କୋରେଇ : ୟୁକ୍ରେନ୍ର ଖାରକିଭ୍ ସହରରେ ଫସି ରହିଥିବା ୧୫ରୁ ଉର୍ଦ୍ଧ୍ବ ଓଡ଼ିଆ ଛାତ୍ରଛାତ୍ରୀ ବୁଧବାର ସହର ଛାଡ଼ି ସୀମା ଅଭିମୁଖେ ଯାତ୍ରା କରିଛନ୍ତି। ସେ ମଧ୍ୟରେ ଯାଜପୁର ଜିଲ୍ଲା କୋରେଇର ୩ଜଣ ଅଛନ୍ତି। ଜୀବନ ବଞ୍ଚାଇବାକୁ ସପ୍ତାହେ ହେଲା ବଙ୍କରରେ ଥିବା ଏହି ଛାତ୍ରମାନେ ଲୁଚିଛପି ଟ୍ରେନ୍ ଯୋଗେ ଖାରକିଭ୍ ଛାଡ଼ି ଅନ୍ୟ ଏକ ସହରକୁ ଚାଲିଯାଇଥିବା କୋରେଇର ଛାତ୍ର ଆତିଶ ପଣ୍ତା ‘ସମ୍ବାଦ’କୁ ସୂଚନା ଦେଇଛନ୍ତି। ଶ୍ରୀ ପଣ୍ତାଙ୍କ ସୂଚନା ଅନୁଯାୟୀ, ବୁଧବାର ସକାଳୁ ଖାରକିଭ୍ ସହରରେ ହଠାତ୍ ରୁଷ ସେନା ପ୍ରଚଣ୍ଡ ଆକ୍ରମଣ କରିଥିଲା।
ବୋମା ମାଡ଼ କରି ଏକ ମିଲିଟାରି ମେଡିକାଲ୍କୁ ଧ୍ବଂସ କରିଦେଇଥିଲା। ଏଥି ସହିତ କିଛି ସାଧାରଣ ନାଗରିକଙ୍କ ଉପରେ ମଧ୍ୟ ରୁଷସେନା ଗୁଳି ବର୍ଷଣ କରିଥିଲେ। ଏଥିରେ ଆତଙ୍କିତ ହୋଇ ବଙ୍କରରେ ଲୁଚିଥିବା କେତେକ ଭାରତୀୟ ଛାତ୍ର ପାଦରେ ଚାଲିଚାଲି ୮ କିଲୋମିଟର ଦୂରରେ ଥିବା ମେଟ୍ରୋ ଷ୍ଟେସନ୍କୁ ଯାଇଥିଲେ। ସେଠାରୁ ସେମାନେ ଟ୍ରେନ୍ରେ ନିୟୁଓ୍ବେଲ ସହରକୁ ଚାଲିଯାଇଥିଲେ। ଗୁରୁବାର ସକାଳ ୧୦ଟା ସୁଦ୍ଧା ସେମାନେ ସେଠାରେ ପହଞ୍ଚିବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି।
ସେଠାରେ ପହଞ୍ଚିବା ପରେ ନିୟୁଓ୍ବେଲ ଠାରୁ ଟ୍ରେନ୍ କିମ୍ବା ବସ୍ ଯୋଗେ ସ୍ଲୋଭାକିଆ ନହେଲେ ହଙ୍ଗେରୀ ସୀମାରେ ପହଞ୍ଚିବେ। ସୁରକ୍ଷିତ ଭାବେ ସେଠାରେ ପହଞ୍ଚିଲେ ଭାରତ ଫେରିବାର ସୁଯୋଗ ମିଳିବ ବୋଲି ଶ୍ରୀ ପଣ୍ତା କହିଛନ୍ତି। ତେବେ ତାଙ୍କ ସହିତ କୋରେଇର ଅନ୍ୟ ୨ଜଣ ଛାତ୍ର ଓ ବହୁ ଭାରତୀୟ ଛାତ୍ର ଅଛନ୍ତି। ସମସ୍ତେ ଭୟଭୀତ ଅବସ୍ଥାରେ ରହିଛନ୍ତି। ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ବୃଦ୍ଧି ପାଉଥିବା ବେଳେ ଏବେ କିବ୍ ଓ ଖାରକିଭ୍ରେ ରୁଷ ସୈନ୍ୟ ପ୍ରବେଶ କରି ପ୍ରବଳ ଗୁଳି ଓ ବୋମା ବର୍ଷଣ କରୁଛନ୍ତି। ଅନ୍ୟପକ୍ଷରେ ସାଟେଲାଇଟ୍ ସମସ୍ୟା ଓ ମୋବାଇଲ୍ ଫୋନ୍ରେ ଚାର୍ଜ ରହୁନଥିବାରୁ ସମ୍ପୃ୍କ୍ତ ଛାତ୍ରମାନଙ୍କ ସହିତ ସେମାନଙ୍କ ପରିବାରର ଅଧିକାଂଶ ସମୟରେ ଯୋଗାଯୋଗ ହୋଇପାରୁନାହିଁ। ଫଳରେ ପିଲାମାନଙ୍କ ସୁରକ୍ଷା ଓ ସେମାନଙ୍କ ଆଶ୍ରୟ ନେଇ ପରିବାର ଲୋକେ ଭୟ ଓ ଆଶଙ୍କାରେ ରହିଛନ୍ତି।
ପିଲାମାନଙ୍କୁ ସୁରକ୍ଷିତ ଭାବେ କେନ୍ଦ୍ର ସରକାର ତୁରନ୍ତ ଘରକୁ ଫେରାଇ ଆଣିବାକୁ ସେମାନଙ୍କ ବାପାମାଆ ନିବେଦନ କରିଛନ୍ତି। ପ୍ରକାଶ ଯେ, କୋରେଇ ବ୍ଲକ୍ ଅନ୍ତର୍ଗତ ବରୁଣ୍ତାଇ ପଞ୍ଚାୟତ ବିରୁହାଁପଡ଼ା ଗ୍ରାମର ବସନ୍ତ ନାୟକଙ୍କ ପୁଅ ପ୍ରଳୟ, ଜହ୍ନା ପଞ୍ଚାୟତ ଛୋଟରାୟପୁର ଗ୍ରାମର କୈଳାସ ପଣ୍ତାଙ୍କ ପୁଅ ଆତିଶ ଓ ଅସନଝର ପଞ୍ଚାୟତ ରାମକୃଷ୍ଣପୁର ଗ୍ରାମର ବେଣୁଧର ସ୍ବାଇଁଙ୍କ ପୁଅ ଅଚ୍ୟୁତାନନ୍ଦ ଡାକ୍ତରୀ ପଢ଼ିବାକୁ ୟୁକ୍ରେନ୍ର ଖାରକିଭ୍ ସହରରେ ରହିଥିଲେ। ପ୍ରଳୟ ଓ ଅଚ୍ୟୁତାନନ୍ଦ ଥାର୍ମିନ୍ ୟୁନିଭରସିଟିରେ ନାମ ଲେଖାଇଥିବା ବେଳେ ଆତିଶ ଖାରକିଭ୍ସ୍ଥିତ ଭିଏନ୍ କାରାଜିନ୍ ୟୁନିଭରସିଟିରେ ନାମ ଲେଖାଇଥିଲେ। ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ପରେ ଏହି ଛାତ୍ରମାନେ ସେଠାରେ ଫସି ରହିଛନ୍ତି।