ଛାତିଥରା ଅନୁଭୂତି ବଖାଣିଲେ ଡାକ୍ତରୀ ଛାତ୍ର ଶିବପ୍ରସାଦ, କହିଲେ ’ବଙ୍କର୍ ଭିତରେ ହାଡ଼ଭଙ୍ଗା ଶୀତରେ ଥରୁଥିଲୁ’

ବୁଗୁଡ଼ା : ‘ଦୁଇଘଣ୍ଟାକୁ ଥରେ ବାଜୁଥିଲା ସାଇରନ୍। ବାହାରେ ଘନଘନ ବୋମାମାଡ଼। ଆଉ ହାଡ଼ଭଙ୍ଗା ଶୀତରେ ବଙ୍କର୍ ଭିତରେ ଥରୁଥିଲେ ଶତାଧିକ ଡାକ୍ତରୀ ଛାତ୍ରଛାତ୍ରୀ। ପ୍ରତି ମୁହୂର୍ତ୍ତରେ ଘାରୁଥିଲା ଭୟ। ଜୀବନ ଓ ମୃତ୍ୟୁର ଦୋଛକିରେ ସେମାନେ ପ୍ରତିଟି ସମୟ କାଟୁଥିଲେ। ଶେଷରେ ଭଗବାନଙ୍କ ଦୟାରୁ ଜନ୍ମମାଟିକୁ ଫେରି ଆଶ୍ବସ୍ତି ଅନୁଭବ କରୁଛି। ସତେ ଯେମିତି ନୂଆ ଜୀବନ ପାଇଲା ଭଳି ଲାଗୁଛି’। ଋଷ୍‌ର ଆକ୍ରମଣରେ ଛାରଖାର୍ ହୋଇଥିବା ୟୁକ୍ରେନ୍‌ରୁ ଫେରିବା ପରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ ଆଦିପୁର ଗ୍ରାମର ଶିବପ୍ରସାଦ ସାହୁ ଗଣମାଧ୍ୟମ ଆଗରେ ଏହି ଛାତିଥରା ଅନୁଭୂତି ବଖାଣିଛନ୍ତି। ଶିବପ୍ରସାଦଙ୍କ ସହ ଛତ୍ରପୁର ଓ ବ୍ରହ୍ମପୁରରୁ ବି ଦୁଇଜଣ ଡାକ୍ତରୀ ଛାତ୍ର ଘରକୁ ଫେରିଛନ୍ତି।
ଆଦିପୁର ଗ୍ରାମର କୁନି ସାହୁ ଓ ସ୍ବର୍ଗତ ରାଧାଗୋବିନ୍ଦ ସାହୁଙ୍କ ସାନପୁଅ ହେଉଛନ୍ତି ଶିବପ୍ରସାଦ (୨୨)। ସେ ଡାକ୍ତରୀ ପଢ଼ିବା ଲାଗି ୨୦୧୯ ଡିସେମ୍ବରରେ ୟୁକ୍ରେନ୍ ଯାଇଥିଲେ। କୋଭିଡ୍ ମହାମାରୀ‌ର ଯୋଗୁଁ ଗାଁକୁ ଆସିବା ପରେ ପୁଣି ୨୦୨୦ ସେପ୍ଟେମ୍ବରରେ ପଳାଇଥିଲେ। ଯୁକ୍ରେନ୍‌ର ଖାରଖିବ ନ୍ୟାସନାଲ୍ ମେଡିକାଲ ୟୁନିଭର୍ସିଟିର ସେ ଦ୍ବିତୀୟ ବର୍ଷର ଛାତ୍ର।

ଶିବପ୍ରସାଦ କହିଛନ୍ତି, ‌ଯୁଦ୍ଧ ଆରମ୍ଭ ହେବାରୁ ସେ ନିଜର କିଛି ସହପାଠୀଙ୍କ ସହ ଗତମାସ ୨୩ ତାରିଖ ରାତି ୧୧ଟାରେ ବସ୍ ଯୋଗେ କିଭ୍ ଅଭିମୁଖେ ବାହାରିଥିଲେ। ୨୪ ତାରିଖ ସକାଳେ କିଭ୍‌ରେ ପହଞ୍ଚିବା ପୂର୍ବରୁ ବିମାନବନ୍ଦରରେ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା। ଫଳରେ କିଭ୍‌ର ଏକ ‌ହଷ୍ଟେଲ୍‌ରେ ଗତ ୧ ତାରିଖ ପର୍ଯ୍ୟନ୍ତ ସମସ୍ତଙ୍କୁ ରହିବାକୁ ପଡ଼ିଥିଲା। କିନ୍ତୁ ଘନଘନ କ୍ଷେପଣାସ୍ତ୍ର ମାଡ଼ ହେଉଥିବାରୁ ସମସ୍ତେ ହଷ୍ଟେଲ୍ ତଳେ ଥିବା ବଙ୍କର୍ ଭିତରେ ୨୪ ଘଣ୍ଟା ରହୁଥିଲେ। ମେସ୍ ବନ୍ଦ ହୋଇଯାଇଥିବାରୁ ଖାଇବାକୁ ମିଳୁ ନଥିଲା। କେବଳ ସକା‌ଳେ କିଛି ଘଣ୍ଟା ପାଇଁ ଗ୍ରୋସରି ଦୋକାନ ଖୋଲୁଥିଲା। ଫଳରେ ସେଠାରେ ଧାଡ଼ି ବାନ୍ଧି ବିସ୍କୁଟ୍ ଆଣି କିଣିବା ପରେ ଭାଗ ବାଣ୍ଟି ସମସ୍ତେ ଖାଉଥିଲେ। କିନ୍ତୁ ପରେ କର୍ଫ୍ୟୁ ଜାରି ହୋଇଯିବାରୁ ବିସ୍କୁଟ୍ ବି ଖାଇବାକୁ ନମିଳିବାରୁ ଦୁଇରୁ ତିନିଦିନ ଭୋକ ଉପବାସରେ ରହିବାକୁ ପଡ଼ିଲା। ଏପରିକି ପିଇବା ପାଣି ମଧ୍ୟ ମିଳିଲାନି।

ଏଭଳି ଘଡ଼ିସନ୍ଧି ସମୟରେ ହଙ୍ଗେରି ସୀମାନ୍ତରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଛାଡ଼ିଦେବାକୁ କିଭ୍ ପ୍ରଶାସନକୁ ବାରମ୍ବାର ଗୁହାରି କରିଥିଲେ ବି କୌଣସି ସୁଫଳ ମିଳି ନଥିଲା। ଭୀଷଣ ଯୁଦ୍ଧ ହେବାକୁ ଥିବାରୁ ତୁରନ୍ତ କିଭ୍ ସହର ଛାଡ଼ିବାକୁ ମାର୍ଚ୍ଚ ୩ ତାରିଖରେ ସେମାନଙ୍କୁ ଚେତାବନୀ ଦିଆଯାଇଥିଲା। ଫଳରେ ଗୁଳିଗୋଳା ଓ ବୋମାମାଡ଼ର ପ୍ରଚଣ୍ଡ ଶଦ୍ଦ ଭିତରେ ସମସ୍ତେ ଜୀବନକୁ ବାଜି ଲଗାଇଥିଲେ। ହାଡ଼ଭଙ୍ଗା ଶୀତରେ ସକାଳ ୭ଟାରୁ ବାହାରି ଦୀର୍ଘ ୯ କିଲୋମିଟର ଚାଲିଚାଲି ରେଳ ଷ୍ଟେସନ୍‌ରେ ପହଞ୍ଚିଥିଲେ। କିଛି ଛାତ୍ରୀ ଭୋକରେ ଥିବାରୁ ସେମାନେ ଅଚେତ ହୋଇ ପଡ଼ିଥିଲେ। ସେଠାରୁ ରେଳ ଯୋଗେ ପ୍ରଥମେ ପଭେଲ୍ ଓ ପରେ ଲଭିଭ୍‌ରେ ପହଞ୍ଚିଲେ। ସେଠାରୁ ବସ୍ ଯୋଗେ ୟୁଜରଡ଼ ପହଞ୍ଚିଲା ବେଳକୁ ଦୀର୍ଘ ୨୪ ଘଣ୍ଟା ବିତିଯାଇଥିଲା। ପୁଣି ସେଠାରୁ ଚପ୍ ରେଳଷ୍ଟେସନ୍‌କୁ ଆସିବା ପରେ ସେଠାରେ ଖଚାଖଚ୍ ଭିଡ଼ ଲାଗିରହିଥିଲା। ୧୨ ଘଣ୍ଟା ଧରି ଟ୍ରେନ୍ ପାଇଁ ଅପେକ୍ଷା କରିବାକୁ ପଡ଼ିଥିଲା। ସେଠାରୁ ହଙ୍ଗେରି ସୀମାନ୍ତରେ ପହଞ୍ଚିବା ପରେ ଭାରତୀୟ ଦୂତାବାସରୁ ସହଯୋଗ ମିଳିଥିଲା। ହୋଟେଲରେ ରହଣି ସହ ଖାଇବାପିଇବା ବ୍ୟବସ୍ଥା କରାଯାଇଥିଲା। ସେଠାରେ ୨ ଦିନ ବିତିବା ପରେ ଭାରତ ସରକାରଙ୍କ ସହଯୋଗରେ ଗତ ୫ ତାରିଖରେ ଇଣ୍ଡିଗୋ ବିମାନରେ ଭାରତୀୟ ଛାତ୍ରଛାତ୍ରୀ ଦିଲ୍ଲୀରେ ପହଞ୍ଚିଥିଲେ। ସେଠାରୁ ଏକ ବିମାନ ଭୁବନେଶ୍ବର ଆସିଥିଲା। ପରେ ଶିବପ୍ରସାଦଙ୍କ ସହ ଛତ୍ରପୁର ଓ ବ୍ରହ୍ମପୁରର ଜଣେ ଲେଖାଏଁ ଛାତ୍ର ନିଜ ଘରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର