କଟକ: ଉଲିବୁରୁ ଖଣି ଦୁର୍ନୀତିର ଅଭିଯୁକ୍ତ ଚମ୍ପକ ଗୁପ୍ତାଙ୍କ ଆଗୁଆ ଜାମିନ୍ ଆବେଦନ ହାଇକୋର୍ଟ ଖାରଜ କରିଛନ୍ତି। ଅନ୍ୟପକ୍ଷରେ ଯଦି ଚମ୍ପକ ତିନି ସପ୍ତାହ ଭିତରେ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରନ୍ତି, ତେବେ ତାଙ୍କୁ ଅଦାଲତ ଜାମିନ୍ରେ ଛାଡ଼ିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଆବଶ୍ୟକ ସର୍ତ୍ତ ଧାର୍ଯ୍ୟ କରି ଚମ୍ପକଙ୍କୁ ଜାମିନ୍ରେ ଛାଡ଼ିବେ। ଜାମିନ୍ରେ ଛାଡ଼ ପାଇବା ପାଇଁ ଚମ୍ପକ ନିଜ ପାସ୍ପୋର୍ଟ ନିମ୍ନ ଅଦାଲତରେ ଦାଖଲ କରିବା ସହ ନିଜ ଠିକଣା ସଂପର୍କରେ ତଥ୍ୟ ଦେବେ। ନିମ୍ନ ଅଦାଲତରେ ମାମଲାର ଶୁଣାଣି ସମୟରେ ସେ ସବୁ ତାରିଖରେ ହାଜର ସେ ହେବେ ବୋଲି ହାଇକୋର୍ଟ ସର୍ତ୍ତାରୋପ କରିଛନ୍ତି।
ଜଷ୍ଟିସ୍ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଚମ୍ପକଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉଲିବୁରୁ ଖଣି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କ ଭାଇ ଚମ୍ପକ ପ୍ରାୟ ୧୦ବର୍ଷ ହେବ ଫେରାର୍ ରହିଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ହେମନ୍ତ କୁମାର ମୁଣ୍ଡ, ଅନିମା କୁମାରୀ ଦେଈ ଓ ଭିଜିଲାନ୍ସ ପକ୍ଷରୁ ବରିଷ୍ଠ ଆଇନଜୀବୀ ଏନ.ସି. ପାଣିଗ୍ରାହୀ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ସାଗର ରଂଜନ ପାଣିଗ୍ରାହୀ ସହାୟତା କରୁଥିଲେ।
ମାମଲାର ବିବରଣୀରୁ ପ୍ରକାଶ ଯେ ବହୁଚର୍ଚ୍ଚିତ ଉଲିବୁରୁ ଖଣି ଦୁର୍ନୀତି ମାମଲା ନେଇ ଭିଜିଲାନ୍ସ ଡିଏସ୍ପି ୨୦୧୩, ଜୁଲାଇ ୭ରେ ଏତଲା ରୁଜୁ କରିଥିଲେ। ମାମଲାରେ ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ ୨୦୧୩, ସେପ୍ଟେମ୍ବର୍ ୫ରେ ଭିଜିଲାନ୍ସ ଗିରଫ କରିଥିଲା। ୨୦୧୩, ଡିସେମ୍ବର୍ ୩୧ରେ ହଜାର ହଜାର କୋଟି ଟଙ୍କାର ଉଲିବୁରୁ ଖଣି ଦୁର୍ନୀତି ମାମଲାରେ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨), ୧୩(୧)(ସି)(ଡି) ଓ ଆଇପିସିର ଦଫା ୧୨୦-ଖ, ୪୦୯, ୩୭୯, ୪୨୦, ୪୬୮, ୪୧୧ରେ ଦୀପକ ଗୁପ୍ତା, ତାଙ୍କ ପରବାରର ୪ ଜଣ ସଦସ୍ୟ, ମୂଳ ଲିଜ୍ଧାରୀ ବି.କେ. ମହାନ୍ତିଙ୍କ ସମେତ ୨୫ ଜଣଙ୍କ ବିରୋଧରେ ଭିଜିଲାନ୍ସ୍ ପକ୍ଷରୁ କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନସ୍ ଅଦାଲତରେ ଚାର୍ଜସିଟ୍ ଦାଖଲ୍ କରାଯାଇଥିଲା। ୨୦୧୪, ଜୁନ୍ ୨୪ରେ ଭିଜିଲାନ୍ସ ଏହି ମାମଲାରେ ଚୂଡାନ୍ତ ଚାର୍ଜସିଟ୍ ଦାଖଲ କରିଥିଲା। ଏହି ମାମଲାର କେତେକ ଅଭିଯୁକ୍ତଙ୍କୁ ଭିଜିଲାନ୍ସ ଗିରଫ କରିଥିବା ବେଳେ ବହୁ ଫେରାର୍ ଥିଲେ। ୨୦୧୫, ଜୁଲାଇ ୮ରେ କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଉଲିବୁରୁ ଖଣି ଦୁର୍ନୀତି ମାମଲାର ଅଭିଯୁକ୍ତ ତଥା ଦୀପକଙ୍କ ଭାଇ ଚମ୍ପକ ଗୁପ୍ତା ଓ ଅନ୍ୟମାନଙ୍କ ବିରୋଧରେ ଜାମିନ୍ବିହୀନ ଗିରଫ ପରୱାନା ଜାରି କରିଥିଲେ।