୋଗ ନାଁରେ ସେମାନଙ୍କ ଗ୍ୟାସ ଓ ଚୂଲା ଲୁଟି ନିଆଯାଇଛି। ଯେଉଁମାନେ ଗ୍ୟାସ ସ˚ଯୋଗ ପାଇଛନ୍ତି, ସେମାନଙ୍କଠାରୁ ଦୁଇ/ଅଢେଇ ହଜାର ଟଙ୍କା ନିଆଯାଇଛି। ଏହିଭଳି ଠକେଇର ଶିକାର ହୋଇଥିବା ୪ଜଣ ମହିଳା ଆଜି ତାଳଚୁଆ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେମାନଙ୍କଠାରୁ କାଗଜପତ୍ର ନିଆଯାଇ ଗ୍ୟାସ୍‌ ଓ ଚୂଲା ଲୁଟି ନିଆଯାଇଥିବା ନେଇ ଦୁଇଜଣ ମହିଳା ଅଭିଯୋଗ କରିଥିବା ବେଳେ ଆଉ ଦୁଇଜଣ ମହିଳା ସେମାନଙ୍କଠାରୁ ଅଢେଇ ହଜାର ଟଙ୍କା ନିଆଯାଇ ଲୋନରେ ଗ୍ୟାସ ସ˚ଯୋଗ ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ଛାନ୍‌ଭିନ ଆରମ୍ଭ କରିଛି।

ତାଳଚୁଆ ସାମୁଦ୍ରିକ ଥାନାରେ ରାଜପଟଣା ଗାଁର ଲକ୍ଷ୍ମୀ ଘଡାଇ ଓ ଉଦ୍ୟାନ ଗାଁର ସ˚ଧୢାରାଣୀ ଦାସ କରିଥିବା ଅଭିଯୋଗ ମୁତାବକ, ଗ୍ୟାସ ସ˚ଯୋଗ ପାଇଁ ଦେଢବର୍ଷ ତଳେ ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ହାତିଆଗଣ୍ତ ବଜାରରେ ଗ୍ୟାସ ସବ୍‌-ଏଜେନ୍ସି ନେଇଥିବା କାର୍ତ୍ତିକ ଦଳପତିଙ୍କୁ କାଗଜପତ୍ର ଦେଇଥିଲେ। ହେଲେ, ଆଜି ଦିଆଯିବା, କାଲି ଦିଆଯିବ କହି ସେ ଗ୍ୟାସ ସ˚ଯୋଗ ଦେଉନାହାନ୍ତି। ସେମାନେ ର˚ଗଣୀର ଇଣ୍ତେନ ବିତରକଙ୍କ ନିକଟରେ ପହଞ୍ଚି ଗ୍ୟାସ ସ˚ଯୋଗ ପାଇଁ କାଗଜପତ୍ର ଦେଇଥିଲେ। ମାତ୍ର ସେମାନଙ୍କ ନାଁରେ ବର୍ଷକ ତଳୁ ରାଜନଗରର ମେସର୍ସ‌୍ ଇଣ୍ତେନ ବିତରକଙ୍କ ନିକଟରୁ ଗ୍ୟାସ୍‌ ସ˚ଯୋଗ ଉଠି ସାରିଥିବା ଜାଣିବାକୁ ପାଇଥିଲେ ବୋଲି ଅଭିଯୋଗ କରିଛନ୍ତି। ସେମାନଙ୍କ ଗ୍ୟାସ ଲୁଟି ନେଇଥିବା ଶ୍ରୀ ଦଳପତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କ ଗ୍ୟାସ ସ˚ଯୋଗ ଫେରି ପାଇବା ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ସେହିପରି ଭ˚ଜପ୍ରସାଦ ଗାଁର ଭାରତୀ କଳା ଓ ଝୁମ୍ପା ଗିରି ଅଭିଯୋଗ କରିଛନ୍ତି ଯେ, ସେମାନେ ଦୁଇବର୍ଷ ତଳେ ଉଜ୍ଜଳା ଯୋଜନାରେ ଗ୍ୟାସ ସ˚ଯୋଗ ପାଇଁ କାର୍ତ୍ତିକ ଦଳପତିଙ୍କୁ କାଗଜପତ୍ର ଦେଇଥିଲେ। ବାରମ୍ବାର ଦୌଡିବା ପରେ ୮ମାସ ତଳେ ସେମାନଙ୍କୁ ଗ୍ୟାସ ଭର୍ତି ଟାଙ୍କି, ଚୂଲା, ରେଗୁଲେଟର ଓ ପାଇପ୍‌ ମିଳିଛି। ଗ୍ୟାସ୍‌ ଦେବା ବେଳେ ନଗଦ ଅଢ଼େଇ ହଜାର ଟଙ୍କା ଓ କାଗଜପତ୍ର ପାଇଁ ୫୦ଟଙ୍କା ନେଇଛନ୍ତି। ହେଲେ, ଆଜି ଯାଏଁ କାଗଜପତ୍ର ଦେଉନାହାନ୍ତି। ନଗଦ ଟଙ୍କା ନେଇ ସେମାନଙ୍କ ନାଁରେ ଲୋନ୍‌ରେ ଗ୍ୟାସ ସ˚ଯୋଗ ଦର୍ଶାଯାଇଥିବାରୁ ସବସିଡି ଅର୍ଥ ପାଇ ପାରିନାହାନ୍ତି ବୋଲି କହିଛନ୍ତି। ସରକାରୀ ଯୋଜନାରେ ଠକେଇ କରିଥିବା ସବ୍‌ ଏଜେଣ୍ଟ୍‌ ଶ୍ରୀ ଦଳପତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଏତଲାରେ ଉଲ୍ଲେଖ କରିଛନ୍ତି।

କେବଳ ଭାରତୀ କି’ ଝୁମ୍ପା ନୁହଁନ୍ତି, ତାଳଚୁଆ, ରାଜପାଟଣା, ଭ˚ଜପ୍ରସାଦ, ଉଦ୍ୟାନ, ଖାସମୁଣ୍ତା, ଦୋଳସାହି, ହାତିଆଗଣ୍ତ ପ୍ରଭୃତି ଗାଁର ଶହେରୁ ଅଧିକ ମହିଳାଙ୍କୁ ଲୋନ୍‌ରେ ଗ୍ୟାସ ସ˚ଯୋଗ ଦେଇ ସେମାନଙ୍କଠାରୁ ସବ-ଏଜେଣ୍ଟ୍‌ ୧୫ଶହରୁ ଅଢେଇ ହଜାର ଟଙ୍କା ଯାଏଁ ନେଇଥିବା ଅଭିଯୋଗ ହୋଇଛି। ଇଣ୍ତିଆନ ଅଏଲ କର୍ପୋରେସନ ଲିଃ.ର ଅଧିକାରୀ ଜଣେ ବିତରକଙ୍କୁ ନିଲମ୍ବିତ କରି ଚୁପ ବସିଥିବାରୁ ଠକେଇର ଶିକାର ମହିଳାମାନେ କିପରି ନ୍ୟାୟ ପାଇବେ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର