ଉଲିବୁରୁ ଖଣି ଦୁର୍ନୀତି: ଦୀପକ ଗୁପ୍ତାଙ୍କ ଜାମିନ ଶୁଣାଣି, ଭିଜିଲାନ୍ସ ପକ୍ଷରୁ ଯୁକ୍ତି ଉପସ୍ଥାପନ

କଟକ : ଉଲିବୁରୁ ଖଣି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଦୀପକ୍‌ ଗୁପ୍ତାଙ୍କ ଜାମିନ ଆବେଦନର ହାଇକୋର୍ଟରେ ଶୁଣାଣି ହୋଇଛି। ଆଜି ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଦୀପକଙ୍କ ଜାମିନ ଆବେଦନକୁ ବିରୋଧ କରି ଭିଜିଲାନ୍ସ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ମାମଲାର ଶୁଣାଣି ଅଧା ରହିଛି। ଜୁଲାଇ ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ସ୍ବତନ୍ତ୍ର ଭାବେ ନିଯୁକ୍ତ ବରିଷ୍ଠ ଆଇନଜୀବୀ ଏନ୍.ସି.ପାଣିଗ୍ରାହୀ ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ବହୁ ଚର୍ଚ୍ଚିତ ଉଲିବୁରୁ ଖଣି ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକଙ୍କୁ ୨୦୧୩, ସେପ୍ଟେମ୍ବର ୫ରେ ଭିଜିଲାନ୍ସ ଗିରଫ କରିଥିଲା। ୨୦୧୩, ଡିସେମ୍ବର ୩୧ରେ ହଜାର ହଜାର କୋଟି ଟଙ୍କାର ଉଲିବୁରୁ ଖଣି ଦୁର୍ନୀତି ମାମଲାରେ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨), ୧୩(୧)(ସି)(ଡି) ଓ ଆଇପିସିର ଦଫା ୧୨୦-ଖ, ୪୦୯, ୩୭୯, ୪୨୦, ୪୬୮, ୪୧୧ରେ ଦୀପକ୍‌ ଗୁପ୍ତା, ତାଙ୍କ ପରବାରର ୪ ଜଣ ସଦସ୍ୟ, ମୂଳ ଲିଜ୍‌ଧାରୀ ବି.କେ.ମହାନ୍ତିଙ୍କ ସମେତ ୨୫ ଜଣଙ୍କ ବିରୋଧରେ ଭିଜିଲାନ୍‌ସ୍‌ ପକ୍ଷରୁ କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନସ୍‌ ଅଦାଲତରେ ଚାର୍ଜସିଟ୍‌ ଦାଖଲ୍‌ କରାଯାଇଥିଲା। ୨୦୧୪, ଜୁନ୍‌ ୨୪ରେ ଭିଜିଲାନ୍ସ ଏହି ମାମଲାରେ ଚୂଡାନ୍ତ ଚାର୍ଜସିଟ୍‌ ଦାଖଲ କରିଥିଲା। ୨୦୧୭, ଜୁନ୍‌ ୫ରେ ଦୀପକ ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ୍‌ ହୋଇଥିଲା। ମାମଲାରେ ୧୭୮ ଜଣ ସାକ୍ଷୀ ରହିଥିବା ବେଳେ ପ୍ରାୟ ୫୦ ହଜାର ପୃଷ୍ଠାର ନଥିପତ୍ର ଚାର୍ଜସିଟ୍‌ରେ ଦାଖଲ ହୋଇଛି। ମାମଲାର ଶୁଣାଣି ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ଚାଲିଥିବା ବେଳେ ପୂର୍ବରୁ ଜାମିନ ପ୍ରସଂଗରେ ଦୀପକ ଏକାଧିକ ଥର ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇ ନିରାଶ ହୋଇଥିଲେ। ୨୦୧୯ରେ ଦୀପକ ପୁଣି ହାଇକୋର୍ଟରେ ଜାମିନ ଆବେଦନ ଦାୟର କରିଥିଲେ।

ସମ୍ବନ୍ଧିତ ଖବର