ୟୁକ୍ରେନ ସଙ୍କଟ: ଦିଲ୍ଲୀ ପହଞ୍ଚିଲେ ଆତିଶ ଓ ବର୍ଷା

କୋରେଇ/ଦଶରଥପୁର: ୟୁକ୍ରେନ୍‌ରେ ଫସି ରହିଥିବା କୋରେଇ ବ୍ଲକ୍‌ ଜହ୍ନା ପଞ୍ଚାୟତ ଛୋଟରାୟପୁର ଗ୍ରାମର କୈଳାସ ଚନ୍ଦ୍ର ପଣ୍ତାଙ୍କ ପୁଅ ଆତିଶ ରବିବାର ଦିଲ୍ଲୀରେ ପହଞ୍ଚିଛନ୍ତି। ବରୁଣ୍ତାଇ ପଞ୍ଚାୟତ ବିରୁହାଁପଡ଼ା ଗ୍ରାମର ବସନ୍ତ ନାୟକଙ୍କ ପୁଅ ପ୍ରଳୟ ହଙ୍ଗେରୀ ସୀମାରେ ଏବେ ବି ଫସି ରହିଛନ୍ତି। ଶନିବାର ଅସନଝର ପଞ୍ଚାୟତ ରାମକୃଷ୍ଣପୁର ଗ୍ରାମର ବେଣୁଧର ସ୍ବାଇଁଙ୍କ ପୁଅ ଅଚ୍ୟୁତାନନ୍ଦ ଘରକୁ ଫେରି ଆସିଥିଲେ। ପ୍ରଳୟଙ୍କ ଫେରିବା ବାଟକୁ ପରିବାର ଲୋକେ ଚାହିଁ ବସିଥିବା ବେଳେ ଆତିଶ ଦିଲ୍ଲୀରେ ପହଞ୍ଚିବା ଖବର ପାଇ ତାଙ୍କ ପରିବାର ଖୁସି ଅଛନ୍ତି।

ଆତିଶଙ୍କ ସମେତ ବହୁ ଓଡ଼ିଆ ଛାତ୍ରଛାତ୍ରୀ ରବିବାର ସକାଳ ୮ଟାରେ ଦିଲ୍ଲୀରେ ପହଞ୍ଚିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ ରଖାଯାଇଥିଲା। ରାତିରେ କିମ୍ବା ସୋମବାର ସମସ୍ତ ଛାତ୍ରଛାତ୍ରୀଙ୍କୁ ସରକାର ଘରକୁ ପଠାଇବାର ବ୍ୟବସ୍ଥା କରିଛନ୍ତି ବୋଲି ଆତିଶ ସୂଚନା ଦେଇଛନ୍ତି। ୩ ଦିନ ଧରି ସେ ଭୋକ ଉପାସରେ ସୀମାରେ ଘରକୁ ଫେରିବାକୁ ଅପେକ୍ଷା କରି ପଡ଼ିରହିଥିଲେ। ଘମାଘୋଟ ଯୁଦ୍ଧ ମଧ୍ୟରେ କେବଳ ଶୁଖିଲା ଖାଦ୍ୟ ଖାଇ ଏବଂ ସେଠାରେ ପଡ଼ୁଥିବା ବରଫକୁ ବଙ୍କରରେ ଗରମ କରି ପିଇବାକୁ ପଡ଼ୁଥିଲା ବୋଲି ଆତିଶ ତାଙ୍କ ଅନୁଭୂତି ବଖାଣିଛନ୍ତି। ଖାରକିଭ ଇଣ୍ଟରନେସନାଲ ୟୁନିଭରସିଟିରେ ଆତିଶ ପଢ଼ୁଥିବା ବେଳେ ସେଠାରେ ଯୁଦ୍ଧ ପରିସ୍ଥିତି ଉପୁଜିଥିଲା। ଫଳରେ ତାଙ୍କ ସହିତ ଅନ୍ୟ କେତେକ ଛାତ୍ରଛାତ୍ରୀ ୪ ଦିନ କାଳ ବଙ୍କର ମଧ୍ୟରେ ଲୁଚି ରହିଥିଲେ।

ଉପର ମହଲାରେ ରହୁଥିବା ଛାତ୍ରମାନେ ବୋମାମାଡ଼ ହେବାରୁ ତଳକୁ ପଳାଇ ଆସି ବଙ୍କରରେ ଲୁଚିବାକୁ ବାଧ୍ୟ ହୋଇଥିଲେ। ବୋମା ବର୍ଷଣ ହେବାପରେ ଖାରକିଭରେ ଖାଦ୍ୟ ଓ ପାଣି ମିଳିବା କଷ୍ଟକର ହୋଇପଡ଼ିଥିଲା। ଫଳରେ ପାଳି କରି ପିଲାମାନେ ବଙ୍କର ବାହାରକୁ ଯାଉଥିଲେ। ବାହାରେ ପଡ଼ିଥିବା ବରଫକୁ ଆଣି ଗରମ କରି ପିଇବା ପାଣି ଭାବେ ବ୍ୟବହାର କରି ଜୀବନ ବଞ୍ଚାଇଥିଲେ। ୩ ଦିନ ପରେ ହାତରେ ତିରଙ୍ଗା ପତାକା ଧରି ସେମାନେ ୭ କିଲୋମିଟର ଚାଲିଚାଲି ଖାରକିଭ ଷ୍ଟେସନ୍‌ରେ ପହଞ୍ଚିଥିଲେ। ବାଟରେ ୟୁକ୍ରେନ୍‌ ଓ ରୁଷିଆ ସୈନିକ ସେମାନଙ୍କୁ ଦେଖିଥିଲେ ମଧ୍ୟ କୌଣସି କ୍ଷତି କରିନଥିଲେ। ଷ୍ଟେସନ୍‌ରେ ପହଞ୍ଚିବା ପରେ ସେଠାରେ ମଧ୍ୟ  ବୋମା ବର୍ଷଣ ଆରମ୍ଭ ହୋଇଥିଲା।

ୟୁକ୍ରେନ୍ ସୈନିକ ପ୍ରଥମେ ସେମାନଙ୍କ ଦେଶର ନାଗରିକଙ୍କୁ ଟ୍ରେନ୍‌ରେ ଚଢ଼ିବାକୁ ଅନୁମତି ଦେଉଥିବା ବେଳେ ପରେ ଛାତ୍ରୀମାନଙ୍କୁ ଓ ତାପରେ ଛାତ୍ରମାନଙ୍କୁ ଯିବାକୁ ଦେଉଥିଲେ। ଫଳରେ ଛାତ୍ରମାନଙ୍କ ପାଳି ପଡ଼ିବାକୁ ୩ ଦିନ ଲାଗିଯାଇଥିଲା। ସେଠାରେ ଭାରତୀୟ ଦୂତାବାସର କିଛି କର୍ମଚାରୀ ପହଞ୍ଚିବା ପରେ ଭାରତ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଶନିବାର ରାତି ୧୦ଟା ସମୟରେ ବିମାନରେ ଦିଲ୍ଲୀ ଅଣାଯାଇଥିବା ଆତିଶ କହିଛନ୍ତି। ଦିଲ୍ଲୀରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ଅଧିକାରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ଓଡ଼ିଶା ଭବନ କମିସନର ରବି କାନ୍ତ ଛାତ୍ରଛାତ୍ରୀମାନଙ୍କ ରହଣିର ବ୍ୟବସ୍ଥା କରିଥିଲେ। ଅନ୍ୟପକ୍ଷରେ ବିରୁହାଁପଡ଼ା ଗ୍ରାମର ବସନ୍ତ ନାୟକଙ୍କ ପୁଅ ପ୍ରଳୟ ଏବେ ମଧ୍ୟ ହଙ୍ଗେରୀ ସୀମାରେ ଅପେକ୍ଷା କରିଥିବା ତାଙ୍କ ବାପା ସୂଚନା ଦେଇଛନ୍ତି। ସୋମବାର ସେମାନଙ୍କୁ ବିମାନ ଯୋଗେ ଭାରତ ପଠାଯିବାର ସମ୍ଭାବନା ରହିଛି।

୪ ଛାତ୍ରଛାତ୍ରୀ ଓଡ଼ିଶା ଭବନରେ

ଦଶରଥପୁର: ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରେ ଫସି ରହିଥିବା ଦଶରଥପୁର ଛାତ୍ରୀ ବର୍ଷା ରାୟ ଦିଲ୍ଲୀରେ ପହଞ୍ଚିଛନ୍ତି। ଦଶରଥପୁର ବ୍ଲକ ପାଲଟପୁର ପଞ୍ଚାୟତ ନୀଳକଣ୍ଠପୁର ଗ୍ରାମର ଶିକ୍ଷକ ବିପିନ ରାୟଙ୍କ ଝିଅ ବର୍ଷା ରାୟ ୟୁକ୍ରେନର ଖାରକିଭ୍ ସହରର ମେଡିକାଲ ୟୁନିଭରସିଟିରେ ଶେଷବର୍ଷର ଛାତ୍ରୀ ଥିଲେ। ଯୁଦ୍ଧ ବିଭୀଷିକାର ୮ଦିନ ପରେ ସେ ଓ ତାଙ୍କର ୪ଜଣ ସହପାଠୀ ବହୁ ବାଧାବିଘ୍ନରେ ୟୁକ୍ରେନ ପଶ୍ଚିମ ପ୍ରାନ୍ତ ପୋଲାଣ୍ଡ ସୀମାରେ ପହଞ୍ଚିଥିଲେ। ସେଠାରେ ଭାରତୀୟ ଦୂତାବାସ ପକ୍ଷରୁ ସେମାନଙ୍କ ରହିବା ବ୍ୟବସ୍ଥା ହୋଇଥିଲା। ସନ୍ଧ୍ୟାରେ ଭାରତ ସରକାରଙ୍କ ସ୍ୱତନ୍ତ୍ର ବିମାନ ଯୋଗେ ବର୍ଷା ଦିଲ୍ଲୀରେ ପହଞ୍ଚିଛନ୍ତି। ପରେ ସେ ନୂଆଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ ଆଶ୍ରୟ ନେଇଛନ୍ତି। ସୋମବାର ପୂର୍ବାହ୍ନରେ ବିମାନ ଯୋଗେ ସେ ଭୁବନେଶ୍ୱରରେ ପହଞ୍ଚିବେ ବୋଲି ସୂଚନା ରହିଛି। ଏ ଖବର ପାଇ ଝିଅକୁ ଆଣିବାକୁ ତାଙ୍କ ବାପା ବିପିନ ଓ ମାଆ ଝୁନାରାଣୀ ଭୁବନେଶ୍ୱର ଯାଇଛନ୍ତି।

ସମ୍ବନ୍ଧିତ ଖବର