ପୁରୀ: ଶ୍ରୀକ୍ଷେତ୍ରର ସବୁଠୁ ବଡ଼ ଓ ସୁନ୍ଦର ପାର୍କ ହେଉଛି ଗାନ୍ଧୀ ପାର୍କ। ସମୁଦ୍ର କୂଳରେ ବେଳାଭୂମିକୁ ଲାଗି ଥିବା ଏହି ପାର୍କକୁ ନାଲ୍କୋ ହାତକୁ ନେବା ପରେ ସିଏସ୍ଆର୍ ପାଣ୍ଠିରେ ଏହାର ସୌନ୍ଦର୍ଯ୍ୟୀକରଣ କାମ କରାଯାଇଛି। କିନ୍ତୁ ବିଗତ କିଛି ମାସ ହେବ ରକ୍ଷଣାବେକ୍ଷଣ ଅଭାବରୁ ଏହି ପାର୍କର ବ୍ୟାୟାମ ଉପକରଣଗୁଡ଼ିକ ଭାଙ୍ଗିଗଲାଣି। ଆଲୋକୀକରଣ ପାଇଁ ଲାଗିଥିବା ଲାଇଟ୍ ସବୁ ମଧ୍ୟ ଭାଙ୍ଗିରୁଜି ନଷ୍ଟ ହୋଇଗଲାଣି। ବହୁଦିନ ପରେ ଯେଉଁ ଅଚଳ ଜଳଫୁଆରକୁ ସଚଳ କରାଯାଇଥିଲା, ତାହା ପୁଣିଥରେ ଅଚଳ ହୋଇଯାଇଛି।
ଶ୍ରୀକ୍ଷେତ୍ରବାସୀ ହୁଅନ୍ତୁ କି ପୁରୀ ବୁଲି ଆସୁଥିବା ପର୍ଯ୍ୟଟକ, ଏବେ ସମସ୍ତଙ୍କ ଅବସର ବିନୋଦନର ପ୍ରମୁଖ କେନ୍ଦ୍ର ପାଲଟିଛି ପାର୍କ। ଏଥିପାଇଁ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଗାନ୍ଧୀ ପାର୍କରେ ଶତାଧିକ ଲୋକଙ୍କ ଭିଡ଼ ଜମୁଛି। ବ୍ୟାୟାମ ପାଇଁ ବି ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଲାଗୁଛି। ପୂର୍ବରୁ ଯେତେବେଳେ ଏହି ପାର୍କ ଜିଲ୍ଲା ପ୍ରଶାସନ ଅଧୀନରେ ଥିଲା, ସେ ସମୟରେ ଏହା ଭଗ୍ନ ଅବସ୍ଥାରେ ପଡ଼ିଥିଲା। ସଫାସୁତରା ଓ ରକ୍ଷଣାବେକ୍ଷଣ ଅଭାବରୁ ସମ୍ପୂର୍ଣ୍ଣ ମରୁଭୂମି ପାଲଟିଥିଲା। କିନ୍ତୁ ନାଲ୍କୋ ରକ୍ଷଣାବେକ୍ଷଣ ଦାୟିତ୍ବ ନେବା ପରେ ଏହି ପାର୍କର ଭାଗ୍ୟ ବଦଳିଛି। ସୌନ୍ଦର୍ଯ୍ୟୀକରଣ କାମ ସାଙ୍ଗକୁ ବ୍ୟାପକ ସାଜସଜ୍ଜା କରାଯାଇଛି। ସୌନ୍ଦର୍ଯ୍ୟୀକରଣ ଗଛର ସାଜସଜ୍ଜା ପାର୍କକୁ ଆହୁରି ସୁନ୍ଦର କରି ଦେଇଛି। ସେହିଭଳି ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଏଠାରେ ଖୋଲା ବ୍ୟାୟାମଶାଳା, ପିଲାଙ୍କ ଖେଳକୁଦ ଉପକରଣ ଆଦିର ବ୍ୟବସ୍ଥା କରାଯାଇଛି। ପେଭର୍ ବ୍ଲକ୍ ବିଛାଇ ଚାଲିବା ପାଇଁ ପାଥ୍ ୱେ କରାଯାଇଛି।
ଅନ୍ୟପଟେ ଅଚଳ ପଡ଼ିଥିବା ଜଳଫୁଆରକୁ ସଚଳ କରି ପ୍ରତିଦିନ ଦେଶାତ୍ମବୋଧକ ସଂଗୀତର ତାଳେ ତାଳେ ୱାଟର୍ ଡ୍ୟାନ୍ସର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଜୁଡ଼ିଯିବାକୁ ବସିଲାଣି। ଆଉ ସନ୍ଧ୍ୟାରେ ୱାଟର୍ ଡ୍ୟାନ୍ସ ହେଉନି। ଯେଉଁ ବ୍ୟାୟାମ ଉପକରଣ ଲାଗିଥିଲା, ତାହା କଳଙ୍କି ଲାଗି ନଷ୍ଟ ହୋଇଗଲାଣି। କିଛି ବ୍ୟାୟମ ଉପକରଣ ଭାଙ୍ଗିଯିବାରୁ ଏହା ବ୍ୟବହାର ଉପଯୋଗୀ ଅବସ୍ଥାରେ ନାହିଁ। ଏହାକୁ ଦଉଡ଼ି ବାନ୍ଧି ଛାଡ଼ି ଦିଆଯାଇଛି। ନୂଆ ବ୍ୟାୟାମ ଉପକରଣ ଲଗାଯାଉନି କି ଆବଶ୍ୟକ ମରାମତି କରାଯାଉନି। ଆଲୋକୀକରଣ ପାଇଁ ଦାମୀ ଲାଇଟ୍ ଲାଗିଥିଲା। ଏଥିରୁ ବହୁ ଲାଇଟ୍ ଭାଙ୍ଗି ତଳେ ପଡ଼ିଥିବା ବେଳେ ଏହାର ମରାମତି କରାଯାଉନି। ଗତ ୨୭ ତାରିଖରେ ନାଲ୍କୋ ସିଏମ୍ଡି ଶ୍ରୀଧର ପାତ୍ର ପୁରୀ ଗସ୍ତରେ ଆସିଥିଲେ। ଏହି ଅବସରରେ ଶ୍ରୀଜଗନ୍ନାଥ ଧର୍ମ ସଂସ୍କୃତି ସୁରକ୍ଷା ସଂଗଠନ ପକ୍ଷରୁ ରାଜ୍ୟ ଆବାହକ ବଦ୍ରି ମିଶ୍ର ଓ ସଂଗଠନର ଅନ୍ୟ କାର୍ଯ୍ୟକର୍ତ୍ତାମାନେ ଶ୍ରୀ ପାତ୍ରଙ୍କୁ ପାର୍କର ଉନ୍ନତୀକରଣ ପାଇଁ ଦାବିପତ୍ର ଦେଇଛନ୍ତି।