ୟୁକ୍ରେନ ଯୁଦ୍ଧ: ମାସକ ପାଇଁ ରାସନ ସାମଗ୍ରୀ ଗଚ୍ଛିତ ରଖିଲେ ଛାତ୍ରଛାତ୍ରୀ

ସ୍ଥିତି ସୁଧୁରିଲେ ରୋଷେଇକରି ଖାଇବାକୁ ଯୋଜନା

ରାଉରକେଲା: ୟୁକ୍ରେନରେ ଯୁଦ୍ଧ ଆରମ୍ଭ ହେବାର ତିନି ଦିନ ବିତିଛି। ଏବେ ବି ବଙ୍କର୍ ଭିତରେ ଆଶ୍ରୟ ନେଉଛନ୍ତି ରାଉରକେଲାର ପ୍ରାୟ ୨୦ ଡାକ୍ତରୀ ଛାତ୍ରଛାତ୍ରୀ। ଗତ ୨୪ ତାରିଖରୁ ବଙ୍କର୍ ହିଁ ଏମାନଙ୍କର ଠିକଣା ପାଳଟିଛି। ପ୍ରଥମ ଦିନ ଭଳି ଶୁକ୍ରବାର ମଧ୍ୟ ଖାର୍‌କିଭ୍‌ରେ ବଙ୍କର୍ ଭିତରେ ଥିଲେ। ଶନିବାର ସକାଳ ପ୍ରାୟ ସାଢ଼େ ୬ଟାରେ ଶୌଚ ହେବାକୁ ହଷ୍ଟେଲ୍‌କୁ ଆସିଥିଲେ। କିନ୍ତୁ ୧୦ ମିନିଟ୍ ପରେ ପୁଣି ବୋମାମାଡ଼ ହେବାରୁ ପ୍ରାଣବିକଳରେ ବଙ୍କର୍ ଭିତରକୁ ପଶିଯାଇଥିଲେ। ଏବେ ବି ସେମାନେ ବଙ୍କର୍ ଭିତରେ ଥିବା ସୂଚନା ଦେଇଛନ୍ତି।

ପ୍ରକାଶଥାଉକି, ରାଉରକେଲାର ପ୍ରାୟ ୨୦ ଛାତ୍ରଛାତ୍ରୀ ଭିନ୍ନ ଭିନ୍ନ ସ୍ଥାନରେ ଅଲଗା ଅଲଗା ହୋଇ ଫସିରହିଛନ୍ତି। ସେମାନେ ମୋବାଇଲରେ ସଂଯୋଗ ରଖିଛନ୍ତି, କିନ୍ତୁ ପ୍ରତ୍ୟକ୍ଷଭାବେ ଭେଟ ହୋଇପାରୁନାହାନ୍ତି। ସେମାନଙ୍କ ମଧ୍ୟରୁ ୪ ଛାତ୍ରଛାତ୍ରୀ ପ୍ରଥମ ଦିନରୁ ହିଁ ବଙ୍କର୍ ଭିତରେ ଆଶ୍ରୟ ନେଉଥିବା ୟୁକ୍ରେନ୍‌ରେ ଫସିରହିଥିବା ଜଣେ ଛାତ୍ରୀ ସୂଚନା ଦେଇଛନ୍ତି। ଶନିବାର କେତେକ ଭାରତୀୟ ଛାତ୍ରଛାତ୍ରୀ ହଙ୍ଗେରୀ ଦେଇ ସ୍ବଦେଶ ଫେରୁଥିବାରୁ ଏମାନଙ୍କର ଆଶା ଉଜ୍ଜିବୀତ ହୋଇଥିଲା।

ଖାର୍‌କିଭ୍‌ଠାରୁ ପୋଲାଣ୍ଡ୍-ହଙ୍ଗେରୀ ସୀମା ପ୍ରାୟ ୧୪/୧୫ ଶହ କିଲୋମିଟର ଦୂର। ବର୍ଡର ଯାଏଁ ପହଞ୍ଚିବା ଏମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡ଼ିଛି। ଖାର୍‌କି୍‌ଭ୍‌ରେ ବର୍ତ୍ତମାନ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଏତେ ରାସ୍ତା ଅତିକ୍ରମ କରିପାରୁନାହାନ୍ତି। ଫଳରେ ଭାଗ୍ୟକୁ ଆଦରି ଛାତ୍ରଛାତ୍ରୀ ଖାର୍‌କିଭ୍ ସମେତ ଲିଭିଭ୍, ଡିନିପ୍ରୋ, କିଭ୍ ଆଦି ସହରରେ ଫସିରହିଛନ୍ତି। ତେବେ ସରକାରୀ ସହାୟତାକୁ ଅପେକ୍ଷା ନକରି ଛାତ୍ରଛାତ୍ରୀ ନିଜେ ସୁପରମାର୍କେଟ୍‌କୁ ଯାଇ ମାସକର ରାସନ ସାମଗ୍ରୀ କିଣିଦେଇଛନ୍ତି। ସ୍ଥିତିରେ ସାମାନ୍ୟ ସୁଧାର ଆସିଲେ ରହୁଥିବା ହୋଷ୍ଟେଲରେ ରୋଷେଇ ଆରମ୍ଭ କରିବାକୁ ଯୋଜନା ରଖିଥିବା କହିଛନ୍ତି ଖାର୍‌କିଭ୍ ନ୍ୟାସ୍‌ନାଲ ମେଡିକାଲ ୟୁନିଭର୍ସିଟିର ୫ମ ବର୍ଷ ଛାତ୍ରୀ ସଲୋନୀ ଜେନା।

ଅପରପକ୍ଷରେ ଜୀବନ ବିକଳରେ ପୋଲାଣ୍ଡ୍ ବର୍ଡର୍‌କୁ ଯାଇଥିବା ଜଣେ ଓଡ଼ିଆ ଛାତ୍ର ଅକଳ୍ପନୀୟ ସମସ୍ୟାର ସମ୍ମୁଖୀନ ହେଉଥିବା ସୂଚନା ମିଳିଛି। ସଂପୃକ୍ତ ଓଡ଼ିଆ ଛାତ୍ର ଜଣଙ୍କ ଲିଭିଭ୍‌ରେ ରହୁଥିଲେ। ସେ ତାଙ୍କର ଅନ୍ୟ ୯ ଭାରତୀୟ ସହପାଠୀଙ୍କ ସହ ଶୁକ୍ରବାର ସନ୍ଧ୍ୟାରେ ଅର୍ଥ ଯୋଗାଡ଼ କରି ଏକ ଭଡ଼ା କାର୍‌ରେ ପୋଲାଣ୍ଡ୍ ବର୍ଡର ଅଭିମୁଖେ ବାହାରିଥିଲେ। ତେବେ ପ୍ରବଳ ଭିଡ଼ ଯୋଗୁଁ ଉକ୍ତ କାର୍‌ଟି ଆଉ ଆଗକୁ ବଢ଼ିପାରିନଥିଲା। ଏଣୁ ବର୍ଡରଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ କାର୍‌ଟି ସେମାନଙ୍କୁ ଛାଡ଼ି ଫେରିଯାଇଥିଲା।

ଫଳରେ ସେମାନେ ମାଇନସ୍ ୩ ଡିଗ୍ରି ସେଲ୍‌ସିୟିସରେ ଚାଲିଚାଲି ୟୁକ୍ରେନ-ପୋଲାଣ୍ଡ୍ ବର୍ଡର୍‌ରେ ପହଞ୍ଚିଥିଲେ। କିନ୍ତୁ ସେମାନଙ୍କୁ ସୀମା ଅତିକ୍ରମ କରିବାକୁ ଅନୁମତି ମିଳିନଥିଲା। ଯଦ୍ବାରା ଶନିବାର ଭୋର୍ ୪ଟାରୁ ସନ୍ଧ୍ୟା ପ୍ରାୟ ୫ଟା( ୟୁକ୍ରେନ ସମୟ) ପର୍ଯ୍ୟନ୍ତ ୧୩ ଘଣ୍ଟା ହେଲା ବର୍ଡରରେ ଛିଡ଼ା ହୋଇ ରହିଛନ୍ତି। ଖୋଲା ଆକାଶ ତଳେ ଉକ୍ତ ଓଡ଼ିଆ ଛାତ୍ରଜଣକ ଅଖିଆଅପିଆ ହୋଇ ରହିଥିବା କହିଛନ୍ତି। ଏକ ଭିଡିଓ ଜାରି କରି ଛାତ୍ର ଜଣକ ନିଜର ଦୁଃଖଦ କାହାଣୀ ବିଷୟରେ ଜଣାଇଛନ୍ତି। ତେବେ ସଂପୃକ୍ତ ଛାତ୍ର ଜଣକ ନିର୍ଦ୍ଦିଷ୍ଟ କେଉଁ ଜିଲ୍ଲାର ତାହା ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧିତ ଖବର