ରାୟଗଡା : ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ୍ ଉକ୍କମ୍ବାଗୁଡା ଟ୍ରିପଲ୍ ମର୍ଡର ଘଟଣାକୁ ନେଇ ରାୟଗଡା ପୁଲିସ ଏବେ ଦୋ’ ଛକିରେ। ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତ ଫେରାର୍ ଥିବାରୁ ପୁଲିସ୍ ମୃତକଙ୍କ ଶବ ଉଦ୍ଧାର କରିବା ତ’ ଦୂରର କଥା କେଉଁଠି ପୋଡାଗଲା ଏବଂ ଘଟଣା କିପରି ଘଟିଲା, ସେ ସଂପର୍କରେ କିଛି ସୁରାକ୍ ପାଇ ପାରୁନି। ସଂଦେହରେ ଅଟକ ରଖିଥିବା ୪ ଜଣଙ୍କୁ ପୁଲିସ୍ ଜେରା କରିବା ପରେ ୩ ଜଣଙ୍କୁ ହତ୍ୟା ପରେ ଗାଁ ଶ୍ମଶାନ ନିକଟରେ ପୋଡି ଦିଆଯିବା ସହ ପ୍ରମାଣ ନଷ୍ଟ ପାଇଁ ହାଡ ପାଉଁଶକୁ ନିକଟସ୍ଥ ପୋଖରୀରେ ଫୋଫାଡି ଦିଆଯାଇଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଘଟଣାର ଜଣେ ମାତ୍ର ସାକ୍ଷୀ ଭାବେ ମୃତକଙ୍କ ୧୧ ବର୍ଷର ପୁଅ ଏବେ ପୁଲିସ୍ ପାଇଁ ଏକ ମାତ୍ର ସାହା ଭରସା ପାଲଟିଛି।

Advertisment

ଅତିରିକ୍ତ ପୁଲିସ୍ ଏସପି ଭି. ଆର୍. ରାଓ ଆଜି ଉକ୍କମ୍ବାଗୁଡା ଗ୍ରାମକୁ ଯାଇ ଘଟଣାର ତଦନ୍ତ କରି ଫେରିଛନ୍ତି। ଫେରାର୍ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ୍ ଗୁଣପୁର ଏସଡିପିଓ ରାଜ କିଶୋର ଦାସଙ୍କ ନେତୃତ୍ବରେ ୩ଟି ଟିମ୍ ଗଠନ କରିଛି। ପଦ୍ମପୁର, ଗୁଡାରି ସମେତ ଆଖପାଖ ଇଲାକାରେ ହିଁ ଅଭିଯୁକ୍ତମାନେ ଲୁଚି ବୁଲୁଥିବାରୁ ପୁଲିସ୍ ଚଢ଼ଉ ଜାରି ରଖିଛି। ସେପଟେ ଘଟଣାକୁ ଇତିମଧ୍ୟରେ ୫ ଦିନ ବିତିବାକୁ ବସିଥିବା ବେଳେ ମୃତକଙ୍କ ପରିବାର ଲୋକ ଓ ସଂପର୍କୀୟଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଭୁବନେଶ୍ବରରେ ରହୁଥିବା ଗୋପାଳଙ୍କ ଝିଅ ସବିତା ଗାଁକୁ ଫେରିବା ପରେ ବାପା, ମା’ଙ୍କୁ ଝୁରି ଅସହାୟ ପଡିଥିବା ବେଳେ ୧୧ ବର୍ଷର ପୁଅ ମୂକ ପ୍ରାୟ ପାଲଟିଛି। ଅଭିଯୁକ୍ତଙ୍କ ଏହି ବର୍ବରକାଣ୍ଡ ସଂପର୍କରେ ସୂଚନା ପାଇବା ପରେ ଆଖପାଖ ଗ୍ରାମବାସୀ ସ୍ତବ୍ଧ ହୋଇ ପଡିଛନ୍ତି। ୩ ଜଣଙ୍କୁ ହତ୍ୟା ପରେ ରାତାରାତି ଶବକୁ ପୋଡିବା ସହ ପ୍ରମାଣ ନଷ୍ଟ ପାଇଁ ହାଡ, ପାଉଁଶକୁ ପୋଖରୀରେ ଫିଙ୍ଗି ଦିଆଯାଇଥିବା ଘଟଣା ପୁଲିସକୁ ଚକିତ କରିଛି। ତେବେ ଘଟଣାର ମାଷ୍ଟର ମାଇଣ୍ଡ କିଏ, କେବେଠାରୁ ଏହି ଘଟଣା ପାଇଁ ଯୋଜନା ପ୍ରସ୍ତୁତ ହେଲା ସେ ସଂପର୍କିତ ସମସ୍ତ ଦିଗକୁ ନେଇ ପୁଲିସ୍ ତଦନ୍ତ ଜାରି ରଖିଛି ବୋଲି କହିଛନ୍ତି ଏସ୍‌ଡିପିଓ ରାଜ କିଶୋର ଦାସ। ଅଭିଯୁକ୍ତଙ୍କୁ କାବୁ କରିବା ପରେ ଘଟଣାର ପର୍ଦାଫାଶ ହେବ ବୋଲି ଶ୍ରୀ ଦାସ କହିଛନ୍ତି।

ସୂଚନାଯୋଗ୍ୟ, ଗୁଣି ଗାରେଡି ସଂଦେହରେ ଗତ ୨୩ ତାରିଖ ରାତିରେ ଉକ୍କମ୍ବାଗୁଡା ଗ୍ରାମ ବଡ ସାହିର ଗୋପାଳ ଶବର (୪୫) ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଶବର (୪୦) ଓ ଜାଙ୍ଗିଲି ଶବର (୭୬) କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା।