ଲୁହରେ ଭିଜିଲା ଉଲିବସା : ତିନି ଝିଅ ଓ ବାପାର ଶବ ସତ୍କାର କଲେ ଗ୍ରାମବାସୀ

ନାତୁଣୀଙ୍କୁ ଝୁରୁଛି ଜେଜେମା, ହତ୍ୟା ଓ ଆତ୍ମହତ୍ୟା କାରଣ ଏବେବି ଅସ୍ପଷ୍ଟ

ଆନନ୍ଦପୁର : ପହିଲି ରଜରେ ଉଲିବସା ଗାଁରେ ଘଟିଗଲା ଭୟଙ୍କର ଅଘଟଣ। ଏକା ସଙ୍ଗରେ ଚାଲିଗଲା ଚାରି ଚାରିଟି ଅମୂଲ୍ୟ ଜୀବନ। ଏହି ଲୋମଟାଙ୍କୁରା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। କେଉଁ ପରିସ୍ଥିତିରେ ଦୁର୍ଗା ସିଦ୍ଧୁ ଭଳି ଜଣେ ବ୍ୟକ୍ତି ନିଜର ତିନି କୁନି କୁନି ଝିଅଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କଲେ ସେନେଇ କାହା ପାଖରେ କୌଣସି ନିର୍ଦ୍ଦିଷ୍ଟ ଉତ୍ତର ନାହିଁ।

ଦୁର୍ଗା ସିଦ୍ଧୁଙ୍କ ସହ ସମସ୍ତଙ୍କର ଉତ୍ତମ ସମ୍ପର୍କ ଥିଲା। ତିନିବର୍ଷ ତଳେ କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇ ତାଙ୍କ ପତ୍ନୀଙ୍କ ଆନନ୍ଦପୁର ଉପଖଣ୍ତ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଦୁର୍ଗା ନିଜ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ତିନିଟି ଝିଅ ଦାୟିତ୍ବ କିଏ ନେବ ତାକୁ ନେଇ ସେ ଚିନ୍ତାରେ ପଡ଼ି ଯାଇଥିଲେ। ଦ୍ବିତୀୟ ପତ୍ନୀ ଗ୍ରହଣ ପାଇଁ କିଛି ଲୋକେ ତାଙ୍କୁ ପରାମର୍ଶ ଦେଇଥିଲେ ମଧ୍ୟ ପ୍ରଥମ ପତ୍ନୀଙ୍କ ଅନୁରୋଧ ଯୋଗୁ ସେ ଦ୍ବିତୀୟ ବିବାହ କରି ନଥିଲେ। ବୃଦ୍ଧା ମା’ ଓ ତିନିଝିଅ ଗୁରୁବାରୀ, ମାମିନା, ମୁକ୍ତାକୁ ସିଦ୍ଧୁ ଦିନ କାଟୁଥିଲେ। ଏପରିକି ଦିନରାତି ପରିଶ୍ରମ କରି ତିନିଝିଅଙ୍କୁ ଖୁସିରେ ରଖିଥିଲେ। ତଥାପି ଝିଅମାନଙ୍କ ଭବିଷ୍ୟତକୁ ନେଇ ସେ ସବୁବେଳେ ଚିନ୍ତାରେ ଥିଲେ ବୋଲି ତାଙ୍କ ବନ୍ଧୁମାନେ କହିଛନ୍ତି।

ଗତକାଲି ରଜ ପାଇଁ ଦୁର୍ଗା ତିନିଝିଅଙ୍କୁ ନୂଆ ଡ୍ରେସ କିଣି ଆଣି ପିନ୍ଧାଇଥିଲେ। ମା’ ଗୁରୁବାରୀଙ୍କୁ ଭତ୍ତା ଆଣିବାକୁ ତିନି କିମି ଦୂରରେ ଥିବା ପଞ୍ଚାୟତ କାର୍ଯ୍ୟାଳୟକୁ ପଠାଇ ଦେଇଥିଲେ। କୁଲଡିହା ହାଟରୁ ଘର ସଉଦା ଆଣିବାକୁ ମା’କୁ କହିଥିଲେ। ଗୁରୁବାରୀ ଭତ୍ତା ପାଇଁ ଚାଲିଯିବା ପରେ ଘର ଭିତରପଟୁ ବନ୍ଦ କରି ଏକ ଧାରୁଆ ଟାଙ୍ଗିଆରେ ତିନିଝିଅଙ୍କୁ ହତ୍ୟା କରିବା ପରେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ଦୁର୍ଗା। ଏହି ସମୟରେ ଘଡ଼ଘଡ଼ି ସହ ବର୍ଷା ହୋଇଥିବାରୁ ପେ‌ଡ଼ୋଶୀମାନେ ଘଟଣା ସମ୍ପର୍କରେ ଜାଣି ପାରି ନଥିଲେ।

ଅପରାହ୍‌ଣ ପ୍ରାୟ ୩ଟା ବେଳେ ମା’ ଗୁରୁବାରୀ ସଉଦା ନେଇ ଘରେ ପହଞ୍ଚିଲା ବେଳକୁ ସବୁ ଶେଷ ହୋଇଯାଇଥିଲା। କବାଟ ଖୋଲିଲା ବେଳକୁ ରକ୍ତର ସୁଅ ଦେଖି ସେ ଚିତ୍କାର କରିବା ସହ ଚେତାଶୂନ୍ୟ ହୋଇ ଯାଇଥିଲେ। ଗ୍ରାମବାସୀ ତାଙ୍କ ପାଟି ଶୁଣି ଆସିଲା ବେଳକୁ ଘରେ ତିନିଝିଅଙ୍କ ସମେତ ଦୁର୍ଗାଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିଥିଲେ। ଖବର ପାଇ ଆନନ୍ଦପୁର ପୁଲିସ ପହ‌ଞ୍ଚି ମୃତଦେହ ଉଦ୍ଧାର କରିଥିଲା। ଆନନ୍ଦପୁର ଉପଖଣ୍ତ ଡାକ୍ତରଖାନାରେ ବ୍ୟବଚ୍ଛେଦ କରିବା ପରେ ମୃତଦେହଗୁଡ଼ିକୁ ଆଜି ଗ୍ରାମକୁ ପଠାଯାଇଥିଲା। ଆଜି ଅପରାହ୍‌ଣ ପ୍ରାୟ ୨ଟା ବେଳେ ଗ୍ରାମବାସୀ ଏକାଠି ହୋଇ ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ସମସ୍ତଙ୍କ ଆଖିରୁ ଲୁହ ଝରୁଥିଲା। ପୂରା ଗାଁ ଶୋକରେ ଡୁବି ଯାଇଥିଲା।

ଏଣେ ପରିବାରର ଚାରିଜଣ ସଦସ୍ୟଙ୍କ ମୃତ୍ୟୁ ପରେ ଦୁର୍ଗାଙ୍କ ମା’ ଗୁରୁବାରୀଙ୍କ ଚିନ୍ତା ବଢ଼ି ଯାଇଛି। ସେ ଏକୁଟିଆ କେମିତି ବ‌ଞ୍ଚିବେ ବୋଲି କହିବା ସହ ନ‌ାତୁଣୀମାନଙ୍କୁ ଝୁରି ମୁଣ୍ଡ ପିଟି କାନ୍ଦୁଛନ୍ତି। ରଜ ଭଳି ଏକ ପର୍ବରେ ଗାଁରେ ଘଟିଥିବା ଏହି ବର୍ବର କାଣ୍ଡକୁ ଗ୍ରାମବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏହି ଘଟଣା ରାଜ୍ୟରେ ଚହଳ ସୃଷ୍ଟି କରିଥିବା ବେଳେ କୌଣସି ସରକାରୀ ଅଧିକାରୀ କିମ୍ବା ଲୋକ ପ୍ରତିନିଧି ଗ୍ରାମରେ ନପହ‌ଞ୍ଚିବା ସମସ୍ତଙ୍କୁ ବ୍ୟଥିତ କରିଛି।

ସମ୍ବନ୍ଧିତ ଖବର